/odisha-reporter/media/media_files/2025/11/10/blast12-2025-11-10-20-24-17.jpg)
ବିସ୍ଫୋରଣ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ହୋଇଥିବା ବିସ୍ଫୋରଣ ପରେ ପଡ଼ୋଶୀ ଉତ୍ତର ପ୍ରଦେଶରେ ରେର୍ଡ ଆଲର୍ଟ ଜାରି କରାଯାଇଛି।
ଉତ୍ତର ପ୍ରଦେଶର ଏଡିଜି(ଆଇନ ଶୃଙ୍ଖଳା) ଅମିତାଭ ୟାଶ କହିଛନ୍ତି ଯେ ଡିଜିପିଙ୍କ ପକ୍ଷରୁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସମ୍ବେଦନଶୀଳ ଧାର୍ମିକ ସଂସ୍ଥା, ସମ୍ବେଦନଶୀଳ ଜିଲ୍ଲା ଓ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଉତ୍ତର ପ୍ରଦେଶର ସବୁ ଜିଲ୍ଲାର ପୁଲିସ୍ ଆଲର୍ଟରେ ରହିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ପ୍ୟାଟ୍ରୋଲିଂ ଓ ଚେକିଂ ବୃଦ୍ଧି କରିବାକୁ ଲକ୍ଷ୍ନୌ ପୁଲିସ୍ ନିର୍ଦ୍ଦେଶ ଦେଇଛି।
କେବଳ ଦିଲ୍ଲୀ କିମ୍ବା ଉତ୍ତର ପ୍ରଦେଶ ନୁହେଁ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ କୋଲକାତା ଭଳି ମେଟ୍ରୋ ସହରରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଦିଲ୍ଲୀ ବିସ୍ଫୋରଣ ଆତଙ୍କୀ ହମଲା ବୋଲି ଏଯାଏ କୁହାଯାଇ ନାହିଁ। କିନ୍ତୁ ସ୍ଥିତିକୁ ଦେଖିଲେ ଏହା ଆତଙ୍କବାଦୀ ହମଲା ବୋଲି କୁହାଯାଇ ପାରିବ।
ଆଜି ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ପାଖରେ ଗୋଟିଏ ମାରୁତି ଇକୋ ଭ୍ୟାନ ପହଞ୍ଚିଥିଲା। ଏହାପରେ ଭ୍ୟାନ୍ରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପୂରା ଅଞ୍ଚଳକୁ ଦୋହଲାଇ ଦେଇଥିବା ବେଳେ ଏକାଧିକ କାର ହୁତୁହୁତୁ ହୋଇ ଜଳି ଯାଇଛି। ବିସ୍ଫୋରଣ ହୋଇଥିବା କାର ସମେତ ଆଖପାଖ ଅଞ୍ଚଳରେ ଥିବା ଆଉ ୮ଟି କାର ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
କଳା ଧୂଆଁ ପୂରା ଅଞ୍ଚଳରେ ବ୍ୟାପି ଯାଇଥିବା ବେଳେ ଦିଲ୍ଲୀ(Delhi) ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୨୦ ଦମକଳ ବାହିନୀ ନିୟୋଜିତ ହୋଇଥିବା ଜଣାପଡ଼ିଛି।
ପୁଲିସ୍ ପୂରା ଅଞ୍ଚଳକୁ କର୍ଡନ କରିଛି। ଲୋକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ କୁହାଯାଇଛି। ଫରେନ୍ସିକ ଟିମ, ଏନଏସଜି ଓ ଏନଆଇଏ ଟିମ ଘଟଣା ସ୍ଥଳକୁ ଆସିଥିବା ବେଳେ ବିସ୍ଫୋରଣ ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’କୁ ଅନୁଧ୍ୟାନ କରାଯାଉଛି।
ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନେ ସନ୍ଧ୍ୟା ୬.୫୫ରେ ବିସ୍ଫୋରଣ(Blast in Delhi) ସମ୍ପର୍କରେ ଖବର ପାଇଥିଲେ। ଏହାପରେ ୭ଟି ଅଗ୍ନିଶମ ଗାଡ଼ି ଓ ୧୫ ସିଏଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ନିଆଁକୁ ଆୟତ୍ତ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି।
ଏହି ଘଟଣା ପୂର୍ବରୁ ରବିବାର ଓ ଆଜି ମିଳିତ ଭାବେ ଦିଲ୍ଲୀ ଠାରୁ ୪୫ କିମି ଦୂର ଫରିଦାବାଦରୁ ୨୯୦୦ କେଜିର ବିସ୍ଫୋରକ ଜବତ ହୋଇଥିଲା। ଏତେ ପରିମାଣର ବିସ୍ଫୋରଣ ଜବତ କରି ଆତଙ୍କୀଙ୍କ ସବୁ ଯୋଜନା ପଣ୍ଡ କରିଥିଲେ ସୁରକ୍ଷାକର୍ମୀ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟାରେ ବିସ୍ଫୋରଣ ଖବର ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
