Advertisment

ରଡ୍‌ ଓ ନିଆଁ ହୁଳା ଦେଖାଇ ହାତୀକୁ ତଡ଼ୁଥିଲେ, କିନ୍ତୁ ଘଟିଲା ଏମିତି ଘଟଣା

ହାତୀଗୁଡ଼ିକ ଭଙ୍ଗାରୁଜା ଜାରି ରଖିବାରୁ ହୁଳା ଟିମକୁ ଡକା ଯାଇଥିଲା। ସେମାନେ ନିଆଁ ହୁଳା ଓ ରଡ ଧରି ପହଞ୍ଚି ଯାଇଥିଲେ।

Hulla

Hulla

Advertisment

ସ୍ପାଇକଡ ରଡ୍‌ ଓ ନିଆଁ ହୁଳା ଦେଖାଇ ବନ୍ୟଜନ୍ତୁମାନଙ୍କୁ ତଡ଼ିବା କଳା ଗୋଟିଏ ହାତୀର ଜୀବନ ନେଇଛି। ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ଗୁରୁବାର ଏପରି ଘଟଣା ଘଟିଥିବା ବେଳେ ଆଜି ପରିବେଶବିତ ପ୍ରେରଣା ସିଂହ ବିନ୍ଦ୍ରା ଘଟଣାକୁ ସୋଶାଲ ମିଡିଆ ଜରିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏଥିସହ ହୁଳା ଟିମ କେମିତି ନିଆଁ ଓ ରଡ୍‌ ଦ୍ୱାରା ଗୋଟିଏ ହାତୀକୁ ଜଙ୍ଗଲ ଭିତରକୁ ତଡ଼ିବାକୁ ଚେଷ୍ଟା କରୁଛନ୍ତି, ତା’ର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ୨ଟି ଛୋଟ ଛୁଆଙ୍କ ସମେତ ୬ଟି ହାତୀ ରାଜ କଲେଜ କଲୋନୀରେ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ କିଛି କାନ୍ଥ ଭାଙ୍ଗି ଦେଇଥିଲେ। ଏହାର ଘଣ୍ଟାକ ପରେ ହାତୀଗୁଡ଼ିକ କଲୋନୀର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଦଳି ଦେଇଥିଲେ।

ହାତୀଗୁଡ଼ିକ ଭଙ୍ଗାରୁଜା ଜାରି ରଖିବାରୁ ହୁଳା ଟିମକୁ ଡକା ଯାଇଥିଲା। ସେମାନେ ନିଆଁ ହୁଳା ଓ ରଡ ଧରି ପହଞ୍ଚି ଯାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହୁଳା ଟିମ ଜଙ୍ଗଲ ବିଭାଗ ଜାଣତରେ ଲୁହା ରଡ ଓ ନିଆଁ ଦ୍ୱାରା ହାତୀଗୁଡ଼ିକୁ ଘଉଡ଼ାଇ ଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି।

Advertisment

ଚାଷ ଜମିରୁ ହାତୀ ପଲକୁ ତଡ଼ିବା ପାଇଁ ଲୋକମାନେ ସାଧାରଣତଃ ହୁଳା ଟିମର ସହାୟତା ନିଅନ୍ତି। ପଶ୍ଚିମବଙ୍ଗରେ ଏହାର ବହୁଳ ବ୍ୟବହାର ରହିଛି। ଏହି ଟିମର ସଦସ୍ୟମାନେ ଏମିତି ଏକ ପତଳା ରଡ୍‌ ଧରି ଥାଆନ୍ତି, ଯାହାର ଅର୍ଗ ଭାଗରେ କିଛି ଧାରୁଆ ଜିନିଷ ଲାଗିଥାଏ। ସେହିପରି ଏମାନେ ଲୁହା ରଡ୍‌ରେ ନିଆଁ ହୁଳା ବାନ୍ଧି ହାତୀକୁ ଡରାନ୍ତି। ୨୦୧୮ରେ ବିନ୍ଦ୍ରା ଓ ଅନ୍ୟ କିଛି ସାମାଜିକ କର୍ମୀ ରୁଜୁ କରିଥିବା ପିଆଇଏଲ ଆଧାରରେ ସୁପ୍ରିମକୋର୍ଟ ହୁଳା ଟିମକୁ ବ୍ୟାନ କରିଥିଲେ।

ତଥାପି ପଶ୍ଚିମବଙ୍ଗରେ ଗୁରୁବାର ହୁଳା ଟିମକୁ ଡକା ଯାଇଥିଲା। କଲୋନୀରେ ପ୍ରବେଶ କରିଥିବା ୬ଟି ହାତୀ ମଧ୍ୟରୁ ଗୋଟିଏ ଧର୍ମପୁର ଫୁଟବଲ ପଡ଼ିଆକୁ ଚାଲି ଯାଇଥିଲା। ସେଠାରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ତାକୁ ଏକାଧିକ ଟ୍ରାଙ୍କୁଲାଇଜର ମାରିଥିଲେ। ପରେ ତା’କୁ ଅନ୍ୟତ୍ର ଛଡ଼ା ଯାଇଥିଲା।

ତେବେ ହୁଳା ଟିମ ଆକ୍ରମଣରେ ଗୋଟିଏ ମାଈ ହାତୀ ଗୁରୁତର ହୋଇଯାଇଥିଲା। ତା’ ମେରୁଦଣ୍ଡରେ ଜଳୁଥିବା ନିଆଁ ରଡ୍‌ ମାଡ଼ ହୋଇଥିଲା। ହାତୀଟି ତଳେ ପଡ଼ି ଯିବାରୁ ତା’କୁ ଜଙ୍ଗଲ ବିଭାଗ ପ୍ରାୟ ୮ ଘଣ୍ଟା ପରେ ଚିକିତ୍ସା ପାଇଁ ନେଇଥିଲା।

ହେଲେ ଆଜି ସକାଳେ ତା’ର ମୃତ୍ୟୁ ହୋଇଛି। ସେହିପରି ଆଉ ଗୋଟିଏ ହାତୀ ମଧ୍ୟ ଗୁରୁତର ହୋଇଥିଲା। ସେ ଚାଲିବାକୁ ସକ୍ଷମ ହେଉ ନଥିବା ବେଳେ ତା’କୁ ବୁଲଡୋଜର ଲଗାଇ ଜଙ୍ଗଲକୁ ପଠାଇ ଦିଆଯାଇଥିବା ପ୍ରେରଣା ସୂଚନା ଦେଇଛନ୍ତି।

West Bengal Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe