/odisha-reporter/media/post_attachments/uploadimage/library/16_9/16_9_0/UP_1741006442.jpg)
UP
ହତଭାଗା ବାପା। ଝିଅର ଭଲ ମନ୍ଦ ବିଷୟରେ ସୂଚନା ପାଇଁ କୋର୍ଟକୁ ଯାଇଥିଲେ। ଭାବୁଥିଲେ ଝିଅ ବିଦେଶରେ ଜୀବିତ ଅଛି। ଝିଅକୁ ବିଦେଶରୁ ଫେରାଇ ଆଣିବା ପାଇଁ ସରକାର କୋର୍ଟଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନେହୁରା ବି ହୋଇଥିଲେ। କିନ୍ତୁ କୋର୍ଟ ଜରିଆରେ ତାଙ୍କୁ ମିଳିଛି କଲିଜା ଛିଡ଼ି ଗଲା ଭଳି ଖବର। କାରଣ ସରକାର ତାଙ୍କ ଝିଅକୁ ଫେରାଇ ଆଣିବା ବଦଳରେ କୋର୍ଟଙ୍କୁ ମୃତ୍ୟୁ ସମ୍ପର୍କରେ ଦେଇଛନ୍ତି ସୂଚନା।
ହତଭାଗା ବାପା କୋର୍ଟରୁ ଝିଅର ମୃତ୍ୟୁ ସମ୍ପର୍କରେ ଶୁଣି ପୂରା ସ୍ତବ୍ଧ। ଫେବୃଆରୀ ୧୫ରୁ ଝିଅ ୟୁଏଇରେ ଫାଶୀ ଖୁଣ୍ଟରେ ଝୁଲି ସାରିଥିଲେ ହେଁ ଆଜି ଯାଏ ବାପା କିମ୍ବା ପରିବାରର କୌଣସି ସଦସ୍ୟ ଏକଥା ଜାଣି ପାରି ନଥିଲେ। ଏବେ ପୂରା ଘଟଣା ସାମ୍ନାକୁ ଆସିଛି।
ୟୁଏଇରେ ୩୩ ବର୍ଷୀୟ ଶାହଜାଦି ଖାନଙ୍କୁ ଫେବୃଆରୀ ୧୫ରେ ମୃତ୍ୟୁ ଦଣ୍ଡ ମିଳି ସାରିଛି ବୋଲି ସୋମବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି ଭାରତ ସରକାର। ୟୁଏଇରେ ଛୋଟ ପିଲାଙ୍କ କେୟାର ଟେକର ଭାବେ କାମ କରୁଥିଲେ ଉତ୍ତର ପ୍ରଦେଶର ଶାହଜାଦି। ତାଙ୍କ ଅଧୀନରେ ଥିବା ଜଣେ ୪ ମାସର ଛୁଆର ମୃତ୍ୟୁ ହୋଇଯାଇଥିଲା। ଅବୁ ଧାବିର କେୟାର ଗିଭର ଭାବେ କାମ କରୁଥିବା ଶାହଜାଦିଙ୍କୁ ୪ ମାସର ପିଲାର ମୃତ୍ୟୁ ପାଇଁ ଦାୟୀ କରାଯାଇଥିଲା।
୨୦୨୨ ଡିସେମ୍ବରରୁ ସେ ଆଇନ ଜାଲରେ ଫସି ଗିରଫ ହୋଇଥିଲେ। ପିଲାଟି ରୁଟିନ ଟିକା ନେବା ପରେ ପ୍ରାଣ ହରାଇଥିଲେ ହେଁ ଏଥିପାଇଁ ଶାହଜାଦିଙ୍କ ଅବହେଳାକୁ ଦାୟୀ କରାଯାଇଥିଲା। ମାମଲାର ବିଚାର କରି ୟୁଏଇ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଝିଅର ଏପରି ଅବସ୍ଥା ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣା ନଥିଲା। ସେମାନେ ଝିଅ ସମ୍ପର୍କରେ ଜାଣିବା ପାଇଁ ବାରମ୍ବର ଭାରତ ସରକାରଙ୍କୁ ଯୋଗାଯୋଗ କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା।
ଏସବୁ ଭିତରେ ଶନିବାର ଝିଅ ସମ୍ପର୍କରେ ବୁଲେଟିନ ଜାରି କରିବା ସହ ଝିଅର ସ୍ଥିତାବସ୍ଥା ସମ୍ପର୍କରେ ଭାରତ ସରକାର ସୂଚନା ଦିଅନ୍ତୁ ବୋଲି ଦାବି କରି ଶାହଜାଦିଙ୍କ ବାପା କୋର୍ଟରେ ପହଞ୍ଚିଥିଲେ। ସରକାର ଏବେ କହିଛନ୍ତି ଯେ ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଶାହଜାଦିଙ୍କୁ ୟୁଏଇରେ ଫେବୃଆରୀ ୧୫ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ତାଙ୍କର ଅନ୍ତିମ ସଂସ୍କାର ମାର୍ଚ୍ଚ ୫ରେ ହେବ। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଫେବୃଆରୀ ୨୮ରେ ସୂଚନା ପାଇଥିଲା ବୋଲି ସରକାର କୋର୍ଟଙ୍କୁ କହିଛନ୍ତି।
