Advertisment

ଇଡି ସ୍କାନରରେ ସନ୍ଦୀପ ଘୋଷ, ଆଜି ୪ଟି ସ୍ଥାନରେ ରେଡ୍‌

ଇଡି ପକ୍ଷରୁ ଆଜି ସନ୍ଦୀପ ଘୋଷଙ୍କ ପିତାଙ୍କ ଘର ସମେତ ସମୁଦାୟ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ସେଥିମଧ୍ୟରୁ ଦୁଇଟି ସ୍ଥାନ ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Sandeep Ghosh

Sandeep Ghosh

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ଥିକ ହେରଫେର ଅଭିଯୋଗରେ ବନ୍ଧା ହୋଇଥିବା ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଇଡି ସ୍କାନରରେ। ଇଡି ପକ୍ଷରୁ ଆଜି ସନ୍ଦୀପ ଘୋଷଙ୍କ ଘର ସମେତ ସମୁଦାୟ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ସେଥିମଧ୍ୟରୁ ଦୁଇଟି ସ୍ଥାନ ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି। ଏହାବାଦ ଜଣେ ମେଡିକାଲ ଉପକରଣ ବିକ୍ରେତାଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରାଯାଇଛି।

Advertisment

ସନ୍ଦୀପ ଘୋଷଙ୍କ ନାଁରେ ପୂର୍ବରୁ ହସ୍ପିଟାଲରେ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଇଡି ବିଭିନ୍ନ ସ୍ଥାନରେ ରେଡ କରି ସାରିଥିବା ବେଳେ ଆଜି ସନ୍ଦୀପ ଘୋଷଙ୍କ ପିତାଙ୍କ ଘର ସମେତ ୪ ଜାଗାରେ ରେଡ କରିଛି।

ଆଜି କୋଲକାତା ଚିନ୍ନାର ପାର୍କ ସ୍ଥିତ ସନ୍ଦୀପଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ସନ୍ଦୀପଙ୍କ ବାପା ସତ୍ୟ ପ୍ରକାଶ ଘୋଷଙ୍କ ବାସଭବନରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି। ଏହାବାଦ ସନ୍ଦୀପଙ୍କ ସହଯୋଗୀ କୁହାଯାଉଥିବା ଜଣେ ବ୍ୟବସାୟୀଙ୍କ ଘରେ ବି ଇଡି ରେଡ୍ କରିଛି। ସଂପୃକ୍ତ ବ୍ୟବସାୟୀ ଜଣକ ଆର.ଜି କର ମେଡିକାଲରେ ବିଭିନ୍ନ ଟେଣ୍ଡର ସହ ସଂପୃକ୍ତ ଥିବା ଜଣାପଡ଼ିଛି।

Advertisment

ଗତ ୬ ତାରିଖରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସନ୍ଦୀପଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଚଢ଼ାଉ ବେଳେ ଅନେକ ଡିଜିଟାଲ ପ୍ରମାଣ ଇଡି ହାତରେ ଲାଗିଥିବା କୁହାଯାଉଛି।

ଡା. ସନ୍ଦୀପ ଘୋଷ ୨୦୨୧ ମସିହା ଫେବୃୟାରୀରୁ ୨୦୨୩ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଆରଜି କର ହସ୍ପିଟାଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ ବର୍ଷ ଅକ୍ଟୋବରରେ ତାଙ୍କର ବଦଳି ହୋଇଥିଲା। ମାତ୍ର ସେ ପୁଣି ମାସେ ମଧ୍ୟରେ ଆରଜି ହସ୍ପିଟାଲକୁ ଫେରି ଆସିଥିଲେ। ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲା ପର୍ଯ୍ୟନ୍ତ ସେ ନିଜ ପଦରେ ରହିଥିଲେ।

ମାତ୍ର ଏହାପରେ ତାଙ୍କ ବିରୋଧରେ ତୀବ୍ର ପ୍ରତିବାଦର ସ୍ୱର ଉଠିଥିଲା। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ୨ ତାରିଖରେ ସିବିଆଇ ଭ୍ରଷ୍ଟାଚାର ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଥିଲା।

ଏପଟେ ଆରଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ପ୍ରତିବାଦର ନିଆଁ । ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର। ଏପରିକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଦୋଳନରତ ଡାକ୍ତର  ।

Kolkata Raped-Murdered Case EX-Principal Sandeep Ghosh