Advertisment

ମୁହଁ ଖୋଲିଲେ ଭିନେଶ, ବ୍ରିଜ ଭୂଷଣଙ୍କୁ ଦେଲେ କଡ଼ା ଜବାବ

କଂଗ୍ରେସ ତରଫରୁ ବିଧାୟକ ପ୍ରାର୍ଥୀ ହେବା ପରେ ଆଜି ପ୍ରଥମ ରାଜନୀତିକ ରାଲି କରିଛନ୍ତି ଭିନେଶ ଫୋଗାଟ।

ଅଦ୍ୟତନ ହୋଇଛି
Vinesh Phogat

Vinesh Phogat

Advertisment

ମୁହଁ ଖୋଲିଲେ କୁସ୍ତିଯୋଦ୍ଧାରୁ ରାଜନେତା ପାଲଟିଥିବା ଭିନେଶ ଫୋଗାଟ। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ଫସିଥିବା ପୂର୍ବତନ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଦେଲେ କଡ଼ା ଜବାବ। କହିଲେ- ପ୍ୟାରିସ ଅଲିମ୍ପିକ୍ସରେ ମୋର ପରାଜୟକୁ ନେଇ ଯେଉଁମାନେ ଖୁସି ମନାଉଛନ୍ତି, ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉ। କାରଣ ସେମାନେ ଦେଶକୁ ଅପମାନିତ କରିଛନ୍ତି।

Advertisment

କଂଗ୍ରେସରେ ଯୋଗ ଦେବା ପରେ ହରିୟାଣାର ଜୁଲାନା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭିନେଶ ଫୋଗାଟ ଆଜି ତାଙ୍କର ପ୍ରଥମ ରାଜନୀତିକ ରାଲି କରିବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଯଦି ମୁଁ ପଦକ ଜିତିଥା’ନ୍ତି, ତା’ହେଲେ ତାହା ମୋର ହୋଇନଥା’ନ୍ତା। ତାହା ଦେଶର ହୋଇଥା’ନ୍ତା। ତେଣୁ ସେମାନେ ଦେଶକୁ ଅସମ୍ମାନ କରିଛନ୍ତି।

ଭିନେଶ ଫୋଗାଟ କଂଗ୍ରେସରେ ମିଶିବା ପରେ ବ୍ରିଜ ଭୂଷଣ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ସେ (ଭିନେଶ ଫୋଗାଟ) ଠକେଇ କରି ଅନ୍ୟ ଜଣେ କୁସ୍ତିଯୋଦ୍ଧାଙ୍କ ସ୍ଥାନରେ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଟ୍ରାଏଲ୍ସରେ ଯେଉଁ ଝିଅ ତାଙ୍କୁ ହରାଇଥିଲା, ତାଙ୍କ ସ୍ଥାନରେ ସେ (ଭିନେଶ) ପ୍ୟାରିସ ଅଲିମ୍ପିକ୍ସକୁ ଯାଇଥିଲେ। ହଙ୍ଗାମା କରି ସେ ପ୍ୟାରିସ ଅଲିମ୍ପିକ୍ସକୁ ଯାଇଥିଲେ। ତେଣୁ ତାଙ୍କ ସହିତ ଯାହା ହୋଇଛି, ତାହା ନ୍ୟାୟସଙ୍ଗତ। ତାଙ୍କୁ ତାହା ମିଳିବାର ଥିଲା। ତାଙ୍କୁ ଭଗବାନ ଦଣ୍ଡ ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ହରିୟାଣାର ଅନ୍ୟତମ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଅନୀଲ ବିଜଙ୍କୁ ମଧ୍ୟ ଜବାବ ଦେଇଛନ୍ତି ଭିନେଶ। ଅନୀଲ ବିଜ୍‌ ତାଙ୍କୁ କଂଗ୍ରେସର ଝିଅ କହିଥିଲେ। ଏହାର ଜବାବରେ ଭିନେଶ କହିଛନ୍ତି ଯେ ସେ ଦେଶର ଝିଅ ଓ ସର୍ବଦା ଦେଶର ଝିଅ ହୋଇ ରହିବେ।

