Advertisment

ୱାକଫ ସଂଶୋଧନ ବିଲକୁ ନେଇ ବିବାଦ କାହିଁକି?

ଗୋଟିଏ ଶବ୍ଦରେ କହିବାକୁ ଗଲେ ୱାକଫ ହେଉଛି ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟ ବା ଧାର୍ମିକ ଦାନ।

author-image
Hemant Lenka
Waqf

Waqf

ୱାକଫ ଆଇନ ୧୯୯୫କୁ ସଂଶୋଧନ କରିବା ପାଇଁ ଆଜି କେନ୍ଦ୍ର ସରକାର ଲୋକସଭାରେ ଗୋଟିଏ ବିଲ ଆଗତ କରିଛନ୍ତି। ୱାକଫ ସଂଶୋଧିତ ବିଲ ଲୋକସଭାରେ ଆଗତ ହେବା ପରେ ଏହାକୁ ନେଇ ବିତର୍କ ଚାଲିଛି। ବିଲକୁ ନେଇ ଶାସନ ଏନଡିଏ ଓ ବିରୋଧୀ ଇଣ୍ଡିଆ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ବିଲକୁ ପାରିତ କରିବା ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ରହିଛି। ରାଜ୍ୟସଭାରେ ମଧ୍ୟ ମଧ୍ୟ ବିଲକୁ ପାରିତ କରିବା ପାଇଁ ୧୧୮ ସାଂସଦଙ୍କ ଆବଶ୍ୟକ ରହିଥିବା ବେଳେ ଏନଡିଏ ପାଖରେ ୧୨୫ ଜଣ ସାଂସଦ ରହିଛନ୍ତି।

Advertisment

ବିଲ୍‌ରେ ୱାକଫ ଆକ୍ଟ ୧୯୯୫କୁ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୁସଲିମମାନେ ଦାନ ଆକାରରେ ଦେଇଥିବା ସମ୍ପତ୍ତିର ପରିଚାଳନା ବ୍ୟବସ୍ଥା ଉକ୍ତ ଆଇନରେ ଉଲ୍ଲେଖ ରହିଛି। ପ୍ରଥମେ ଏହାକୁ ସଂଶୋଧନ କରବା ପାଇଁ ଗୋଟିଏ ବିଲ ଗତବର୍ଷ ଅଗଷ୍ଟ ମାସରେ ସଂସଦରେ ଆଗତ କରାଯାଇଥିଲା। ହେଲେ ମୁସଲିମ ସଂଗଠନ ଓ ବିରୋଧୀଙ୍କ ବିଦ୍ରୋହ ଯୋଗୁ ଏହା ଯୁଗ୍ମ ସଂସଦୀୟ କମିଟି ବା ଜେପିସି ନିକଟକୁ ପଠାଇ ଦିଆଯାଇଥିଲା। ଜେପିସିରେ ୧୪ଟି ସଂଶୋଧନ ସହ ବିଲକୁ ପୁଣି ଆଜି ଲୋକସଭାରେ ଆଗତ କରାଯାଇଛି। ବିରୋଧୀ ଜେପିସି ବୈଠକ ବେଳେ ବିଲରେ ୪୪ଟି ସଂଶୋଧନର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଜେପିସିର ଅଧ୍ୟକ୍ଷତା କରୁଥିବା ବିଜେପି ସାଂସଦ ଜଗଦମ୍ବିକରା ପଲ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ୱାକଫ କ’ଣ?

ଗୋଟିଏ ଶବ୍ଦରେ କହିବାକୁ ଗଲେ ୱାକଫ ହେଉଛି ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟ ବା ଧାର୍ମିକ ଦାନ। ବିଶେଷ କରି ମୁସଲିମାନେ ଦାନା ଆକାରରେ ଦେଉଥିବା ସମ୍ପତ୍ତିକୁ ଏହା ବୁଝାଏ। ଅଧିକାଂଶ ଦାନ ସୂତ୍ରରେ ମିଳୁଥିବା ସମ୍ପତ୍ତିର ବୈଧ ଦସ୍ତାବିଜ ନଥାଏ। ବିଭିନ୍ନ ମସଜିଦ, କବରସ୍ଥାନ, ମଦ୍ରାସା ଓ ଅନାଥ ଆଶ୍ରମଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ଦାନ ସୂତ୍ରରେ ମିଳିଥିବା ସମ୍ପତ୍ତିକୁ ବ୍ୟବହାର କରାଯାଏ।

