Vote
‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। କୁହାଯାଉଛି, ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ।
ଦେଶରେ ‘ୱାନ ନେସନ, ୱାନ ଇଲେକ୍ସନ’ କରାଇବାର ସମ୍ଭାବନା ଉପରେ ସମସ୍ତ ଦିଗକୁ ପରିଖି ଏକ ରିପୋର୍ଟ ଦେବାକୁ ୨୦୨୩ ସେପ୍ଟେମ୍ବର ମାସରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞଙ୍କ ପରାମର୍ଶ ଏବଂ ୧୯୧ ଦିନର ଗବେଷଣା ପରେ ଏହି କମିଟି ୧୮,୬୨୬ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। କମିଟି ଗତ ମାର୍ଚ୍ଚ ମାସରେ ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା। କେନ୍ଦ୍ର କ୍ୟାବିନେଟ ଆଜି ଏହି ରିପୋର୍ଟ ଉପରେ ମୋହର ମାରିଛନ୍ତି।
ଯାହା ଜଣାପଡ଼ିଛି, କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଦୁଇଟି ପର୍ଯ୍ୟାୟରେ ସାରା ଦେଶରେ ନିର୍ବାଚନ ହେଉ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଲୋକସଭା ଓ ବିଧାନସଭା ନିର୍ବାଚନ ଶେଷ ହେବାର ଶହେ ଦିନ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ କରାଯାଉ। ‘ୱାନ ନେସନ, ୱାନ ଇଲେକ୍ସନ’ ୨୦୨୯ରୁ ଆରମ୍ଭ କରିବାକୁ ସର୍ବସମ୍ମତ ରାୟ ପ୍ରକାଶ ପାଇଥିବା କମିଟି କହିଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ‘ୱାନ ନେସନ, ୱାନ ଇଲେକ୍ସନ’ ବ୍ୟବସ୍ଥା ଦୁଇଟି ପର୍ଯ୍ୟାୟରେ ଲାଗୁ କରାଯିବ। ଆଉ ସମସ୍ତ ନିର୍ବାଚନ ପାଇଁ ଗୋଟିଏ ଯୋଗ୍ୟ ଭୋଟର ତାଲିକା ପ୍ରକାଶ କରାଯିବ। ପ୍ରାଥମିକ ଆଲୋଚନା ବେଳେ ଏହି ବ୍ୟବସ୍ଥାକୁ ବ୍ୟାପକ ସମର୍ଥନ ମିଳିଛି ବୋଲି ସେ କହିଛନ୍ତି।
‘ୱାନ୍ ନେସନ, ୱାନ ଇଲେକ୍ସନ’କୁ ବିଜେପି ବହୁ ଗୁରୁତ୍ୱ ଦେଇ ଆସୁଛି। ଚଳିତ ସପ୍ତାହର ପ୍ରାରମ୍ଭରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଚଳିତ ଏନ୍ଡିଏ ସରକାରଙ୍କ ଅମଳରେ ହିଁ ୱାନ୍ ନେସନ, ୱାନ ଇଲେକ୍ସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ସେହିପରି ଗତ ମାସରେ ସ୍ୱାଧୀନତା ଦିବସରେ ଦିଲ୍ଲୀରେ ପତାକା ଉତ୍ତୋଳନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ‘ୱାନ୍ ନେସନ, ୱାନ ଇଲେକ୍ସନ’ ନେଇ ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ, ଏହା ବର୍ତ୍ତମାନ ସମୟରେ ଆବଶ୍ୟକତା। ବାରମ୍ବାର ନିର୍ବାଚନ ଦ୍ୱାରା ଦେଶର ବିକାଶର ରାସ୍ତା ଅବରୋଧ ହେଉଛି।
‘ୱାନ୍ ନେସନ, ୱାନ ଇଲେକ୍ସନ’ ନେଇ ୬୨ଟି ରାଜନୀତିକ ଦଳର ମତାମତ ନିଆଯାଇଥିବା ବେଳେ ୩୨ଟି ଏହା ସପକ୍ଷରେ ଯାଇଥିଲେ। କଂଗ୍ରେସ ସମେତ ୧୫ଟି ଦଳ ଏହାକୁ ବିରୋଧ କରିଛନ୍ତି। ଆଉ ୧୫ଟି ଦଳ କୌଣସି ମତାମତ ଦେଇ ଼ନାହାନ୍ତି। କଂଗ୍ରେସ କହିଛି ଯେ ‘ୱାନ୍ ନେସନ, ୱାନ ଇଲେକ୍ସନ’କୁ ବାସ୍ତବରେ କାର୍ଯ୍ୟକାରୀ କରିବା ଅସମ୍ଭବ। ହରିଆଣା ବିଧାନସଭା ନିର୍ବାଚନ ପାଇଁ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ଅନ୍ୟାନ୍ୟ ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟିକୁ ହଟାଇବା ପାଇଁ ବିଜେପି ‘ୱାନ୍ ନେସନ, ୱାନ ଇଲେକ୍ସନ’ କଥା କହୁଛି। ଏହା ଆଦୌ ସଫଳ ହେବ ନାହିଁ। ଲୋକେ ଏହାକୁ ଗ୍ରହଣ କରିବେ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Vote_1722075176.jpg)