ଏହା ସହିତ ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ତାଙ୍କୁ ସାନ୍ତ୍ୱନା ଦେବାକୁ କୌଣସି ବିଜେପି ନେତା ଆସି ନଥିବାରୁ ବର୍ଷିଛନ୍ତି ଭିନେଶ। ସେ କହିଛନ୍ତି, ଯେତେବେଳେ ମୁଁ ପ୍ୟାରିସରୁ ଫେରିଲି, ମୋତେ ସ୍ୱାଗତ କରିବା ପାଇଁ ଏକ ବଡ଼ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା। କିନ୍ତୁ ଏଥିରେ ବିଜେପିରୁ କେହି ସାମିଲ ହୋଇନଥିଲେ। ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଅବା ବିଜେପିର ଅନ୍ୟ କୌଣସି ନେତା ମୋତେ ସ୍ୱାଗତ କରି ନଥିଲେ କି ସମର୍ଥନ କରି ନଥିଲେ। ସେମାନେ କେବଳ ସୋଶାଲ ମିଡିଆରେ ପ୍ରତିକ୍ରିୟା ରଖୁଥିଲେ ଯେ ସେମାନେ ମୋତେ ଏତିକି ଟଙ୍କା ପୁରସ୍କାର ଦେଇଛନ୍ତି। ସମସ୍ତେ ଜାଣନ୍ତି ଯେ କେବଳ ଭୋଟ୍ ପାଇଁ ସେମାନେ ଏକଥା କହୁଥିଲେ।

କଂଗ୍ରେସରୁ ସମର୍ଥନ ପାଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଭିନେଶ ଫୋଗାଟ। ସେ କହିଛନ୍ତି, ମୁଁ କଂଗ୍ରେସର ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଉଛି। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଓ ମୋ ବଡ଼ ଭାଇ ଦୀପେନ୍ଦ୍ର ହୁଡାଙ୍କୁ ଧନ୍ୟବାଦ ଦେଉଛି। ଯେଉଁ ଦଳ ମୋ ଖରାପ ସମୟରେ ମୋ ସହିତ ଛିଡ଼ା ହୋଇଥିଲା, ଏବେ ମୁଁ ତା’ର ଅଂଶ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି।

ଭିନେଶ କଂଗ୍ରେସରେ ଯୋଗ ଦେବା ପରେ ଦେଶର ଅନ୍ୟତମ ଜଣାଶୁଣା ତଥା ପ୍ରସିଦ୍ଧ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଥିଲେ ଯେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ନେଇ ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ୍ ଭୂଷଇ ଶରଣ ସିଂହଙ୍କ ବିରୋଧରେ ଯେଉଁ ଲଢ଼େଇ କରୁଛନ୍ତି, ତାହା ଭିନ୍ନ ରୂପ ନେବ ନାହିଁ।

ସାକ୍ଷୀ ମଲ୍ଲିକଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଭିନେଶ କହିଛନ୍ତି, ସାକ୍ଷୀ ଯାହା କହିଛନ୍ତି, ତାହା ସତ। କିନ୍ତୁ ଆମେ ଏକାଠି ଅଛୁ। ଆମେ ଶେଷ ପର୍ଯ୍ୟନ୍ତ ଏକାଠି ଲଢ଼ିବୁ। ଏହା କେବଳ ସାକ୍ଷୀ ମଲ୍ଲିକଙ୍କ ଲଢ଼େଇ ନୁହେଁ। ଏହା ପ୍ରତ୍ୟେକ ମହିଳାଙ୍କ ଲଢ଼େଇ। ଯେଉଁ ମହିଳା କ୍ରୀଡ଼ାବିତମାନେ ଶୋଷଣର ଶିକାର ହୋଇଛନ୍ତି, ଏହା ସେମାନଙ୍କ ଲଢ଼େଇ। ଏ ଲଢ଼େଇ ଶେଷ ହୋଇନାହିଁ। ଆମେ ଏ ଲଢ଼େଇ କୋର୍ଟରେ ଲଢ଼ୁଛୁ। ତଦନ୍ତକୁ ଦିଗହରା କରିବାକୁ ବିଜେପି ଉଭୟ ଅର୍ଥ ଓ ବାହୁବଳ ପ୍ରୟୋଗ କରୁଛି।

ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ରେକର୍ଡ କରିଥିଲେ ଭିନେଶ ଫୋଗାଟ। ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ସେ ଫାଇନାଲରେ ପହଞ୍ଚିଥିଲେ। କିନ୍ତୁ ୫୦ କେଜି ଓଜନ ବର୍ଗରେ ଖେଳୁଥିବା ଭିନେଶଙ୍କ ଓଜନ ୧୦୦ ଗ୍ରାମ ଅଧିକ ହୋଇଯିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ଓ ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ। ଦୁଇ ଦିନ ତଳେ ସେ ରାଜନୀତିରେ ପାଦ ଥାପିଥିଲେ। ସେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ତାଙ୍କୁ ଚଳିତ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୁଲାନାରୁ ପ୍ରାର୍ଥୀ କରିଛି।

Bjp Congress Brij Bhushan Sharan Singh Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe