ଉତ୍ତରକାଶୀ ଟନେଲ୍ ରେସ୍କ୍ୟୁ ଅପରେସନରେ ଏବେ ମୁଖ୍ୟତଃ ରାଟ୍-ହୋଲ୍ ମାଇନର ମାନେ ହିଁ ଭରସା। ସେମାନଙ୍କ କାନ୍ଧରେ ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ। ୨୦୧୪ରେ ଏହି ପଦ୍ଧତିକୁ ବ୍ୟାନ୍ କରିଥିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ବା NGT। ତେବେ ଉତ୍ତରକାଶୀ ଅପରେସନ ପାଇଁ ଏହି ନିଷିଦ୍ଧ ପଦ୍ଧତି ଉପରେ ଏବେ ଭରସା କରାଯାଇଛି। ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ୨୪ ଜଣ ରାଟ୍-ହୋଲ୍ ମାଇନର କରି ପାରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର।
ରାଟ୍-ହୋଲ୍ ମାଇନର୍ ବା ରାଟ୍-ମାଇନର୍
ରାଟ୍-ହୋଲ୍ ମାଇନିଂ ବା ଓଡ଼ିଆରେ କହିଲେ ମୂଷା ଗାତ ଭଳି ଖଣି ଖୋଳା ହେଉଛି । କୋଇଲା ଉତ୍ତୋଳନର ଏକ ଅତି ପୁରୁଣା ପଦ୍ଧତି। ଏଥିରେ ଯେଉଁମାନେ ସିଦ୍ଧହସ୍ତ ସେମାନଙ୍କୁ କହନ୍ତି ରାଟ୍-ହୋଲ୍ ମାଇନର୍ ବା ରାଟ୍ ମାଇନର୍। ବିନା କୌଣସି ଯନ୍ତ୍ର ବ୍ୟବହାରରେ, ହାତରେ ପଥର ଖୋଳିଖୋଳି ଅତି ସଂକୀର୍ଣ୍ଣ ଗର୍ତ୍ତ ବା ସୁଡ଼ଙ୍ଗ ତିଆରି କରନ୍ତି ରାଟ୍-ହୋଲ୍ ମାଇନର୍। ବ୍ୟବହାର ହୁଏ କେବଳ ଗଇଁତି, ବେଲଚା ଓ ଝୁଡ଼ି। ଏହା ଖୁବ୍ ମନ୍ଥର ଓ ଶ୍ରମବହୁଳ କାର୍ଯ୍ୟ। ଏହି ଗର୍ତ୍ତ ଭିତର ଦେଇ କେବଳ ଜଣେ ଲୋକ ଯାଇପାରିବ।
ରାଟ୍-ହୋଲ୍ ମାଇନରଙ୍କ ଖନନ ପଦ୍ଧତି
ମୁଖ୍ୟତଃ ମେଘାଳୟରେ ପୂର୍ବରୁ ଏହି ପଦ୍ଧତିରେ କୋଇଲା ବାହାର କାରାଯାଉଥିଲା। ଏବେ ରାଟ୍-ହୋଲ୍ ମାଇନରଙ୍କ ଉପରେ ନ୍ୟସ୍ତ ହୋଇଛି ଉତ୍ତରକାଶୀ ଟନେଲ୍ ଅପରେସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସିଲକ୍ୟାରା ପଟୁ ବାକି ଥିବା ୧୦ରୁ ୧୨ ମିଟର ପଥର ଖୋଳିବା ପାଇଁ ୨୪ ଜଣ ରାଟ୍-ମାଇନର୍ ୩ଟି ସିଫ୍ଟରେ କାର୍ଯ୍ୟ କରିବେ। ଅର୍ଥାତ୍ ପ୍ରତି ସିଫ୍ଟରେ ୮ଜଣ ଲେଖାଏଁ ଖନନକାରୀ ୨୪ ଘଣ୍ଟା କାମ ଜାରି ରଖିବେ। ଏହି ପ୍ରକ୍ରିୟା ବି ଖୁବ୍ ଜଟିଳ ହେବାକୁ ଯାଉଛି।
କାରଣ ମାଇନରମାନଙ୍କୁ ୮ଶହ ମିଲିମିଟର ଓସାର ପାଇପରେ ପଶି ପଥର ଖୋଳିବାକୁ ପଡ଼ିବ ଏବଂ ବାହାରୁଥିବା ପଥରଖଣ୍ଡକୁ ଝୁଡ଼ିରେ ଆଣି ବାହାରେ ପକାଇବାକୁ ପଡ଼ିବ। ତେବେ ସେମାନେ ପୂର୍ବରୁ ୬ଶହ ମିଲିମିଟର ଓସାର ଗାତରେ ପଶି ଖଣି ଖୋଳିଥିବା ପ୍ରକାଶ କରିଛନ୍ତି। ଏହି ମାଇନରମାନଙ୍କୁ ହେଲମେଟ, ୟୁନିଫର୍ମ, ମାସ୍କ ଓ ଚଷମା ଆଦି ପ୍ରଦାନ କରାଯାଇଛି।
