Advertisment

ଉଦ୍ଧବଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ବାହାଘରରେ ଯୋଗ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

author-image
Hemant Lenka
Uddhav Thackeray

Uddhav Thackeray

ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଜୋତିର୍ମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ। ଉଦ୍ଧବ ଯେଉଁ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି, ସେ ଯାଏ ତାଙ୍କ ଯନ୍ତ୍ରଣା ଲାଘବ ହେବ ନାହିଁ ବୋଲି ମଧ୍ୟ ଶଙ୍କରାଚାର୍ଯ୍ୟ କହିଛନ୍ତି।

Advertisment

ଉଦ୍ଧବ ଠାକରେଙ୍କ ମାତୋଶ୍ରୀରୁ ଫେରିବା ପରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, “ଆମେ ହିନ୍ଦୁ ଧର୍ମର ଅନୁଗାମୀ। ଆମେ ପାପ ଓ ପୂଣ୍ୟରେ ବିଶ୍ୱାସ କରୁ। ଧୋକା ହେଉଛି ସବୁଠାରୁ ବଡ଼ ପାପ।

ଉଦ୍ଧବ ଠାକରେ ଧୋକା ପାଇଛନ୍ତି। ମୁଁ ତାଙ୍କୁ (ଉଦ୍ଧବ ଠାକରେ) କହିଛି ଯେ ସେ ପାଇଥିବା ଧୋକାରେ ଆମେ ସମସ୍ତେ ଯନ୍ତ୍ରଣା ପାଇଛୁ। ଆମମାନଙ୍କ ଯନ୍ତ୍ରଣା ସେ ପୁଣି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନ ହେବା ଯାଏ ଲାଘବ ହେବ ନାହିଁ।

Advertisment

ଯଦି ଜଣେ ବ୍ୟକ୍ତି ଛଳନା କରୁଛି, ତା’ହେଲେ ସେକେବେ ହେଲେ ହିନ୍ଦୁ ହୋଇପାରିବ ନାହିଁ। ମହାରାଷ୍ଟ୍ରର ଲୋକମାନେ ଧୋକା ଯୋଗୁ ଆଘାତ ପାଇଛନ୍ତି। ଏସବୁ ନିକଟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରୁ ମଧ୍ୟ ସ୍ପଷ୍ଟ ହୋଇଛି।

ଏଥିସହ ଏପରି ଧୋକା ନିଜର ନେତା ବାଛିଥିବା ଲୋକଙ୍କ ପ୍ରତି ଅସମ୍ମାନ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗୋଟିଏ ସରକାରକୁ ଭାଙ୍ଗିବା ଭୁଲ। ଏହା ଜନାଦେଶ ପ୍ରତି ଅପମାନ।”

ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସ ସହ ହାତ ମିଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଶିବସେନା ନେତା ଏକନାଥ ସିନ୍ଦେ ଦଳର ୪୦ ଜଣ ବିଧାୟକଙ୍କୁ ଧରି ବିଦ୍ରୋହ କରିଥିଲେ।

ସେ ବିଜେପି ସହ ମିଶି ଯିବାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା। ପରବର୍ତ୍ତୀ ସମୟରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସିନ୍ଦେ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ମଧ୍ୟ ପ୍ରକୃତ ଶିବସେନାର ମାନ୍ୟତା ଦେଇଥିଲେ।

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ବାହାଘରରେ ଯୋଗ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏ ସମ୍ପର୍କରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, “ସେ ମୋ ପାଖକୁ ଆସିଥିଲେ ଓ ପ୍ରଣାମ କରିଥିଲେ। ଆମର ପରମ୍ପରା ହେଲା ଯିଏ ଆମ ପାଖକୁ ଆସିବେ, ଆମେ ତାଙ୍କୁ ଆଶୀର୍ବାଦ କରିବୁ।

ତେଣୁ ମୁଁ ତାଙ୍କୁ ଆଶୀର୍ବାଦ କରିଥିଲି। ନରେନ୍ଦ୍ର ମୋଦି ଆମର ଶତ୍ରୁ ନୁହନ୍ତି। ଆମେ ତାଙ୍କର ଶୁଭେଚ୍ଛୁ। ସବୁବେଳେ ତାଙ୍କ କଲ୍ୟାଣ କାମନା କରୁଛୁ। ଯଦି ସେ ଭୁଲ କରିବେ, ତା’ହେଲେ ଆମେ ସେଗୁଡ଼ିକ ମଧ୍ୟ ତାଙ୍କୁ ଅବଗତ କରାଇବୁ।”

Uddhav Thackeray Maharashtra