ଆଡିସନାଲ ସଲିସିଟର ଜେନେରାଲ ଚେତନ ଶର୍ମା କହିଛନ୍ତି, “ସବୁ କିଛି ଶେଷ ହୋଇଯାଇଛି। ସେ(ଶାହଜାଦି) ଫେବୃଆରୀ ୧୫ରୁ ଫାଶୀ ଖୁଣ୍ଟରେ ଝୁଲି ସାରିଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ମାର୍ଚ୍ଚ ୫ରେ ହେବ।” ଏହା ଶୁଣିବା ପରେ ଜଷ୍ଟିସ ସଚିନ ଦତ୍ତା କହିଛନ୍ତି ଯେ, “ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”
ଶାହଜାଦିଙ୍କ ବାପା କରିଥିବା ଆବେଦନରେ ଦର୍ଶାଇଥିଲେ ଯେ ଜେଲରୁ ତାଙ୍କ ଝିଅ ଫୋନ କରିଥିଲା। ତାଙ୍କୁ ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସମ୍ଭାବ୍ୟ ଫାଶୀ ପୂର୍ବରୁ ତାଙ୍କୁ ଶେଷ ଇଚ୍ଛା ପଚରା ଯାଇଥିଲା। ସେ ପରିବାର ଲୋକଙ୍କ ସହ କଥା ହେବାକୁ ଚାହିଁବାରୁ ତାଙ୍କୁ ଫୋନ କରିବାର ସୁଯୋଗ ମିଳିଛି। ଝିଅ ଠାରୁ ଏହା ଶୁଣିବା ପରେ ବାପା ଫେବୃଆରୀ ୨୧ରେ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ଝିଅ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଝିଅ ଜୀବିତ କି ନାହିଁ ଓ ତାଙ୍କୁ ଫେରାଇ ଆଣିବାକୁ ସେ ଅନୁରୋଧ କରିଥିଲେ। ହେଲେ ଚିଠିର ଜବାବର ନ ମିଳିବାରୁ ସେ ଫେବୃଆରୀ ୧ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କ’ଣ ଥିଲା ପୂରା ଘଟଣା?
ଶାହଜାଦି ୨୦୨୧ ଡିସେମ୍ବର ମାସରେ ଅବୁ ଧାବି ଯାଇଥିଲେ। ୨୦୨୨ ଅଗଷ୍ଟ ମାସରେ ସେ କେୟାର ଟେକର ଭାବେ କାମ କରୁଥିବା ମାଲିକଙ୍କ ପତ୍ନୀ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ନବଜାତର ଯତ୍ନ ମଧ୍ୟ ଶାହଜାଦି ନେଉଥିଲେ। ୨୦୨୨ ଡିସେମ୍ବର ୭ରେ ପିଲଟି ଟିକା ନେଇଥିଲା ଓ ସେହି ଦିନ ସନ୍ଧ୍ୟାରେ ତା’ର ମୃତ୍ୟୁ ହୋଇଯାଇଥିଲା।
ଶାହଜାଦଙ୍କ ବାପା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ପିଲାଟିର ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲେ ହେଁ ପରିବାର ଲୋକ ରାଜି ହୋଇ ନଥିଲେ। ସେମାନେ ମୃତ୍ୟୁ ପାଇଁ ଶାହଜାଦିଙ୍କୁ ଦାୟୀ କରିଥିଲେ। ୨୦୨୩ ଫେବୃଆରୀ ମାସରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ପିଲାଟିର ମୃତ୍ୟୁ ପାଇଁ ଶାହଜାଦି ଦାୟୀ ବୋଲି ସ୍ୱୀକାର କରୁଥିବା ଦୃଶ୍ୟ ରହିଥିଲା।
ମାଲିକଙ୍କ ନିର୍ଯାତନା ସହ୍ୟ ନ କରିପାରି ସେ ପିଲାଟିକୁ ମାରିଥିବା କହିଥିଲେ। ଏହାପରେ ଅବୁ ଧାବି ପୁଲିସ୍ ତାଙ୍କୁ ଗିରଫ କରିଥିଲା ଓ ୨୦୨୩ ଜୁଲାଇ ୩୧ ରେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୟୁଏଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାରର ଆଇନଗତ ସହାୟତା ଯୋଗାଇ ଦିଆଯାଇଥିବା ଦାବି କରାଯାଇଥିଲା। କିନ୍ତୁ ଏହାକୁ ଶାହଜାଦିଙ୍କ ବାପା ମିଛ ବୋଲି କହିଛନ୍ତି। ଉପଯୁକ୍ତ ଆଇନଗତ ସହାୟତା ଅଭାବରୁ ଝିଅକୁ ମୃତ୍ୟୁଦଣ୍ଡ ମିଳିଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