Advertisment

ଥରେ ଯଦି ଗୋଟିଏ ସମ୍ପତ୍ତି ୱାକଫର ମାନ୍ୟତା ପାଇବ, ତା’ହେଲେ ଏହାକୁ ବିକ୍ରି କିମ୍ବା ଏହାର ମାଲିକାନା ସ୍ୱତ୍ତଃ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ରିପୋର୍ଟ ଅନୁସାରେ ୱାକଫ ବୋର୍ଡଗୁଡ଼ିକ ପାଖରେ ୮.୭୨ ଲକ୍ଷ ସମ୍ପତ୍ତି ସମଗ୍ର ଦେଶରେ ରହିଛି। ଏହା ୯.୪ ଲକ୍ଷ ଏକର ପରିଧି ମଧ୍ୟରେ ଅଛି। ବାର୍ଷିକ ୱାକଫ ସମ୍ପତ୍ତିରୁ ପ୍ରାୟ ୨୦୦ କୋଟି ଟଙ୍କା ମିଳିଥାଏ।

ସଂଶୋଧିତ ବିଲରେ କୁହାଯାଇଛି ଯେ ନୂଆ ୱାକଫ ଆଇନରେ ୱାକଫ ସମ୍ପତ୍ତିକୁ ସରକାର ନିୟମିତ କରିପାରିବେ ଓ ଏହାକୁ ନେଇ ବିବାଦକୁ ନିଜ ଇଚ୍ଛା ଅନୁସାରେ ସମାଧାନ କରିପାରିବେ। ଏପରି ବ୍ୟବସ୍ଥାକୁ ମୁସଲିମ ସଂଗଠନ ଓ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଛନ୍ତି।

ୱାକଫ ବିଲକୁ ନେଇ କାହିଁକି ବିବାଦ ଦେଖାଯାଇଛି?

ନୂଆ ୱାକଫ ବିଲରେ ଏକାଧିକ ପରିବର୍ତ୍ତନ କରାଯାଇଛି। କିନ୍ତୁ ଏଥିରେ ହୋଇଥିବା ୫ ପ୍ରମୁଖ ପରିବର୍ତ୍ତନ ବିବାଦ ସୃଷ୍ଟି କରିଛନ୍ତି। ଏହାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ବା ଏଆଇଏମପିଏଲବି ସମେତ ମୁସଲିମ ସଂଗଠନ ଗୁଡ଼ିକ ବିରୋଧ କରୁଛନ୍ତି।

ବିଲ୍‌ରେ ଗୋଟିଏ ପ୍ରସ୍ତାବ ଦିଆଯାଇଛି ଯେ କେନ୍ଦ୍ରୀୟ ୱାକଫ ପରିଷଦ ଓ ରାଜ୍ୟ ୱାକଫ ବୋର୍ଡଗୁଡ଼ିକରେ ଗଠନରେ ପରିବର୍ତ୍ତନ ହୋଇପାରିବ। ବୋର୍ଡ ଓ ପରିଷଦରେ ୨ ଜଣ ଅଣ ମୁସଲିମ ରହିବା ବିଲରେ ବାଧ୍ୟତାମୂଳକ କରାଯାଇଛି।

ଦ୍ୱିତୀୟରେ ପ୍ରସ୍ତାବ ଦିଆଯାଇଛି ଯେ ବିବାଦ ସମୟରେ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ ବିବାଦୀୟ ସମ୍ପତ୍ତି ୱାକଫର ନା ସରକାରଙ୍କର ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଜେପିସିକୁ ଯିବା ପୂର୍ବରୁ ଆସିଥିବା ବିଲରେ ଏପରି କ୍ଷମତା ଜିଲ୍ଲାପାଳମାନଙ୍କୁ ଦିଆଯାଇଥିଲା। କିନ୍ତୁ ଜେପିସିରେ ଏହାକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ପ୍ରଚଳିତ ଆଇନରେ ବିବାଦ ସମୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର କ୍ଷମତା ୱାକଫ ଟ୍ରିବ୍ୟୁନାଲ ପାଖରେ ରହିଛି। ବିରୋଧୀ ଓ ମୁସଲିମ ସଂଗଠନଗୁଡ଼ିକ ଯୁକ୍ତି କରିଛନ୍ତି ଯେ ଜଣେ ସରକାରୀ ଅଧିକାରୀ କେବେ ହେଲେ ବିବାଦୀୟ ସମ୍ପତ୍ତି ମାମଲାରେ ସରକାରଙ୍କ ବିରୋଧରେ ରାୟ ଦେଇ ପାରିବେ ନାହିଁ।

