/odisha-reporter/media/post_attachments/uploadimage/library/16_9/16_9_0/Waqf_1744186050.jpg)
Waqf
ସଂସଦର ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ୱାକଫ ସଂଶୋଧନ ବିଲ ୨୦୨୫ ମଙ୍ଗଳବାର ଠାରୁ ଆଇନରେ ପରିଣତ ହୋଇଛି। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ୱାକଫ ଆଇନ ୨୦୨୫ ପୂରା ଦେଶରେ ଲାଗୁ ହୋଇଥିବା କହିଛନ୍ତି। ହେଲେ ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ଏହି ବିବାଦୀୟ ଆଇନକୁ କାର୍ଯ୍ୟକାରୀ କରିବ ନାହିଁ ବୋଲି ଘୋଷଣା କରିଛି।
ୱାକଫ ଆଇନ ବିରୋଧରେ ବେଙ୍ଗଲର ବିଭିନ୍ନ ସ୍ଥାନରେ ମୁସଲିମ ସଂପ୍ରଦାୟର ଲୋକମାନେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିଛି। ସ୍ଥିତି ଦିନକୁ ଦିନ ବିସ୍ଫୋରକ ରୂପ ନେଉଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ୱାକଫ ଆଇନ ଲାଗୁ ହେବ ନାହିଁ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସମ୍ପତ୍ତିର ସୁରକ୍ଷା ବେଙ୍ଗଲ ସରକାର କରିବେ ବୋଲି ମମତା କହିଛନ୍ତି।
ସେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଏକାଠି ରହିବାକୁ କହିବା ସହ ରାଜନୀତିକ ବୟାନବାଜୀରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ଏଥିସହ ପଶ୍ଚିମବଙ୍ଗରେ ୱାକଫ ଆଇନ ଆଇନ ଲାଗୁ ହେବ ନାହିଁ ଓ ସେ ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ସେମାନଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କୋଲକାତାରେ ନବକର ମହାମନ୍ତ୍ର ଦିବସ କାର୍ଯ୍ୟକ୍ରମେ ମମତା କହିଛନ୍ତି, “ୱାକଫ ସମ୍ପତ୍ତି ପ୍ରସଙ୍ଗକୁ ନେଇ ଆପଣମାନେ କଷ୍ଟରେ ଅଛନ୍ତି। କିନ୍ତୁ ଆପଣମାନେ ବିଶ୍ୱାସ ରଖନ୍ତୁ ଯେ ବେଙ୍ଗଲରେ କୌଣସି ପ୍ରକାରର ଭାଗବଣ୍ଟା ସ୍ଥିତି ଉପୁଜିବ ନାହିଁ। ଦୟା କରି ମନେ ରଖନ୍ତୁ, ଦିଦି ଆପଣମାନଙ୍କୁ ଓ ଆପଣମାନଙ୍କର ସମ୍ପତ୍ତିର ସୁରକ୍ଷା କରିବ। ବେଙ୍ଗଲରେ ରହୁଥିବା ସମସ୍ତଙ୍କର ଅଧିକାରର ସୁରକ୍ଷା କରିବା ଆମର କର୍ତ୍ତବ୍ୟ।”
ମମତା ବାନାର୍ଜୀ ମୁସଲିମ ସଂପ୍ରଦାୟର ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ରାଜନୀତିକ ଟ୍ରାପ୍ରେ ନ ଫସିବା ପାଇଁ ବି କହିଛନ୍ତି। ସେ କହିଛନ୍ତି, “ଯଦି କେହି ଆପଣମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟରେ ଏକାଠି ହେବାକୁ କୁହନ୍ତି, ତା’ହେଲେ ଦୟା କରି ସେମିତି କରନ୍ତୁ ନାହିଁ। ଯଦି ଆମେ ଏକାଠି ରହିବା, ତା’ହେଲେ ବିଶ୍ୱକୁ ବିଜୟ କରିପାରିବା। ବାଂଲାଦେଶର ସ୍ଥିତିକୁ ଦେଖନ୍ତୁ। ୱାକଫ ବିଲ ଏବେ ପାସ୍ ହେବାର ନଥିଲା।”
