/odisha-reporter/media/post_attachments/uploadimage/library/16_9/16_9_0/BJP_1729422102.jpg)
BJP
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଭାଇ ଗୋପାଳ ଯୋଶୀ ଓ ପୁତୁରା ଅଜୟ ଯୋଶୀଙ୍କୁ ଶେଷରେ ପୁଲିସ୍ ଗିରଫ କରିଛି। ଏମାନଙ୍କ ନାଁରେ ୨ କୋଟି ଟଙ୍କାର ଠକେଇ ମାମଲା ରହିଥିଲା। ଦୁଇ ଜଣ ଯାକ ଫେରାର ଥିବା ବେଳେ ସେମାନଙ୍କୁ ବେଙ୍ଗାଲୁରୁ ପୁଲିସ୍ ଗିରଫ କରିଛି।
ଗୋପାଳ ଓ ଅଜୟଙ୍କ ନାଁରେ ଜେଡିଏସର ଜଣେ ପୂର୍ବତନ ବିଧାୟକଙ୍କ ପତ୍ନୀ ଠକେଇ ଅଭିଯୋଗ ଆଣିଥିଲେ। ପୁଲିସ୍ ଏହାର ତଦନ୍ତ କରି କୋଲହାପୁରରୁ ଗୋପାଳ ଓ ପୁଣେରୁ ତାଙ୍କ ପୁଅ ଅଜୟଙ୍କୁ ଗିରଫ କରିଛି।
ଏହାପୂର୍ବରୁ ବେଙ୍ଗାଲୁରୁ ପୁଲିସ୍ କେଶୱାପୁରର ଇନ୍ଦ୍ରା କଲୋନୀରେ ଥିବା ଗୋପାଳ ଯୋଶୀଙ୍କ ଘରେ ରେଡ କରିଥିଲା। ସେଠାରୁ ନଗଦ ଟଙ୍କା ଜବତ କରିବା ପରେ ଅଧିକ ଜେରା ପାଇଁ ଗୋପାଳଙ୍କୁ ପୁଲିସ ସମନ କରିଥିଲା। ତେବେ ସେ ସମନକୁ ଖାତିର କରି ନଥିଲେ। ସେ ଓ ତାଙ୍କ ପୁଅ ଫେରାର ହୋଇଯାଇଥିଲେ। କିନ୍ତୁ ଏବେ ଉଭୟ ବାପା-ପୁଅ ପୁଲିସ୍ ହାତରେ ଧରାପଡ଼ିଛନ୍ତି।
ଗୋପାଳ ଓ ଅଜୟ ଧରା ପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ଯୋଶୀ ସେମାନଙ୍କ ଠାରୁ ଦୂରତା ଅବଲମ୍ବନ କରିଛନ୍ତି। ଗୋପାଳଙ୍କ ସହ ୩୦ ବର୍ଷ ହେଲା ତାଙ୍କର କୌଣସି ସମ୍ପର୍କ ନଥିବା ସେ ସଫେଇ ଦେଇଛନ୍ତି।
ଗୁରୁବାର ରାତିରେ ବସଭେଶ୍ୱରନଗର ପୁଲିସ୍ ଗୋପାଳ ଓ ଅଜୟଙ୍କ ନାଁରେ ମାମଲା କରିଥିଲା। ନଗଥାନର ପୂର୍ବତନ ବିଧାୟକ ଦେବାନନ୍ଦ ସିଂହ ଚୌହାନଙ୍କ ପତ୍ନୀ ସୁନୀତା ଉଭୟଙ୍କ ନାଁରେ ୨ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି।
ଲୋକସଭା ନିର୍ବାଚନରେ ସୁନୀତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ବିଜେପି ଟିକେଟ ମିଳିତ ବୋଲି ଗୋପାଳ ଓ ଅଜୟ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ବିଜୟଲକ୍ଷ୍ମୀ ନାମକ ଜଣେ ମହିଳାଙ୍କ ସହ ତାଙ୍କର ଭେଟ କରାଇଥିଲେ। ବିଜୟଲକ୍ଷ୍ମୀଙ୍କୁ ସେମାନେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଭଉଣୀ ବୋଲି କହିଥିଲେ।
ଟିକେଟ ପାଇବା ଆଶାରେ ସେ ପ୍ରଥମେ ବିଜୟଲକ୍ଷ୍ମୀଙ୍କୁ ନଗଦ ୨୫ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ସେ ପୁଣି ପର୍ଯ୍ୟାୟକ୍ରମେ ୧ କୋଟି ୭୫ ଲକ୍ଷ ଟଙ୍କା ଦେଇଥିଲେ। ଏପରି ଭାବେ ଗୋପାଳ, ଅଜୟ ଓ ବିଜୟଲକ୍ଷ୍ମୀ ତାଙ୍କ ଠାରୁ ୨ କୋଟି ଟଙ୍କା ଠକି ଥିବା ସୁନୀତା ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
