Advertisment

ମହା ବୈଠକରେ ପରେ ଏକାଠି ଥିବା କହିଲେ ବିରୋଧୀ, ତଥାପି ରହିଲା କେଁ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସବୁ ଦଳ ଏକାଠି ଏକ ହୋଇ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି, “ପାଟନାରୁ ଯାହା ବି ଆରମ୍ଭ ହୁଏ, ତାହା ଜନ ଆନ୍ଦୋଳନରେ ପରିଣତ ହୋଇଥାଏ। ଦିଲ୍ଲୀ ମିଟିଂରୁ ଲାଭ ମିଳିନେ।”

Opposition

Opposition

Advertisment

ବିଜେପି ବିରୋଧରେ ଏକାଠି ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିବା ବିରୋଧୀ ଦଳ ଗୁଡ଼ିକ ଆଜି ବିହାରର ରାଜଧାନୀ ପାଟନାରେ ମହା ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୧୭ଟି ଦଳର ନେତା ଯୋଗ ଦେଇଥିଲେ। ବୈଠକ ବେଳେ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଆପ୍‌ ଓ କଂଗ୍ରେସ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି।

Advertisment

ତଥାପି ମହା ବୈଠକ ପରେ ବିରୋଧୀ ଦଳଗୁଡ଼ିକ ଏକାଠି ନିର୍ବାଚନ ଲଢ଼ିବାକୁ ରାଜି ଥିବା କହିଛନ୍ତି। ହେଲେ ଏଥିରେ କେଁ ରହିଛି। ତେଣୁ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିବା ପାଇଁ ଆସନ୍ତାମାସରେ ପୁଣି ଗୋଟିଏ ବୈଠକ ହେବ। ଏଥର ପାଟନାରେ ବୈଠକ ହୋଇଥିବା ବେଳେ ଆସନ୍ତା ମାସରେ ହିମାଚଳ ପ୍ରଦେଶର ଶିମଲାରେ ମାନସମନ୍ଥନ ହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।

ବୈଠକ ପରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି, ମମତା ବାନାର୍ଜୀଙ୍କ ସମେତ ୧୫ଟି ଦଳର ନେତା ରହିଥିଲେ। କିନ୍ତୁ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନଥିଲେ। ସେମାନଙ୍କ ଅନୁପସ୍ଥିତିରେ ସମ୍ପର୍କରେ ପଚରା ଯିବାରୁ ବିମାନ ସମୟ ହୋଇଯାଇଥିବାରୁ ଉଭୟ ଚାଲି ଯାଇଥିବା ନୀତୀଶ କୁମାର କହିଛନ୍ତି।

Advertisment

ନୀତୀଶ କୁମାର କହିଛନ୍ତି, “ଆମେ ସମସ୍ତେ ଏକାଠି ରହିଛୁ। ବୈଠକରେ ସମସ୍ତେ ଏକାଠି ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି। ଆଉ ଗୋଟିଏ ବୈଠକ ଶିମଲାରେ ହେବ। ଉକ୍ତ ବୈଠକରେ ସିଟ୍‌ ଶେୟାରିଂ ଓ ଦଳର କ୍ଷମତା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ।”

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ “ଆସନ୍ତା ବୈଠକ ଜୁଲାଇ ୧୦ କିମ୍ବା ୧୨ରେ ହେବ। ରାଜ୍ୟସ୍ତରୀୟ ରଣନୀତି ଉକ୍ତ ବୈଠକରେ ପ୍ରସ୍ତୁତ କରାଯିବ। ୨୦୨୪ରେ ଆମକୁ ଏକାଠି ନିର୍ବାଚନ ଲଢ଼ିବାକୁ ପଡ଼ିବ। ଆମେ ବିଜେପିକୁ ଉପାଡ଼ି ଫୋପାଡ଼ି ଦେବାକୁ ନିଷ୍ପତ୍ତି ନେଇଛୁ। ଆମେ ପରବର୍ତ୍ତୀ ସରକାର ଗଠନ କରିବୁ ବୋଲି ନିଶ୍ଚିତ।”

