Advertisment

Karur Stampede: ଦଳା ଚକଟା ପରେ ବିଜୟଙ୍କ ପ୍ରଥମ ଭିଡିଓ ବାର୍ତ୍ତା: ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଦେଲେ ଏମିତି ଚ୍ୟାଲେଞ୍ଜ

ଶନିବାର ତାମିଲନାଡୁର କରୁରରେ ଆୟୋଜିତ ବିଜୟଙ୍କ ରାଲିରେ ୪୧ ଜଣଙ୍କ ଜୀବନ ଯାଇଥିଲା। ଘଟଣା ପରେ ଜନମାନସରୁ ଦୂରେଇ ଯାଇଥିବା ବିଜୟ ଏବେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।

TVK

ଟିଭିକେ ମୁଖ୍ୟ ବିଜୟ

Advertisment

ଅଭିନେତା ତଥା ରାଜନୀତିକ ଦଳ ଟିଭିକେର ମୁଖ୍ୟ ଥଲାପତି ବିଜୟ(Thalapathy Vijay) ପ୍ରଥମଥର ପାଇଁ କରୁର ଦଳାଚକଟା(Stampede) ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଶନିବାର ତାମିଲନାଡୁ(Tamilnadu)ର କରୁରରେ ଆୟୋଜିତ ବିଜୟଙ୍କ ରାଲିରେ ୪୧ ଜଣଙ୍କ ଜୀବନ ଯାଇଥିଲା। ଘଟଣା ପରେ ଜନମାନସରୁ ଦୂରେଇ ଯାଇଥିବା ବିଜୟ ଏବେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।

Advertisment

ଏହି ବାର୍ତ୍ତାରେ ସେ ନିଜର ଦୋଷ ସ୍ୱୀକାର କରିବା ବଦଳରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ କ୍ଷମତାସୀନ ଡିଏମକେକୁ ଟାର୍ଗେଟ କରିଛନ୍ତି। ଆସନ୍ତାବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ଥିବା ବେଳେ ଦଳଚକଟା ଗୋଟିଏ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ବିଜୟ କହିବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ସାର୍‌.... ଯଦି ଆପଣଙ୍କର ପ୍ରତିଶୋଧ ଯୋଜନା ରହିଛି, ତା’ହେଲେ ମୋ ସହ ଆପଣ କିଛି ବି କରନ୍ତୁ। ମୋ ନେତାମାନଙ୍କୁ ଛୁଅଁନ୍ତୁ ନାହିଁ। ମୁଁ ଅଫିସ କିମ୍ବା ଘରେ ନିଶ୍ଚିତ ଉପଲବ୍ଧ ହେବି। ଆମେ କୌଣସି ଭୁଲ କରିନାହୁଁ। କିନ୍ତୁ ପୁଲିସ କେସ ଆମ ନେତା, ବନ୍ଧୁ ଓ ସୋଶାଲ ମିଡିଆ ପାର୍ଟନରଙ୍କ ବିରୋଧରେ କରାଯାଉଛି।” 

Advertisment

ବିଜୟ ଆହୁରି କହିଛନ୍ତି, “ମୋ ଜୀବନରେ ମୁଁ କେବେ ହେଲେ ଏମିତି ଯନ୍ତ୍ରଣାଦାୟକ ମୁହୂର୍ତ୍ତର ସାମ୍ନା କରି ନଥିଲି। ମୋ ହୃଦୟ ଚୂରମାର ହୋଇଯାଇଛି। ମୋ ହୃଦୟରେ କେବଳ ଯନ୍ତ୍ରଣା ଓ କଷ୍ଟ ଭରି ରହିଛି। ଶୋଭାଯାତ୍ରା ବେଳେ ଲୋକମାନେ ମୋତେ ଦେଖିବାକୁ ଆସିଥିଲେ। ମୁଁ ସବୁବେଳେ ଲୋକଙ୍କ ଭଲ ପାଇବା ଓ ଶ୍ରଦ୍ଧା ପାଇଁ କୃତଜ୍ଞ। ଲୋକଙ୍କ ସୁରକ୍ଷାରେ କୌଣସି ବୁଝାମଣା ହେବା କଥା ନୁହେଁ।