ଜୁମଲା ବା ମିଛ ରାଜନୀତି ଦ୍ୱାରା କେନ୍ଦ୍ର ସରକାର ଦେଶକୁ ଭାଗଭାଗ କରିବାକୁ ଚାହୁଁଥିବା ମମତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଜୁମଲା ପାର୍ଟିର ଗୋଟିଏ ମାତ୍ର ଲକ୍ଷ୍ୟ ହେଲା ଦେଶକୁ ଭାଗଭାଗ କରିବା। ପ୍ରଥମେ ସେମାନେ ସମ୍ବିଧାନକୁ ସମ୍ମାନ ଦେବା ଶିଖନ୍ତୁ। ଏହାପରେ କାହାର ଅଧିକାର ଛଡ଼ାଇ ନେବା ସମ୍ପର୍କରେ କଥା କହିବେ।”
ମମତା ଆହୁରି କହିଛନ୍ତି, “କିଛି ଲୋକ ମୋତେ ପଚାରୁଛନ୍ତି ଯେ ମୁଁ କାହିଁକି ସବୁ ଧାର୍ମିକ ସ୍ଥାନକୁ ଯାଉଛି? ମୁଁ କହିବାକୁ ଚାହୁଁଛି ଯେ ଜୀବନ ବ୍ୟାପୀ ମୋର ବୁଲିବା ଜାରି ରହିବ। ଯଦି ଆପଣ ମୋତେ ଗୁଳି କରି ଦେବେ, ତା’ହେଲେ ବି ମୋତେ ଏକତା ପ୍ରତିଷ୍ଠାରୁ ଅଲଗା କରିପାରିବେ ନାହିଁ। ବେଙ୍ଗଲରେ ଭାଗବଣ୍ଟା ରାଜନୀତିକ ହୋଇ ପାରିବ ନାହିଁ। ବଞ୍ଚନ୍ତୁ ଓ ବଞ୍ଜିବାକୁ ଦିଅନ୍ତୁ।” ବେଙ୍ଗଲରେ ମୁସଲିମଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୦%। ଏମାନେ କ୍ଷମତାସୀନ ଟିଏମସିର ସବୁଠାରୁ ବଡ଼ ଭୋଟ ବ୍ୟାଙ୍କ। ଏବେ ସେମାନେ ହିଂସାରେ ମାତି ଥିବାରୁ ଏହାର ପ୍ରଭାବ ୨୦୨୬ ବେଙ୍ଗଲ ବିଧାନସଭା ନିର୍ବାଚନ ଉପରେ ପଡ଼ିବାରେ। ତେଣୁ ମୁସଲିମ ଭୋଟ ବ୍ୟାଙ୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଟିଏମସି ସୁପ୍ରିମୋ ମମତା ରାଜ୍ୟରେ ୱାକଫ ଆଇନ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିଥିବା ଚର୍ଚ୍ଚା ହେଉଛି।
ମଙ୍ଗଳବାର କେନ୍ଦ୍ର ସରକାର ୱାକଫ ଆଇନ ଦେଶରେ ଲାଗୁ ହେବା କଥା ଘୋଷଣା କରିବା ମାତ୍ରେ ବେଙ୍ଗଲର ମୁର୍ଶିଦାବାଦରେ ହିଂସାତ୍ମକ ବିକ୍ଷୋଭ ଦେଖା ଯାଇଥିଲା। ଏଠାରେ ବିକ୍ଷୋଭକାରୀ ଗୋଟିଏ ପୁଲିସ୍ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସ୍ଥିତି ବିଗିଡ଼ିବାରୁ ବିଭ୍ରାନ୍ତୀକର ତଥ୍ୟର ପ୍ରଚାର ଆଶଙ୍କାରେ ପ୍ରଶାସନ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଥିଲା।
ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ହିଂସା ବେଳର କିଛି ତଥାକଥିତ ଭିଡିଓ ଶେୟାର କରିବା ସହ ଘଟଣା ପାଇଁ ମମତା ବାନାର୍ଜୀଙ୍କ ମୁସଲିମ ତୁଷ୍ଟୀକରଣ ରାଜନୀତିକୁ ଦାୟୀ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