ବିଲ୍‌ରେ ୱାକଫ ଟ୍ରିବ୍ୟୁନାଲ ଗଠନରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି। ୱାକଫ ଟ୍ରିବ୍ୟୁନାଲରେ ଜଣେ ଜିଲ୍ଲା ଜଜ ଓ ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ରହିବେ। ଅଧିକାରୀ ଜଣଙ୍କ ଯୁଗ୍ମ ସଚିବ ପାହ୍ୟାର ଅଫିସର ହୋଇଥିବା ଦରକାର। ୱାକଫ ଟ୍ରିବ୍ୟୁନାଲର ରାୟକୁ ମଧ୍ୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାର ପ୍ରାବଧାନ ବିଲରେ ରହିଛି।

ବିଲରେ ଥିବା ୪ର୍ଥ ପ୍ରସ୍ତାବ ହେଲା ଆଇନ ଆସିବାର ୬ ମାସ ମଧ୍ୟରେ ପ୍ରତିଟି ୱାକଫ ସମ୍ପତ୍ତି ଗୋଟିଏ କେନ୍ଦ୍ରୀୟ ପୋର୍ଟାଲରେ ପଞ୍ଜିକୃତ ହେବେ। ତେବେ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ୱାକଫ ଟ୍ରିବ୍ୟୁନାଲ ପଞ୍ଜୀକରଣ ସମୟକୁ ବୃଦ୍ଧି କରିପାରିବେ।

ବିବାଦରେ ଥିବା ଆଉ ଗୋଟିଏ ପ୍ରସ୍ତାବ ହେଲା 'waqf by user' କ୍ଲଜ। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସମ୍ପତ୍ତି ଦୀର୍ଘ ସମୟ ଧରି ବିନା କୌଣସି ବୈଧ ଦସ୍ତାବିଜରେ ଧାର୍ମିକ କିମ୍ବା ଚ୍ୟାରିଟେବୁଲ କାମ ପାଇଁ ବ୍ୟବହାର କରାଯାଉଛି, ତା’ହେଲେ ସେହି ସମ୍ପତ୍ତିକୁ ୱାକଫ ଭାବେ ବିବେଚନା କରାଯିବ। ଏନଡିଏର ସହଯୋଗୀ ଜେଡିୟୁ ଓ ଟିଡିପି ଏହି ପ୍ରସ୍ତାବକୁ ପିଛିଲା ଭାବେ ଲାଗୁ ନ କରିବାକୁ ପ୍ରସ୍ତାବ ଦେବାରୁ ଜେପିସି ଏହା ଲାଗୁ ନ କରିବାକୁ କହିଛି।

ବିଜେପି ବନାମ ବିରୋଧୀ

ବିଲକୁ ନେଇ କ୍ଷମତାସୀନ ବିଜେପି ଓ ବିରୋଧୀ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ବିରୋଧୀ ଏହାକୁ ଅସାମ୍ବିଧାନିକ ଓ ମୁସଲିମ ସଂପ୍ରଦାୟର ସ୍ୱାର୍ଥ ବିରୋଧୀ ବିଲ ଭାବେ ଅବିହିତ କରିଛନ୍ତି। ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଯେ ମୁସଲିମମାନଙ୍କ ଧାର୍ମିକ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ଏପରି ବିଲ ଅଣାଯାଇଛି। ୱାକଫ ସଂଶୋଧନ ବିଲକୁ ସେ ୱାକଫ ବରବାଦ ବିଲ ଭାବେ ନାମିତ କରିଛନ୍ତି। ଓୱେସୀ କହିଛନ୍ତି, “ବିଲ ହେଉଛି ଅସାମ୍ବିଧାନକ। ଯଦି ଜଣେ ଅଣ ହିନ୍ଦୁ କେବେ ହେଲେ ବି ହିନ୍ଦୁ ଧର୍ମ ସହ ଜଡ଼ିତ ବୋର୍ଡର ସଦସ୍ୟ ହୋଇ ପାରିବେ ନାହିଁ, ତା’ହେଲେ ୱାକଫ ବୋର୍ଡରେ ସେମାନେ କାହିଁକି ଅଣ ହିନ୍ଦୁ ସଦସ୍ୟ ରହିବା ବାଧ୍ୟତାମୂଳକ କରୁଛନ୍ତି?”

କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ ଦାବି କରିଛନ୍ତି ଯେ ବିରୋଧୀ ନିରୀହ ମୁସଲିମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ସରକାର ସେମାନଙ୍କ ମୁସଜିଦ ଓ କବରସ୍ଥାନ ନେଇଯିବେ ବୋଲି ବିରୋଧୀ କରୁଥିବା ଦାବି ସଂପୂର୍ଣ୍ଣ ଭିତ୍ତିହୀନ।

Waqf Act Repeal Of Waqf Act Waqf Board Amendment Bill