Advertisment

‘ପୁଅ ସହ ହୋଇନି ପ୍ୟାଚ୍‌-ଅପ୍‌, ଫଟୋ ପଛର କାହାଣୀ କିଛି ଅଲଗା’

ବିଶିଷ୍ଟ ଶିଳ୍ପପତି ତଥା ରେମଣ୍ଡ କମ୍ପାନୀ ମାଲିକ ଗୌତମ ସିଂହାଣିଆ ଓ ତାଙ୍କ ବାପା ବିଜୟପତ ସିଂହାଣିଆଙ୍କ ମଧ୍ୟରେ ଗତ କିଛି ବର୍ଷ ହେଲା ବିବାଦ ଲାଗି ରହିଛି। ମାତ୍ର ଏବେ ଉଭୟଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

author-image
Niharika Rout
Gautam Singhania with father Vijaypat Singhania

Gautam Singhania with father Vijaypat Singhania

ବିଶିଷ୍ଟ ଶିଳ୍ପପତି ତଥା ରେମଣ୍ଡ କମ୍ପାନୀ ମାଲିକ ଗୌତମ ସିଂହାଣିଆ ଓ ତାଙ୍କ ବାପା ବିଜୟପତ ସିଂହାଣିଆଙ୍କ ମଧ୍ୟରେ ଗତ କିଛି ବର୍ଷ ହେଲା ବିବାଦ ଲାଗି ରହିଛି। ମାତ୍ର ଏବେ ଉଭୟଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଏହି ଫଟୋ ଭାଇରାଲ ହେବା ପରେ ଉଭୟ ପିତା ପୁତ୍ରଙ୍କ ମଧ୍ୟରେ ଥିବା ସବୁ ମନୋମାଳିନ୍ୟ ଦୂର ହୋଇ ଯାଇଥିବା ଆଲୋଚନା ହେଉଛି। ମାତ୍ର ଏଥିରେ ବିରାମ ଲଗାଇ ଫଟୋ ପଛର କାହାଣୀ କହିଛନ୍ତି ବିଜୟପତ ସିଂହାଣିଆ ।

ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ବିଜୟପତ କହିଛନ୍ତି, ଗତ ୨୦ ତାରିଖରେ ଏୟାରପୋର୍ଟ ଯାଉଥିବା ବେଳେ ପୁଅର ଆସିଷ୍ଟାଣ୍ଟ ଫୋନ୍‌ କରିଥିଲେ। ସେ ବାରମ୍ବାର ଜେକେ ହାଉସ୍‌କୁ ଯିବାକୁ କହୁଥିବା ବେଳେ ମୁଁ ସଫା ସଫା ମନା କରି ଦେଇଥିଲି। ଏହାପରେ ଗୌତମ ମୋତେ ଫୋନ୍‌ କରି କଫି ପିଇବା ନିମନ୍ତେ ମାତ୍ର ମୋର ୫ ମିନିଟ୍‌ ସମୟ ଚାହୁଁଥିବା କହୁଥିଲେ।

Advertisment

ଅନିଚ୍ଛା ସତ୍ତ୍ୱେ ପୁଅକୁ ସାକ୍ଷାତ କରିବାକୁ ଜେକେ ହାଉସ୍‌ରେ ପ୍ରାୟ ୧୦ ବର୍ଷ ପରେ ପହଞ୍ଚିଥିଲି। ସେଠାରେ ପୁଅ ସହ ସାକ୍ଷାତ ହୋଇଥିବା ବେଳେ ଏହା ପଛର ଉଦ୍ଦେଶ୍ୟ ବୁଝି ପାରି ନ ଥିଲି। ସେ ମୋ’ ସହ ଫଟୋ ଉଠାଇ ଆମ ଭିତରେ ସବୁ ଠିକ୍‌ ଥିବା ଦୁନିଆକୁ ମେସେଜ ଦେବାକୁ ଚାହୁଁଥିଲେ। କିଛି ସମୟ ପରେ ମୁଁ ବିମାନରେ ବସି ଯିବା ବେଳେ ଇଣ୍ଟରନେଟ୍‌ରେ ଗୌତମ ସହ ନିଜ ଫଟୋ ଦେଖିଥିଲି। ଏହାପରେ ଆମ ବାପ-ପୁଅଙ୍କ ଭିତରେ ସବୁ ଠିକଠାକ ହୋଇ ଯାଇଥିବା ନେଇ ମେସେଜ ଆସିଥିଲା।

କିଛି ଦିନ ପୂର୍ବେ ଗୌତମ ସିଂହାଣିଆ ସୋଶାଲ ମିଡିଆ Xରେ ନିଜ ପିତାଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ନିଜ ମାଲିକାନାରେ ଥିବା ଜେକେ ହାଉସ୍‌ରେ ନିଜ ପିତାଙ୍କ ସହ ଉଠାଇଥିବା ଏକ ଫଟୋ ସେ ସୋଶାଲ ମିଡିଆରେ ଶେଆର କରିଛନ୍ତି।

ଏହାର କ୍ୟାପସନରେ ସେ ଲେଖିଥିଲେ, ଆଜି ବାପା ଘରକୁ ଆସିଥିବାରୁ ତାଙ୍କ ଆଶୀର୍ବାଦ ପାଇ ଖୁବ୍‌ ଖୁସି ଅଛି। ସବୁବେଳେ ଆପଣ ସୁସ୍ଥ ରହିବା ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

ପାରିବାରିକ ବିବାଦ ଯୋଗୁ ବିଜୟପତ ସିଂହାଣିଆ ରେମଣ୍ଡ କମ୍ପାନୀର ଚେୟାରମ୍ୟାନ ପଦରୁ ଇସ୍ତଫା ଦେବା ସହ ସବୁ ଦାୟିତ୍ୱ ନିଜ ପୁଅ ଗୌତମ ସିଂହାଣିଆଙ୍କ ଉପରେ ନ୍ୟସ୍ତ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା। ପରିବାର ମାଲିକାନାରେ ମୁମ୍ବାଇରେ ଥିବା ଜେକେ ହାଉସ୍‌ରେ ବିଜୟପତ ମନ ପସନ୍ଦର ଡୁପ୍ଲେକ୍ସ ରୁମ୍‌ ପାଉ ନ ଥିବା କହିଥିଲେ। ଏହାପରେ ୨୦୧୮ ମସିହାରେ ତାଙ୍କୁ କମ୍ପାନୀର ଚେୟାରମ୍ୟାନ ପଦରୁ ହଟାଇ ଦିଆଯାଇଥିଲା। ଏହାପରଠୁ ନିଜ ପୁଅଠୁ ଅଲଗା ରହୁଛନ୍ତି ବିଜୟପତ ସିଂହାଣିଆ ।

ଜେକେ ହାଉସ୍‌କୁ ନିମନ୍ତ୍ରଣ ପଛରେ ଗୌତମଙ୍କ ଅସଲି ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣି ପାରି ନ ଥିବା ବେଳେ ଭବିଷ୍ୟତରେ ଆଉ କେବେ ବି ସେଠାରେ ପାଦ ଦେବିନି ବୋଲି କହିଛନ୍ତି ବିଜୟପତ ସିଂହାନିଆ।

Mumbai