ରାହୁଲ ଗାନ୍ଧି ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “ଏହା ଗୋଟିଏ ବିଚାରଧାରାର ଲଢ଼େଇ। ଆମମାନଙ୍କ ମଧ୍ୟରେ କିଛି ମତଭେଦ ରହିଛି। କିନ୍ତୁ ଆମ ବିଚାରଧାରାର ସୁରକ୍ଷା ପାଇଁ ଆମକୁ ବୁଝାମଣା କରି ଏକାଠି କାମ କରିବାକୁ ପଡ଼ିବ। ଏହା ଏକ ପ୍ରକ୍ରିୟା ଓ ଆମେ ଏହାକୁ ଜାରି ରଖିବୁ।”

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସବୁ ଦଳ ଏକାଠି ଏକ ହୋଇ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି, “ପାଟନାରୁ ଯାହା ବି ଆରମ୍ଭ ହୁଏ, ତାହା ଜନ ଆନ୍ଦୋଳନରେ ପରିଣତ ହୋଇଥାଏ। ଦିଲ୍ଲୀ ମିଟିଂରୁ ଲାଭ ମିଳିନେ।”

ଅନ୍ୟପକ୍ଷରେ ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌କୁ ଏଯାଏ କଂଗ୍ରେସ ସମର୍ଥନ କରିନି। ଯଦି କଂଗ୍ରେସ ଅଧ୍ୟାଦେଶକୁ ବିରୋଧ କରିବାକୁ ରାଜି ନ ହେବ, ତା’ହେଲେ ଆପ୍‌ ବିରୋଧୀଙ୍କ ବୈଠକରେ ଯୋଗଦେବ ନାହିଁ ବୋଲି କହିଥିଲା।

ତଥାପି ଆଜି କେଜ୍ରିୱାଲ ବୈଠକରେ ଯୋଗ ଦେଇଥିଲେ। ଏହି ସମୟରେ କେଜ୍ରିୱାଲ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇଥିଲେ। ତଥାପି କଂଗ୍ରେସ ଅଧ୍ୟାଦେଶ ଉପରେ ନିଷ୍ପତ୍ତି ନେଇ ନାହିଁ। ତେଣୁ ଆପ୍‌ ଶିମଲା ବୈଠକରେ ଯୋଗ ଦେବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ବୈଠକ ପୂର୍ବରୁ ଆପ୍‌ ମୁଖପାତ୍ର ପ୍ରିୟଙ୍କା କକର ଅଭିଯୋଗ କରିଥିଲେ ଯେ “ନିର୍ଭରଯୋଗ୍ୟ ସୂତ୍ରର ଖବର ଅନୁଯାୟୀ କଂଗ୍ରେସ ଗୁପ୍ତ ଭାବେ ବିଜେପି ସହ ଡିଲ୍‌ କରିଛି। ସେମାନଙ୍କ ମଧ୍ୟରେ ବୁଝାମଣା ହୋଇ ସାରିଛି। ତେଣୁ କଂଗ୍ରେସ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରୁ ନାହିଁ।”

ବିରୋଧୀଙ୍କ ବୈଠକରେ ଖଡଗେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ତେବେ କଂଗ୍ରେସ ଅଧ୍ୟାଦେଶକୁ ବିରୋଧ କରିବ କି ସମର୍ଥନ ସେକଥା ସଂସଦ ଭିତରେ ନିଆଯିବ। ବଡ଼ ବଡ଼ ବୈଠକ ବେଳେ ଏପରି ପ୍ରସଙ୍ଗ ଉଠାଇବାର ଆବଶ୍ୟକ ନଥିବା କଂଗ୍ରେସ କହିଛି।

Bjp Congress Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe