Advertisment

ବିମାନ ଦୁର୍ଘଟଣା: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଡିଏନ୍‌ଏ ମ୍ୟାଚ୍ ହୋଇଥିବା ବେଳେ ୧୪ ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Vijay Rupani and the crashed plane

Vijay Rupani and the crashed plane

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ନେଇ ଆଜି ସୂଚନା ଦିଆଯାଇଛି। ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ତାଙ୍କର ମୃତଦେହ ଚିହ୍ନଟ କରାଯାଇଛି।

Advertisment

ଆଜି ଦିନ ୧୧ଟା ୧୦ ମିନିଟ୍‌ରେ ତାଙ୍କ ଡିଏନ୍‌ଏ ମ୍ୟାଚ୍ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ଏହା ପରେ ବିଜୟ ରୂପାନୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର ରଜକୋଟରେ ସଂପନ୍ନ କରାଯିବ।

Advertisment

ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ (୨୩୦ ଯାତ୍ରୀ, ୨ ପାଇଲଟ ଓ ୧୦ କ୍ର୍ୟୁ ସଦସ୍ୟ) ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଯାବତ୍ ଡିଏନ୍‌ଏ ମ୍ୟାଚ୍ ମାଧ୍ୟମରେ ଏଯାବତ ୩୨ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ସେଥିରୁ ୧୪ଟି ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଯେଉଁ ମୃତକମାନଙ୍କ ଶବକୁ ଚିହ୍ନଟ କରାଯାଇଛି, ସେମାନେ ସମସ୍ତେ ଗୁଜରାଟ ଓ ରାଜସ୍ଥାନର ବୋଲି ଅହମଦାବାଦ ସିଭିଲ ହସପିଟାଲର ଅଧୀକ୍ଷକ ଡାକ୍ତର ରଜନୀଶ ପଟେଲ କହିଛନ୍ତି।

ମୃତଦେହଗୁଡ଼ିକ ଏମିତି ଜଳିଯାଇଛି ଯେ ଡିଏନ୍‌ଏ ମ୍ୟାଚ୍ କରି ସେମାନଙ୍କୁ ଚିହ୍ନଟ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ନଥିଲା ବୋଲି ସେ କହିଛନ୍ତି। ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ, ମୃତକଙ୍କ ପରିବାର ସହିତ ଯୋଗାଯୋଗ ଓ ଏଭଳି ବିଭିନ୍ନ କାର୍ଯ୍ୟକୁ ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ୨୩୦ରୁ ଅଧିକ ଟିମ୍ ଗଠନ କରାଯାଇଛି।

ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ବିମାନଟି ଜନବସତି ଅଞ୍ଚଳ (ଏକ ମେଡିକାଲ କଲେଜର ହଷ୍ଟେଲ ଛାତରେ)ରେ କ୍ରାଶ ହୋଇଯିବାରୁ ସେଠାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତରୀ ଛାତ୍ର ଅଛନ୍ତି।

ଏହି ଦୁର୍ଘଟଣାର ତଦନ୍ତ କରୁଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ। ବିମାନ ଦୁର୍ଘଟଣା ଘଟିବାର ୨୮ ଘଣ୍ଟା ପରେ ତଦନ୍ତକାରୀ ସଂସ୍ଥା ଘଟଣାସ୍ଥଳରୁ ବ୍ଲାକ ବକ୍ସକୁ ଉଦ୍ଧାର କରିଛି।

Plane Crash Vijay Rupani