ଏହାକୁ ନିଶ୍ଚିତ କରିବା ପାଇଁ ଓ ରାଜନୀତିକୁ ଅଲଗା ରଖି ଲୋକଙ୍କ ସୁରକ୍ଷା ପାଇଁ ଗୋଟିଏ ସ୍ଥାନ ଚିହ୍ନଟ କରିଥିଲି। ପୁଲିସ ବିଭାଗକୁ ମଧ୍ୟ ଅନୁରୋଧ କରିଥିଲି। କିନ୍ତୁ ଯାହା ହେବାର ଥିଲା, ସେଇଆ ହେଲା। ମୁଁ ମଧ୍ୟ ଜଣେ ମଣିଷ। ଯେତେବେଳେ ଅନେକ ପ୍ରଭାବିତ ହୋଇଛନ୍ତି ମୁଁ କେମିତି ସେହି ଲୋକମାନଙ୍କୁ ଛାଡ଼ି ଦେଲି ଓ ସେଠାରୁ ଚାଲି ଆସିଲି? ଏହାର କାରଣ ହେଲା ଯେ ମୁଁ ପୁଣି କିଛି ଅପ୍ରୀତିକର ଘଟଣା ଘଟୁ ବୋଲି ଚାହୁଁ ନଥିଲି। ତେଣୁ ସେଠାକୁ ଯାଇ ନଥିଲି।”

ଘଟଣା ପରେ ଟିଭିକେ ନେତାଙ୍କୁ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ବି ମତ ରଖିଛନ୍ତି ବିଜୟ। ସେ କିମ୍ବା ତାଙ୍କ ଦଳ କୌଣସି ଭୁଲ କରି ନାହାନ୍ତି ବୋଲି ସେ ସଫେଇ ଦେଇଛନ୍ତି। ରାଜନୀତିକ ଷଡ଼ଯନ୍ତ୍ର ଗନ୍ଧ ବାରି ବିଜୟ କହିଛନ୍ତି ଯେ “ଆମେ ୫ଟି ଜିଲ୍ଲାରେ ପ୍ରଚାର କରିଥିଲୁ। କିନ୍ତୁ କାହିଁକି ଏପରି ଘଟଣା କରୁରରେ ଘଟିଲା? କେମିତି ଏହା ଘଟିଲା? ଲୋକମାନେ ସତ କ’ଣ ଜାଣିଛନ୍ତି ଓ ସେମାନେ ସବୁ କିଛି ଦେଖୁଛନ୍ତି। ଆମେ ସେହି ସ୍ଥାନରେ କହିଥିଲୁ ଯେଉଁଥି ପାଇଁ ଆମକୁ ଅନୁମତି ମିଳିଥିଲା। ମୋର ଆଶା ସବୁ ସତ ଖୁବଶୀଘ୍ର ସାମ୍ନାକୁ ଆସିବ।” 


ଦଳାଚକଟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ବିଜୟ କହିଛନ୍ତି, “ଆପଣମାନେ ସମସ୍ତେ ଏହି ସମୟା ପ୍ରଭାବିତ ହୋଇଛନ୍ତି। ମୁଁ ଜାଣିଛି ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ମୋର ଆଶା ସମସ୍ତେ ଶୀଘ୍ର ସୁସ୍ଥ ହୋଇଯିବେ। ମୁଁ ସମସ୍ତଙ୍କୁ ଯଥାଶୀଘ୍ର ସମ୍ଭବ ଦେଖା କରିବି।” 

ଶେଷ ଭାଗରେ ବିଜୟ କହିଛନ୍ତି, “ଆମର ରାଜନୀତିକ ଯାତ୍ରା ଅଧିକ ସଶକ୍ତ ହୋଇ କାମ କରିବ। ଏହି ସମୟରେ ମୁଁ ରାଜନେତା, ଦଳୀୟ ସଦସ୍ୟ, ନେତା ଓ ମୋ ପାଇଁ କହୁଥିବା ସବୁ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।” 

Tamilnadu Stampede Thalapathy Vijay
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe