Advertisment

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଲେ ଲୋକେ

ଘରେ ନିଆଁ ଲାଗିଥିବା ବେଳେ ମନ୍ତ୍ରୀ ଉପସ୍ଥିତ ନଥିଲେ।

ଅଦ୍ୟତନ ହୋଇଛି
Ranjan Singh

Ranjan Singh

Advertisment

କେନ୍ଦ୍ର ମନ୍ତ୍ରୀ (ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ) ଆର.କେ ରଞ୍ଜନ ସିଂହଙ୍କ ମଣିପୁରର ରାଜଧାନୀ ଇମ୍ଫାଲ ସ୍ଥିତ ଘରେ ଗୁରୁବାର ରାତିରେ ୧୦୦୦ରୁ ଅଧିକ ଲୋକ ପଶି ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଘରର ତଳ ଓ ପ୍ରଥମ ମହଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ହତାହତ ହୋଇନାହାନ୍ତି। ଏହି ଘଟଣା ଘଟିବା ସମୟରେ ଘରେ ମନ୍ତ୍ରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ। ଏସ୍‌ଟି (ଅନୁସୂଚୀତ ଜନଜାତି) ମାନ୍ୟତା ଦାବିକୁ ନେଇ ଦୁଇଟି ଜାତି ମଧ୍ୟରେ ମଣିପୁରରେ ସଂଘର୍ଷ ହେତୁ ହିଂସାକାଣ୍ଡ ଜାରି ରହିଥିବା ବେଳେ ଗତକାଲି ଏଭଳି ଏକ ଘଟଣା ଘଟିଯାଇଛି।

Advertisment

କର୍ଫ୍ୟୁ ସତ୍ତ୍ୱେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧୦୦୦ରୁ ଅଧିକ ଲୋକ ମନ୍ତ୍ରୀଙ୍କ ଇମ୍ଫାଲର କୋଙ୍ଗବା ସ୍ଥିତ ଘରେ ପହଞ୍ଚି ଯାଇଥିଲେ। ସେତେବେଳେ ସେଠାରେ ୨୩ ଜଣ ସୁରକ୍ଷାକର୍ମଚାରୀ ଉପସ୍ଥିତ ଥିଲେ। ତେବେ ଲୋକେ ବଳପୂର୍ବକ ମନ୍ତ୍ରୀଙ୍କ ଘରେ ପ୍ରବେଶ କରିଥିଲେ। ସୁରକ୍ଷାକର୍ମଚାରୀ କହିବା ମୁତାବକ ଲୋକମାନେ ବିଭିନ୍ନ ଦିଗରୁ ପେଟ୍ରୋଲ ବୋମା ଫୋପାଡ଼ି ଥିଲେ। ତେଣୁ ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ।

କେନ୍ଦ୍ର ମନ୍ତ୍ରୀ ଆର.କେ ରଞ୍ଜନ ସିଂହଙ୍କ ଘରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଗତ ମେ’ ମାସରେ ମଧ୍ୟ କିଛି ଲୋକ ତାଙ୍କ ଘରକୁ ଆକ୍ରମଣ କରିଥିଲେ। ଅବଶ୍ୟ ସେତେବେଳେ ଉପସ୍ଥିତ ସୁରକ୍ଷା କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରି ସେମାନଙ୍କୁ ସେଠାରୁ ତଡ଼ି ଦେଇଥିଲେ।

Advertisment

ମନ୍ତ୍ରୀ ସିଂହ କହିଛନ୍ତି, ମୋ ରାଜ୍ୟରେ ଯାହା ଘଟୁଛି ତାହା ଅତ୍ୟନ୍ତ ଦୁଃଖର ବିଷୟ। ମୁଁ ଏବେ ବି ସେମାନଙ୍କୁ ଶାନ୍ତି ସ୍ଥାପନ ପାଇଁ ଅନୁରୋଧ କରୁଛି। ଯେଉଁମାନେ ସେଠାରେ ଏଭଳି ହିଂସାକାଣ୍ଡରେ ଲିପ୍ତ ରହୁଛନ୍ତି, ସେମାନେ ଅମାନବୀୟ ଛଡ଼ା ଆଉ କିଛି ନୁହନ୍ତି।

ଏହା ପୂର୍ବରୁ ବୁଧବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଇମ୍ଫାଲ ସ୍ଥିତ ରାଜ୍ୟର ଏକମାତ୍ର ମହିଳା ମନ୍ତ୍ରୀ ନେମଚା କିପଜେନଙ୍କ ସରକାରୀ ବାସଭବନରେ ନିଆଁ ଲଗାଇ ଦେଇଥିଲେ। ଅବଶ୍ୟ ସେତେବେଳେ ଘରେ କେହି ଉପସ୍ଥିତ ନଥିଲେ।

ମେ’ ୩ ତାରିଖରୁ ମୈତୈ ଓ କୁକି ଜନଜାତି ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ମୈତୈ ଜାତିର ଲୋକେ ସେମାନଙ୍କୁ ଏସ୍‌ଟି (ଅନୁସୂଚିତ ଜନଜାତି) ବର୍ଗରେ ସାମିଲ କରିବାକୁ ଦାବି କରୁଥିବା ବେଳେ କୁକି ଜନଜାତିର ଲୋକମାନେ ଏହାକୁ ଦୃଢ଼ ବିରୋଧ କରୁଛନ୍ତି। ଆଉ ଏହାକୁ ନେଇ ଦେଢ଼ ମାସ ହେଲାଣି ଅଶାନ୍ତ ହୋଇପଡ଼ିଛି ମଣିପୁର।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe