/odisha-reporter/media/post_attachments/uploadimage/library/16_9/16_9_0/IMAGE_1687443455.jpg)
judge’s car
ପାରିବାରିକ ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଜଣେ ବ୍ୟକ୍ତି ଅଜବ କାଣ୍ଡ ଘଟାଇଛନ୍ତି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଚାହୁଁଥିବା ବେଳେ ବିଚାରପତି ଏହାର ଶୁଣାଣି ବିଳମ୍ବିତ କରି ଚାଲିଛନ୍ତି।
ଶୁଣାଣି ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ବ୍ୟକ୍ତି ଜଣଙ୍କ ଆଜି ବିଚାରପତିଙ୍କ କାର୍କୁ ଭାଙ୍ଗିବା ସହ ତାଙ୍କୁ ଗାଳିଗୁଲଜ କରିଛନ୍ତି। କେରଳର ଥିରୁବାଲ୍ଲା କୋର୍ଟ ପରିସରରେ ଏପରି ଘଟଣା ଘଟିଥିବା ବେଳେ କ୍ୟାମେରାରରେ ସବୁ କିଛି କଏଦ ହୋଇଛି।
ବିଚାରପତିଙ୍କୁ ଅସମ୍ମାନ ସହ ତାଙ୍କ କାର୍ ଭାଙ୍ଗିଥିବାରୁ ପୁଲିସ୍ ୫୫ ବର୍ଷୀୟ ଇପି ଜୟପ୍ରକାଶଙ୍କୁ ଗିରଫ କରିଛି। ପୁଲିସ୍ କହିଛି ଯେ ଘଟଣାଟି ଅପରାହ୍ନ ୪.୩୦ରେ ଘଟିଥିଲା। ଛାଡ଼ପତ୍ର ମାମଲାର ଶୁଣାଣି ପରେ ଜୟପ୍ରକାଶ କୋର୍ଟ ରୁମରୁ ବାହାରିଥିଲେ। ଏହାପରେ ସେ ନିକଟସ୍ଥ ମାର୍କେଟରୁ ଗୋଟିଏ କୋଦାଳ ଆଣିଥିଲେ। ଏଥିରେ ସେ ବିଚାରପତିଙ୍କ କାର୍ର ସବୁ କାଚକୁ ଗୁଣ୍ଡ କରିଦେଇଥିଲେ।
ଏତିକିରେ ତାଙ୍କ ମନ ବୁଝି ନଥିଲା। ସେ କାର୍ର ନମ୍ବର ପ୍ଲେଟ ଓ ସାମ୍ନା ପଟେ ଥିବା ସ୍ଥାନରେ କୋଦାଳକୁ ପୂରାଇ ଏହାକୁ ଉଖାଡ଼ିବାକୁ ଚେଷ୍ଟା କରିଥିଲେ। ଭଙ୍ଗାରୁଜା କରିବା ପରେ ସେ କାର୍ର ଚାରିପଟେ ବୁଲିବୁଲି ବିଚାରପତିଙ୍କୁ ମନଇଚ୍ଛା ଗାଳିଗୁଲଜ କରିଥିଲେ।
ଏହି ଘଟଣାରେ ପୁଲିସ କୋର୍ଟ କାମରେ ବାଧା ଦେବା, ଧମକାଇବା ଓ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାବା ଭଳି ଦଫାରେ ମାମଲା ରୁଜୁ କରି ଜୟପ୍ରକାଶଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
