Advertisment

ଫିଟିଲା ବାଟ; ଭାରତ ଫେରିବ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା

ଆମେରିକା କାଲିଫର୍ଣ୍ଣିଆର ଏକ କୋର୍ଟ ପାକିସ୍ତାନୀ ମୂଳ ବ୍ୟବସାୟୀ ତହବ୍ବୁର ରାଣାଙ୍କୁ ଭାରତକୁ ପଠାଇବାକୁ ଅନୁମତି ଦେଇଛନ୍ତି। ଏଥିନିମନ୍ତେ ଭାରତ ଦୀର୍ଘ ବର୍ଷ ହେଲା ଦାବି ଜଣାଇ ଆସୁଥିବା ବେଳେ ଶେଷରେ ମିଳିଛି ଗ୍ରୀନ୍‌ ସିଗନାଲ୍‌ ।

author-image
Niharika Rout
Tahawwur Rana

Tahawwur Rana

୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା ଭାରତ ଫେରିବା ବାଟ ପରିଷ୍କାର ହୋଇଛି। ଆମେରିକା କାଲିଫର୍ଣ୍ଣିଆର ଏକ କୋର୍ଟ ପାକିସ୍ତାନୀ ମୂଳ ବ୍ୟବସାୟୀ ତହବ୍ବୁର ରାଣାଙ୍କୁ ଭାରତକୁ ପଠାଇବାକୁ ଅନୁମତି ଦେଇଛନ୍ତି। ଏଥିନିମନ୍ତେ ଭାରତ ଦୀର୍ଘ ବର୍ଷ ହେଲା ଦାବି ଜଣାଇ ଆସୁଥିବା ବେଳେ ଶେଷରେ ମିଳିଛି ଗ୍ରୀନ୍‌ ସିଗନାଲ୍‌ ।

Advertisment

କୂଟନୈତିକ ଚ୍ୟାନେଲ ମାଧ୍ୟମରେ ତାଙ୍କୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କହିଛି। ପାକିସ୍ତାନ ସ୍ଥିତ ଲଶ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ୨୬/୧୧ ଆକ୍ରମଣରେ ରାଣାଙ୍କ ଭୂମିକାକୁ ମଧ୍ୟ ଏନଆଇଏ ତଦନ୍ତ କରୁଛି।

୨୦୨୦ ଜୁନ୍‌ରେ ଭାରତ ରାଣାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆବେଦନ କରିଥିଲା। ବାଇଡେନ ପ୍ରଶାସନ ଭାରତର ଦାବିକୁ ସମର୍ଥନ କରିଥିଲେ। ଏହି ମାମଲାର ଶୁଣାଣି କରି କାଲିଫର୍ଣ୍ଣିଆର ଜଣେ ଜିଲ୍ଲା ଜଜ୍‌ କହିଥିଲେ, ଯେ ସବୁ ଦସ୍ତାବିଜର ସମୀକ୍ଷା କରିବା ପରେ ରଣାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ କରିଥିବା ଦାବି ଯୁକ୍ତିଯୁକ୍ତ ବୋଲି ହୃଦୟଙ୍ଗମ ହେଉଛି। ତେଣୁ ତାଙ୍କୁ ଭାରତ ପଠାଇବାକୁ ଅନୁମତି ପ୍ରଦାନ କରାଯାଉଛି।

Advertisment

ଆମେରିକାର କାଲିଫର୍ଣ୍ଣିଆର ଏକ କୋର୍ଟରେ ହୋଇଥିବା ଶୁଣାଣି ସମୟରେ ଆମେରିକାର ସରକାର ଯୁକ୍ତି ବା‍ଢ଼ିଥିଲେ ଯେ, ରାଣାଙ୍କ ପିଲା ଦିନର ସାଙ୍ଗ ପାକିସ୍ତାନୀ-ଆମେରିକୀୟ ଡେଭିଡ କୋଲମେନ ହେଡଲି ଲଶ୍କର-ଇ-ତୋଇବାରେ ସାମିଲ ହୋଇଥିଲେ । ଏହି ଘଟଣା ରାଣା ଖୁବ୍‌ ଭଲ ଭାବେ ଜାଣିଥିଲେ। ଏହାସତ୍ତ୍ୱେ ସେ ହେଡଲିଙ୍କ ସହାୟତା କଲେ ଓ ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ତେଣୁ ସେ ମଧ୍ୟ ଆତଙ୍କବାଦୀକୁ ସମର୍ଥନ କରିଥିବା ପ୍ରମାଣିତ ହେଉଛି। ରାଣାଙ୍କ ଓକିଲ ତାଙ୍କ ମହକିଲଙ୍କ ପ୍ରତ୍ୟାବର୍ତ୍ତନ ଆଦେଶକୁ ତୀବ୍ର ବିରୋଧ କରିଥିଲେ ମଧ୍ୟ ବିଚାରପତି ଭାରତ ସପକ୍ଷରେ ରାୟ ଶୁଣାଣଛନ୍ତି ।

ତହବ୍ବୁର ହୁସେନ ମୂଳତଃ ପାକିସ୍ତାନୀ ହୋଇଥିବା ବେଳେ ସେ କାନାଡ଼ାରେ ରହି ବ୍ୟବସାୟ କରୁଥିଲେ। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ରଣାଙ୍କର ସନ୍ଦେହଜନକ ଭୂମିକା ଥିବାରୁ ତାଙ୍କୁ ଭାରତ ଫେରାଇବାକୁ ଅନୁରୋଧ କରାଯାଇଥିଲା। ଏହାପରେ ଆମେରିକା ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ଏକ ପ୍ରତିଷ୍ଠିତ ହୋଟେଲ ଉପରେ ୬୦ ଘଣ୍ଟାରୁ ଅଧିକ ସମୟ ଧରି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା।   ଏଥିରେ ସମୁଦାୟ ୧୬୬ ଜଣ ଆଖି ବୁଜିଥିବା ବେଳେ ସେଥିରେ ୬ ଜଣ ଆମେରିକୀୟ ବି ଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ୧୦ ପାକିସ୍ତାନୀ ଆତଙ୍କବାଦୀ ଥିବା ଚିହ୍ନଟ ହୋଇଥିଲେ। 

Terror Attack America India Terrorist