କିଛି ଦିନର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀରେ ପୁଣି ହୋଇଛି ଏନକାଉଣ୍ଟାର। ଆଜି ଭୋର ସମୟରେ ଦିଲ୍ଲୀର ରୋହିନୀ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ କଣ୍ଟ୍ରାକ୍ଟ କିଲର କାମିଲ ଧରା ପଡ଼ିଛି। ପୁଲିସ୍ ଗୁଳିରେ ଜଖମ ପାଇଥିବା କାମିଲକୁ ଗିରଫ କରିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ କହିଛି ଯେ ରୋହିନୀ ଅଞ୍ଚଳରେ କାମିଲ ରହିଥିବା ଖବର ପାଇବା ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେ ଲୁଚି ଥିବା ସ୍ଥାନକୁ ଘେରା ବନ୍ଦୀ କରି ପୁଲିସ୍ ତାକୁ ଆତ୍ମସମର୍ପଣ କରିବାକୁ କହିଥିଲା। ହେଲେ ସେ ଗୁଳି ମାଡ଼ କରିଥିଲା।
ଏହାର ଜବାବ ମଧ୍ୟ ପୁଲିସ୍ ପକ୍ଷରୁ ଦିଆଯାଇଥିଲା। ଏନକାଉଣ୍ଟର ଚାଲିଥିବା ବେଳେ କାମିଲ ଖସିଯିବାକୁ ଚେଷ୍ଟା କରିଥିଲା। ଏତିକି ବେଳେ ଗୋଟିଏ ଗୁଳି ତାହା ଗୋଡ଼ରେ ବାଜିବାରୁ ସେ ଆଉ ଆଗକୁ ଯାଇ ପାରି ନଥିଲା। ପୁଲିସ୍ ତା’କୁ ସେଭଳି ଅବସ୍ଥାରେ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି।
କାମିଲ ଠାରୁ ଗୋଟିଏ ତୁର୍କୀ ନିର୍ମିତ ଜିଗାନା ପିସ୍ତଲ ଜବତ କରାଯାଇଛି। ଏପ୍ରିଲ ମାସରେ ଉତ୍ତର ପ୍ରଦେଶର ଡନ୍ ଅତିକ ଅହମଦଙ୍କୁ ମଧ୍ୟ ଏହି ଜିଗାନା ପିସ୍ତଲରେ ଗୁଳି କରି ହତ୍ୟା କରାଯାଇଥିଲେ। ଏବେ କାମିଲ ପାଖରୁ ମଧ୍ୟ ଉକ୍ତ ବ୍ରାଣ୍ଡର ବନ୍ଧୁକ ମିଳିଛି।
ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କାମିଲ ନାଁରେ ୧୨ରୁ ଅଧିକ ମାମଲା ରହିଛି। ଦିଲ୍ଲୀର ଜାମା ମସଜିଦ ନିକଟରେ ହୋଇଥିବା ଗୁଳିମାଡ଼ ଘଟଣାରେ ମଧ୍ୟ ସେ ସାମିଲ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।