କେରଳ ଜଳପ୍ରଳୟ ମୃତ୍ୟୁସଂଖ୍ୟା ୨୦୦ ଡେଇଁଲା, ଢୁଢୁ ବର୍ଷାରେ ଚାଲିଛି ଜୀବନ ଖୋଜା

ବର୍ତ୍ତମାନ ସୁଦ୍ଧା ୱାୟନାଡରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୨୦୫ ଛୁଇଁଥିବା ରିପୋର୍ଟ ପ୍ରକାଶ ପାଇଛି। ଏବେ ବି ୨୦୦ରୁ ଅଧିକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଚାଲିଛି ଉଦ୍ଧାର କାର୍ଯ୍ୟ

  • Published: Wednesday, 31 July 2024
  • , Updated: 31 July 2024, 08:11 PM IST

କେରଳର ୱାୟନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୦୦ ପାର କରିଛି। ୱାୟନାଡର ମୁଣ୍ଡାକ୍କାଇ ଓ ଚୋରାରମାଲାରେ ଭୂସ୍ଖଳନ ପରେ ନଦୀ ଜଳ ଗାଁ ଭିତରେ ପଶି ମୃତ୍ୟୁର ତାଣ୍ଡବ ରଚିଛି।

ବର୍ତ୍ତମାନ ସୁଦ୍ଧା ୱାୟନାଡରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୨୦୫ ଛୁଇଁଥିବା ରିପୋର୍ଟ ପ୍ରକାଶ ପାଇଛି। ଏବେ ବି ୨୦୦ରୁ ଅଧିକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଉଦ୍ଧାର କାର୍ଯ୍ୟରେ ସେନା ବାହିନୀର ଯବାନଙ୍କ ଠାରୁ ଆରମ୍ଭ କରି ସନ୍ଧାନୀ କୁକୁର ନିୟୋଜିତ ହୋଇଛନ୍ତ। ସମସ୍ତେ ମାଟି ଓ ପଙ୍କ ତଳୁ ଜୀବନ ସନ୍ଧାନରେ ଲାଗିଛନ୍ତି। ଢୁଢ଼ୁ ବର୍ଷାରେ ବି ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଉଛି।

କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪୪ଟି ମୃତଦେହ ମିଳିଛି। ଏମାନଙ୍କ ମଧ୍ୟରେ ୭୯ ଜଣ ପୁରୁଷ ଓ ୬୪ ଜଣ ମହିଳା ରହିଛନ୍ତି। ସେହିପରି ୧୯୧ ଜଣ ନିଖୋଜ ଥିବା ରିପୋର୍ଟରୁ ଜଣାପଡ଼ିଛି।

ଦୁଇ ଦିନ ଭିତରେ ମାଟି ତଳୁ ଓ ଭଗ୍ନସ୍ତୁପ ତଳୁ ୧୫୯୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହୁରି ଅନେକ ଲୋକ ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ସେହିପରି ଭୂସ୍ଖଳନ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସାରିଥିବା ଗାଁ ଗୁଡ଼ିକରୁ ଅତିରିକ୍ତ ୧୩୮୬ ଜଣଙ୍କୁ ଉଦ୍ଧାର କରାଯାଇ ୭ଟି କ୍ୟାମ୍ପରେ ରଖାଯାଇଛି। ୨୦୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୧ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ମୋଟ ଉପରେ ୮୦୧୭ ଜଣ ଲୋକ ଏବେ ୮୨ଟି ରିଲିଫ କ୍ୟାମ୍ପରେ ରହିଛନ୍ତି।

ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଠାବ କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଖାଦ୍ୟ ଓ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ପୁଲିସ୍‌, ୩ଟି ଯାକ ସେନା ବାହିନୀର ସଦସ୍ୟ ଓ ସ୍ଥାନୀୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ୮୨ଟି କ୍ୟାମ୍ପରେ ଥିବା ୮୦୧୭ ଜଣ ଲୋକଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ରହିଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମେପ୍ପାଡିରେ ୮ଟି କ୍ୟାମ୍ପ କରାଯାଇ ୪୨୧ଟି ପରିବାରର ୧୪୮୬ ଜଣଙ୍କୁ ରଖାଯାଇଛି।

ନଦୀରେ ଭାସି ଯାଇ ମାଲାପୁରମ୍ମ ଜିଲ୍ଲାରେ ଲାଗିଥିବା ମୃତଦେହକୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ମୋଟ ଉପରେ ୧୧୬୭ ଜଣ ସଦସ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଏମାନଙ୍କ ମଧ୍ୟରେ ୬୪୫ ଜଣ ଅଗ୍ନିଶମ ବାହିନୀ, ୯୪ ଜଣ ଏନଡିଆରଏଫ, ୧୬୭ ଡିଏସ୍‌ସି, ୧୫୩ ଜଣ ଏମଇଜି ସଦସ୍ୟ ଓ ତଟରକ୍ଷୀ ବାହିନୀର ସଦସ୍ୟ ରହିଛନ୍ତି।

ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଗୋଟିଏ ଅସ୍ଥାୟୀ ବ୍ରିଜ ମଙ୍ଗଳବାର ତିଆରି କରାଯାଇଥିଲା। ଚୋରାଲମାଲାରୁ ଲୋକଙ୍କୁ ହସ୍ପିଟାଲ ନେବା ପାଇଁ ଏହି ବ୍ରିଜର ବ୍ୟବହାର କରାଯାଉଛି। ମାଟିତଳୁ ଲୋକଙ୍କୁ ବାହାର କରି ଏୟାରଫୋର୍ସର ହେଲିକପ୍ଟରରେ ମଧ୍ୟ ହସ୍ପିଟାଲ ନିଆଯାଉଛି।

ମାଟି ତଳେ ବଞ୍ଚି ରହିଥିବା ଲୋକଙ୍କୁ ଠାବ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନିଆଯାଇଛି। ଅବସରପ୍ରାପ୍ତ ମେଜର ଜେନେରାଲ ଇନ୍ଦ୍ରବାଲାନଙ୍କ ନାତୃତ୍ୱରେ ଏହି ଟିମ କାମ କରୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Related story