ଜଣେ ରାଟ୍ ମାଇନର୍ କରିଛନ୍ତି ଯେ, ଯଦି ଆଗକୁ ମାଟି ଥାଏ ତେବେ ୧୦ ମିଟର ଖୋଳିବାକୁ ସେମାନଙ୍କୁ ୨୪ ଘଣ୍ଟା ଲାଗିବ। ବାଟରେ ପଥର ପଡ଼ିଲେ ୩୬ ଘଣ୍ଟା କିମ୍ବା ତାଠୁ ଅଧିକ ସମୟ ଲାଗିପାରେ।
ରାଟ୍-ହୋଲ୍ ମାଇନିଂ ଉପରେ ବାଜିଛି NGT ଛାଟ
ରାଟ୍-ହୋଲ୍ ମାଇନିଂ ଖୁବ୍ ବିପଦପୂର୍ଣ୍ଣ ଓ ପରିବେଶ ଦୃଷ୍ଟିରୁ ଅସୁରକ୍ଷିତ ହୋଇଥିବାରୁ ୨୦୧୪ରେ ଏହି ପଦ୍ଧତିକୁ ବ୍ୟାନ୍ କରିଥିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ବା NGT। ତେବେ ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ କେତେ ଲାଭଦାୟକ ସାବ୍ୟସ୍ତ ହେଉଛି ତାହା ଉପରେ ସମସ୍ତଙ୍କ ନଜର।
ସୂଚନା ଯୋଗ୍ୟ ଯେ, ଟନେଲ୍ ଭିତରେ ମରଣ ସହ ୧୭ ଦିନ ହେଲାଣି ଚାଲିଛି ସଂଘର୍ଷ। ଆଶା, ଆଶଙ୍କା ଦୋଛକିରେ ଚାଲିଛି ସଂଘର୍ଷ। ରେସ୍କ୍ୟୁ ଅପରେସନ୍ରେ ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ ଚ୍ୟାଲେଞ୍ଜ । ପ୍ରତିଦିନ ଉପୁଜୁଛି ବାଧା। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ। ଏଥିରେ ୫ ଜଣ ଓଡ଼ିଆ ଶ୍ରମିକ ବି ରହିଛନ୍ତି।
ଆଉ ଏହାରି ଭିତରେ ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଆଗେଇ ଚାଲିଛି। ପାହାଡ଼ ଉପରୁ ତଳ ଆଡ଼କୁ ହେଉଥିବା ଭର୍ଟିକାଲ୍ ଡ୍ରିଲିଂ ୩୬ ମିଟର ଯାଏଁ ଖୋଳା ସରିଛି। ଭର୍ଟିକାଲ୍ ଡ୍ରିଲିଂରେ ମୋଟ ୮୬ ମିଟର ଖୋଳିବାକୁ ପଡ଼ିବ ଓ ଏଥିପାଇଁ ମଧ୍ୟ ୩ ଦିନ ଲାଗିପାରେ।
ହରାଇଜଣ୍ଟାଲ୍ ଡ୍ରିଲିଂ ବି ସମାନ୍ତରାଳ ଭାବେ ଚାଲିଛି। ଆସନ୍ତା ଦୁଇ ଦିନ ଭିତରେ କିଛି ଖୁସି ଖବର ମିଳିବାର ଆଶା ରହିଛି । ଏହି ସମୟରେ ଭୂମିରେ କଂପନକୁ ମାପିବା ପାଇଁ ସେନ୍ସର ବ୍ୟବହାର କରାଯାଉଛି। ଯଦି ଆଉ ବାଧା ନଆସେ ତେବେ ୨୪ରୁ ୩୬ ଘଣ୍ଟା ଭିତରେ ଏହା ଖୋଳା ସରିଯିବ ବୋଲି କୁହାଯାଉଛି । ପଥରରେ ଫସିଯାଇଥିବା ଅଗର୍ ମେସିନକୁ କାଟି ବାହାର କରାଯିବା ପରେ, ବାକି ଥିବା ୧୦ରୁ ୧୨ ମିଟର ଖୋଳିବା ଲାଗି ମାନୁଆଲ୍ ଡ୍ରିଲିଂ ଚାଲିଛି।
ତେବେ କେଉଁ ପଦ୍ଧତି ଲାଭଦାୟକ ସାବ୍ୟସ୍ତ ହେଉଛି, କେଉଁ ପଦ୍ଧତି ଦ୍ୱାରା ଶ୍ରମିକଙ୍କ ବାହାରର ଆଲୋକ ଦେଖାଇବା ସମ୍ଭବପର ହୋଇ ପାରୁଛି ତାହା ଉପରେ ସମସ୍ତଙ୍କ ନଜର।