Advertisment

ଦେଶରେ ପ୍ରଥମ: ଏକକ ନାଗରିକ ସଂହିତା ବିଲ୍‌ ବିଧାନସଭାରେ ପାସ୍‌

ଏବେ ରାଜ୍ୟପାଳ ମୋହର ମାରିବା କ୍ଷଣି ୟୁସିସି ଆଇନରେ ପରିଣତ ହୋଇଯିବ। ଏଥିସହ ସ୍ୱାଧୀନତା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମସ୍ତ ପାଇଁ ସମାନ ଆଇନ କାର୍ଯ୍ୟକାରୀ ହେବ।

UCC

UCC

Advertisment

ବିଜେପି ଶାସିତ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ନାଗରିକ ସଂହିତା ବିଲ୍‌କୁ ପାରିତ କରିଛି। ଆଜି ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ ପାସ୍‌ ହୋଇଛି। ଏବେ ବିଜେପି ଶାସିତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ୟୁସିସି ବିଲ ଆଣିବା ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। ରାଜସ୍ଥାନ ସରକାର କହି ସାରିଛନ୍ତି ଯେ ଆସନ୍ତା ବିଧାନସଭା ଅଧିବେଶନରେ ୟୁସିସି ବିଲ୍‌କୁ ଗୃହରେ ଉପସ୍ଥାପନ କରାଯିବ।

Advertisment

ୟୁସିସିର ଅର୍ଥ ରାଜ୍ୟ ବା ଦେଶରେ ରହୁଥିବା ସବୁ ଧର୍ମର ଲୋକଙ୍କ ପାଇଁ ଗୋଟିଏ ପ୍ରକାରର ଆଇନ ରହିବ। ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ପୋଷ୍ୟଗ୍ରହଣ ଆଦି ପାଇଁ ଗୋଟିଏ ପ୍ରକାରର ଆଇନ କାର୍ଯ୍ୟକାରୀ ହେବ।

ବିଲ୍‌ ପାସ୍‌ ହେବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, “ଆଜି ରାଜ୍ୟ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ଦେଶର ଲୋକମାନେ ଦୀର୍ଘଦିନ ହେଲା ଦାବି କରୁଥିବା ବିଲ୍‌ ଆଜି ପାସ୍‌ ହୋଇଛି। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବିଲକୁ ପାରିତ କରିଛି।

Advertisment

ମୁଁ ସମସ୍ତ ବିଧାୟକ ଓ ଉତ୍ତରାଖଣ୍ଡର ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି। କାରଣ ଲୋକମାନଙ୍କ ପାଇଁ ଆମେ କ୍ଷମତାକୁ ଆସିଛୁ ଓ ଆସିବା କ୍ଷଣି ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ୟୁସିସିକୁ ପାରିତ କରିଛୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଓ ପ୍ରେରଣା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଧାମି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବିଲ୍‌ କାହା ବିରୋଧରେ ନୁହେଁ। ଏହା ସମସ୍ତଙ୍କୁ ବିଶେଷ କରି ମହିଳାଙ୍କୁ ଫାଇଦା ଦେବ ବୋଲି ଧାମି କହିଛନ୍ତି।

ସେ କହିଛନ୍ତି, “ଏହି ବିଲ୍‌କୁ କାହାକୁ ଟାର୍ଗେଟରେ ରଖି ପାରିତ କରାଯାଇ ନାହିଁ। ବିବାହ, ରକ୍ଷାଣବେକ୍ଷଣ, ଉତ୍ତରାଧିକାର ଓ ବିଚ୍ଛେଦ ଭଳି ଘଟଣାରେ ଏହା ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବ। ବିଭେଦତାକୁ ଦୂର କରିବ। ମହିଳାଙ୍କ ପ୍ରତି ଥିବା ପାତରଅନ୍ତର ନୀତିକୁ ଏହା ମୂଳପୋଛ କରିବ।”

ବିଲ୍‌ ବିଧାନସଭାରେ ଉପସ୍ଥାପନ ହେବା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ପ୍ରଥମେ ବିଧାନସଭାର ସିଲେକ୍ଟ କମିଟି ପାଖକୁ ପଠାଇବାକୁ କହିଥିଲେ। ହେଲେ ବାଚସ୍ପତି ଏଥିପାଇଁ ଅନୁମତି ଦେଇ ନଥିଲେ। ଶେଷରେ ଆଜି ଏହା ଉପରେ ଆଲୋଚନା ହୋଇଥିଲା ଓ ସନ୍ଧ୍ୟାରେ ଏହା ପାରିତ ହୋଇଛି।

ଏବେ ରାଜ୍ୟପାଳ ମୋହର ମାରିବା କ୍ଷଣି ୟୁସିସି ଆଇନରେ ପରିଣତ ହୋଇଯିବ। ଏଥିସହ ସ୍ୱାଧୀନତା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମସ୍ତ ପାଇଁ ସମାନ ଆଇନ କାର୍ଯ୍ୟକାରୀ ହେବ।

ବିଲ୍‌ ପାସ୍‌ ହୋଇଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ଏଥିରେ ସଂଶୋଧନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଲ୍‌ରେ ଜନସଂଖ୍ୟା ନିୟନ୍ତ୍ରଣ ଓ ଅନୁସୂଚିତ ଜନଜାତିଙ୍କୁ ବାଦ ଦିଆଯାଇଛି। ଉତ୍ତରାଖଣ୍ଡର ମୋଟ ଜନସଂଖ୍ୟାରୁ ୩% ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର ଲୋକ। ସେମାନଙ୍କ ପାଇଁ ୟୁସିସି ଲାଗୁ ହେବ ନାହିଁ।

Uttarakhand Uniform Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe