Advertisment

ବିକ୍ରମ ମିଶ୍ରି ଭାରତର ନୂଆ ବୈଦେଶିକ ସଚିବ

ବିକ୍ରମ ମିଶ୍ରି ୩ ଜଣ ପ୍ରଧାନମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଭାବେ କାର୍ଯ୍ୟ କରିଛନ୍ତି।

ଅଦ୍ୟତନ ହୋଇଛି
Vikram Misri

Vikram Misri

Advertisment

୧୯୮୯ ବ୍ୟାଚ୍‌ ଆଇଏଫଏସ୍ ଅଫିସର ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ତାଙ୍କର ନିଯୁକ୍ତି ଉପରେ ମୋହର ମାରିଛି। ଏବେ ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା (Deputy NSA) ଥିବା ବିକ୍ରମ ମିଶ୍ରି ଆସନ୍ତା ଜୁଲାଇ ମାସ ୧୫ ତାରିଖରେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ନେବେ। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

୧୯୬୪ ମସିହାରେ ଶ୍ରୀନଗରରେ ଜନ୍ମ ହୋଇଥିଲେ ବିକ୍ରମ ମିଶ୍ରି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଏକ୍ସଏଲଆରଆଇରୁ ଏମ୍‌ବିଏ କରିଥିଲେ। ପାଠପଢ଼ା ଶେଷ କରିବା ପରେ ସେ ପ୍ରାୟ ୩ ବର୍ଷ ଆଡଭରଟାଇଜିଂ କ୍ଷେତ୍ରରେ କାମ କରିଥିଲେ। ୧୯୮୯ରେ ସେ ଆଇଏଫଏସ୍ ପାଇଥିଲେ।

୧୯୯୧ରୁ ୧୯୯୬ ମସିହା ମଧ୍ୟରେ ବିକ୍ରମ ମିଶ୍ରି ବ୍ରୁସେଲ୍‌ସ ଓ ଟୁନିସରେ ଭାରତୀୟ ମିଶନଗୁଡ଼ିକରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ। ୧୯୯୭ରେ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ ସେ ଏକାଧିକ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି। ଏହା ସହିତ ବିଦେଶରେ ଭାରତର ବିଭିନ୍ନ ମିଶନରେ କାର୍ଯ୍ୟ କରିଛନ୍ତି।

Advertisment

୨୦୧୨ରେ ବିକ୍ରମ ମିଶ୍ରି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଥିଲେ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେ ସେହି ପଦବୀରେ ରହି କାର୍ଯ୍ୟ କରିଥିଲେ। ୨୦୧୪ରେ ତାଙ୍କୁ ସ୍ପେନକୁ ରାଷ୍ଟ୍ରଦୂତ କରି ପଠାଯାଇଥିଲା। ୨୦୧୬ରେ ସେ ମିଆଁମାରର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ରେ ତାଙ୍କୁ ଚୀନର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଥିଲା। ୨୦୨୨ରେ ତାଙ୍କୁ ଜାତୀୟ ସୁରକ୍ଷା ଉପ-ପରାମର୍ଶଦାତା (Deputy NSA) ଭାବେ ନିଯୁକ୍ତି ମିଳିଥିଲା।

ଏବେ ବୈଦେଶିକ ସଚିବ ଥିବା ବିନୟ ମୋହନ କ୍ୱାତ୍ରା ଜୁଲାଇ ୧୪ରେ ଅବସର ନେବେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କ କାର୍ଯ୍ୟକାଳକୁ ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା। ତେବେ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି। ଜୁଲାଇ ୧୪ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ ଓ ୧୫ରୁ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ନେବେ ବିକ୍ରମ ମିଶ୍ରି।

Vikram Misri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe