Water Leakage
ବର୍ଷେ ତଳେ ଖୋଲିଥିଲା ନୂଆ ସଂସଦ ଭବନ। ଏବେ ଏହାର ଛାତରୁ ଗଳୁଛି ପାଣି। ଏକଥା ଆମେ କହୁନୁ ସାମ୍ନାକୁ ଆସିଥିବା ଭିଡିଓରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ନୂଆ ସଂସଦ ଭବନ ଭିତରେ ପାଣି ଲିକ୍ ହେଉଥିବା ନଜର ଆସିଛି।
ତାମିଲନାଡୁର ବିରୁଧୁନଗର ଲୋକସଭା ଆସନରୁ କଂଗ୍ରେସ ସାଂସଦ ମାଣିକମ୍ ଟାଗୋରଙ୍କ ଦ୍ୱାରା ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେୟାର କରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ନୂଆ ସଂସଦ ଭବନ ଛାତରୁ ପାଣି ଲିକ୍ ହେଉଛି। ତଳେ ପଡୁଥିବା ପାଣି ଯେପରି ଚାରିଆଡେ ବିସ୍ତାର ନହୁଏ ସେଥିପାଇଁ ଚଟାଣରେ ଗୋଟିଏ ବାଲ୍ଟି ମଧ୍ୟ ରଖାଯାଇଛି।
ଏହି ଭିଡିଓକୁ ସେୟାର କରି କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସୋଶାଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି ଯେ, 'ବାହାରେ ପେପର୍ ଲିକ୍ ଓ ଭିତରେ ଓ୍ୱାଟର୍ ଲିକ୍। ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ ସଂସଦ ଲବିରେ ହେଉଥିବା ପାଣି ଲିକ ନୂତନ ବିଲ୍ଡିଂରେ ପାଣିପାଗ ସମ୍ବନ୍ଧୀୟ ସମସ୍ୟାକୁ ଦର୍ଶାଯାଇଛି। ସଂସଦ ଭବନ ନିର୍ମାଣକୁ ମାତ୍ର ବର୍ଷେ ପୂରିବା ପରେ ପରେ ହିଁ ଏହି ଦୃଶ୍ୟ ସାମ୍ନାକୁ ଆସିଛି।'
ସେପଟେ ସଂସଦ ଭବନ ଛାତରୁ ପାଣି ଗଳୁଥିବା ଭିଡିଓ ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ବିଜେପିକୁ ବାଣ ମାରିଛନ୍ତି। ସେ ସୋଶାଲ ମିଡିଆ ପୋଷ୍ଟରେ କହିଛନ୍ତି, 'ପୁରୁଣା ସଂସଦ ଭବନ ଏହି ନୂତନ ସଂସଦ ଭବନ ଅପେକ୍ଷା ଭଲ ଥିଲା, ଯେଉଁଠାରେ ପୁରୁଣା ସାଂସଦମାନେ ଆସି ସାକ୍ଷାତ କରିପାରୁଥିଲେ।'
'ବିଜେପି ସରକାରଙ୍କ ଅଧୀନରେ ନିର୍ମିତ ପ୍ରତ୍ୟେକ ନୂଆ ବିଲ୍ଡିଂ ଛାତରୁ ପାଣି ଗଳୁଛି। ଏହା ସେମାନଙ୍କ ଭାବି ଚିନ୍ତି ତିଆରି କରାଯାଇଥିବା ଡିଜାଇନ୍ର ଏକ ଅଂଶ ନା ଆଉ କିଛି...। ଯେତେ ଯାଏଁ କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ନୂଆ ସଂସଦ ଭବନର ପାଣି ଲିକେଜ କାର୍ଯ୍ୟକ୍ରମ ଜାରି ରହିଛି ସେତେ ସମୟ ପର୍ଯ୍ୟନ୍ତ ଚାଲନ୍ତୁ ପୁରୁଣା ସଂସଦ ଭବନକୁ ପଳେଇବା।'
କହିରଖୁ ଯେ, ଦିଲ୍ଲୀରେ ଗତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ବିଭିନ୍ନ ଘରର ଛାତ ମଧ୍ୟ ଭୁଶୁଡି ପଡିଛି। ରାସ୍ତାରେ ଅଣ୍ଟା ଯାଏଁ ପାଣି ଜମି ରହିଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ଉପୁଜିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us