Advertisment

ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ UCC

ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ୍ କୋଡ (UCC) ବା ଏକକ ନାଗରିକ ସଂହିତା ନିୟମ ଲାଗୁ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉତ୍ତରାଖଣ୍ଡ।

author-image
Debibandita Barick
ଅଦ୍ୟତନ ହୋଇଛି
Uttarakhand CM

Uttarakhand CM

ଭାରତୀୟ ସମ୍ବିଧାନରେ ଉତ୍ତରାଖଣ୍ଡ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ୍ କୋଡ (UCC) ବା ଏକକ ନାଗରିକ ସଂହିତା ନିୟମ ଲାଗୁ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ କ୍ୟାବିନେଟରେ ୟୁସିସିକୁ ଅନୁମୋଦନ ମିଳିବା ପରେ ଆଜି ବିଧାନସଭାରେ ଏହି ବିଲ୍ ଆଗତ ହେବ। 

Advertisment

ଯଦି ଏହି ବିଲ୍ ପାରିତ ହୋଇ ଆଇନରେ କାର୍ଯ୍ୟକାରୀ ହୁଏ, ତେବେ ସ୍ୱାଧୀନତା ପରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ ଗ୍ରହଣ କରିବାରେ ଦେଶର ପ୍ରଥମ ରାଜ୍ୟ ହେବ। ଉତ୍ତରାଖଣ୍ଡ ଏଥିରେ ସଫଳ ହେଲେ ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟ ମଧ୍ୟ ଏହି ନିୟମ ଆଣିବାକୁ ଆଗ୍ରହ ପ୍ରକାଶ କରିବେ। ଗୋଆରେ ଏହି ନିୟମ ପର୍ତ୍ତୁଗୀଜ୍ ଶାସନ କାଳରୁ ଚାଲିଆସୁଛି। 

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆଜି ଉତ୍ତରାଖଣ୍ଡ ସରକାର ବିଧାନସଭାରେ ଉପସ୍ଥାପନ କରୁଥିବା ଡ୍ରାଫ୍ଟ ବିଲରେ ବହୁବିବାହ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା, ଲିଭ୍-ଇନ୍ ରିଲେସନସିପରେ ରହିବାକୁ ଚାହୁଁଥିବା କପଲଙ୍କୁ ପଞ୍ଜିକରଣ କରାଇବାର ନିୟମ ରହିଛି। ଏଥିସହ, ସମସ୍ତଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଆଇନ ସମାନ ରହିବ ଏବଂ ପୈତୃକ ସମ୍ପତ୍ତିରେ ଉଭୟ ପୁଅ ଓ ଝିଅଙ୍କର ସମାନ ଅଧିକାର ରହିବ।

Advertisment

ସେହିପରି ବିଲରେ ଝିଅମାନଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବୟସ ୨୧ ବର୍ଷ ରହିବ। ବିବାହର ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ ହେବ। ଯଦି ଏହି ବିଲ୍ ଆଇନରେ ପରିଣତ ହୁଏ ତେବେ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ଏହି ସବୁ ଆଇନ ସମାନ ରୂପେ କାର୍ଯ୍ୟକାରୀ ହେବ। 

ଗତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକକ ନାଗରିକ ସଂହିତା ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶ ଦୁଇଟି ଆଇନ୍ ଚାଲିପାରିବ ନାହିଁ। 

ୟୁସିସିକୁ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ସତ୍ତ୍ୱେ ବିବାଦ କାରଣରୁ ଲାଗୁ ହୋଇପାରିନାହିଁ। ଯଦି ଉତ୍ତରାଖଣ୍ଡ ବିଧାନସଭା ଏଥିରେ ସଫଳ ହୁଏ ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ନାଗରିକ ସଂହିତା ଲାଗୁ କରିବାରେ ନୂଆ ଅଧ୍ୟାୟ ସୃଷ୍ଟି କରିବ। 

Uniform Civil Code UCC Bill Uttarakhand Assembly Uttarakhand Govt