Advertisment

ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ

ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସର ଏଭଳି କାର୍ଯ୍ୟକୁ ଚାରିଆଡୁ ନିନ୍ଦା କରାଯାଇଛି। ତୁରନ୍ତ ସମ୍ପୃକ୍ତ ପୁଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

author-image
Madhupriya Mistry
Police Dragged Protesting Student

Police Dragged Protesting Student

ବିରୋଧ ପ୍ରଦର୍ଶନ କରୁଥିଲେ ଛାତ୍ରୀ। ଏହାକୁ ଅଟକାଇବାକୁ ଯାଇ ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛ ତେଲଙ୍ଗାନାରୁ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

କୁହାଯାଉଛି ଯେ ଛାତ୍ରୀ ଜଣକ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି), ବିଜେପି ତଥା ଆର୍‌ଏସଏସ୍‌ ସହ ଜଡିତ ଛାତ୍ର ସଂଗଠନ ସହ ଜଡିତ। ନୂଆ ହାଇକୋର୍ଟ ନିର୍ମାଣ ପାଇଁ ପ୍ରଫେସର ଜୟଶଙ୍କର ତେଲଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସଙ୍ଗଠନର କିଛି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଲିସ ଏମାନଙ୍କୁ ଅଟକାଇଥିଲା। ଏତିକି ବେଳେ ବିରୋଧ କରୁଥିବା ଜଣେ ଛାତ୍ରୀ ପୁଲିସକୁ ଦେଖି ଦୌଡିଥିଲେ। ସ୍କୁଟିରେ ବସି ଦୁଇ ମହିଳା ପୁଲିସ ଛାତ୍ରୀ ଜଣକର ପିଛା କରି ତାଙ୍କ ଚୁଟିକୁ ଧରି ଘୋଷାରି ନେଇଥିଲେ। ଫଳରେ ଛାତ୍ରୀ ଜଣକ ରାସ୍ତା ଉପରେ ପଡି ଯାଇଥିଲେ।

ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି। ତେଲେଙ୍ଗାନା ପୁଲିସ ସହ ଜଡିତ ଏହି ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି ତେଲଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ନେତା କେ. କବିତା ଟ୍ୱିଟରର ଏକ ପୋଷ୍ଟରେ କହିଛନ୍ତି।

Advertisment

କେ.କବିତା ଆହୁରି କହିଛନ୍ତି, 'ଜଣେ ଶାନ୍ତିପୂର୍ଣ୍ଣ ବିରୋଧୀ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଏଭଳି ଚୁଟି ଧରି ଟାଣିବା ଏବଂ ତାଙ୍କ ସହ ଅଭଦ୍ର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ପୁଲିସର ଏପରି ଆକ୍ରମଣାତ୍ମକ ଆଚରଣର ନେଇ ପ୍ରଶ୍ନ ଉଠାଇବା ଉଚିତ। ଏହା ଅହଂକାରୀ ଆଚରଣ। ତେଲଙ୍ଗାନା ପୁଲିସ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ଉଚିତ।' ଏଥିସହ ସମ୍ପୃକ୍ତ ପୁଲିସକର୍ମୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନବାଧିକାର ଆୟୋଗଙ୍କ ନିକଟରେ କେ.କବିତା ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଛାତ୍ରଛାତ୍ରୀମାନେ ପ୍ରାୟ ଏକ ସପ୍ତାହ ହେଲା ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ହାଇକୋର୍ଟର ନୂତନ କୋଠା ନିର୍ମାଣ ହେଲେ ବହୁ ସଂଖ୍ୟାରେ ଗଛ କଟାଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ତେଣୁ ଟାଙ୍ଗରା ଭୂମିରେ ନୂଆ ହାଇକୋର୍ଟ କୋଠା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।

Viral Video Student Protest Telangana Police