Advertisment

ମମତାଙ୍କୁ ସାମାଜିକ ବହିଷ୍କାର କଲେ ରାଜ୍ୟପାଳ, କହିଲେ- ତାଙ୍କ ସହ ଗୋଟିଏ ମଞ୍ଚରେ ବସିବିନି

ରାଜ୍ୟପାଳ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଉ କୌଣସି ସଭା ମଞ୍ଚରେ ଏକାଠି ବସିବେନି। ମମତା ଯେଉଁ ସଭାକୁ ଯିବେ ସେ ସେଠାକୁ ଯିବେନି।

author-image
Niharika Rout
ଅଦ୍ୟତନ ହୋଇଛି
west-bengal-governor & mamata-banerjee

west-bengal-governor & mamata-banerjee

କୋଲକତାସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିମନ୍ତେ ପ୍ରସ୍ତତ ଥିବା ଘୋଷଣା କରିଥିଲେ ମମତା ବାନାର୍ଜୀ । ଏହାପରେ ବି ଥମୁନି ବିବାଦ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମାଜିକ ବହିଷ୍କାର କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ।

Advertisment

ରାଜ୍ୟପାଳ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଉ କୌଣସି ସଭା ମଞ୍ଚରେ ଏକାଠି ବସିବେନି। ମମତା ଯେଉଁ ସଭାକୁ ଯିବେ ସେ ସେଠାକୁ ଯିବେନି। ମମତାଙ୍କୁ ଲେଡି ମ୍ୟାକବେଥ୍ ସମ୍ବୋଧନ କରି ସାରା ରାଜ୍ୟରେ ଏବେ ହିଂସା ଚାଲିଛି ବୋଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ରାଜ୍ୟପାଳ।  ଆରଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଁ ସମ୍ବିଧାନ, ପୀଡିତାଙ୍କ ପରିବାର, ରାଜ୍ୟବାସୀ ଏବଂ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିବା ସମସ୍ତଙ୍କ ସହ ଅଛି ଠିଆ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି।

ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ଘୋଷଣା କରିବାର କିଛି ଘଣ୍ଟା ପରେ ରାଜ୍ୟପାଳଙ୍କ ଭିଡିଓ ସୋଶାଲ ମିଡିଆରେ ଅପଲୋଡ ହୋଇଛି। ନିଜ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି,  ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟର ଆଇନ୍‌ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଅଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଆଇନୃଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ମେଡିକାଲ ସେବା ବି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଖୋଦ ମୁଖ୍ୟମନ୍ତ୍ରୀ ଏହି ଦୁଇ ବିଭାଗର ମନ୍ତ୍ରୀ ଥାଇ ବି ରାଜ୍ୟରେ ଆଇନ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସେବାକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ସେ ସଫଳ ହୋଇ ପାରୁନାହାନ୍ତି।

Advertisment

ଏଥିସହ ସେ କହିଛନ୍ତି, ରାଜ୍ୟପାଳ ଭାବରେ ତାଙ୍କର ଭୂମିକା ସାମ୍ବିଧାନିକ ଦାୟିତ୍ୱରେ ସୀମିତ ରହିବ। ଏହାଠୁ ଅଧିକ କି କମ୍ ନୁହେଁ ।   ରାଜ୍ୟରେ ଅପରାଧ ରୋକିବାକୁ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୁଲିସ୍‌ କମିଶନରଙ୍କ ବିରୋଧରେ ବି ଗୁରୁତର ଅପରାଧିକ ଅଭିଯୋଗ ରହିଥିବା ଘଟଣା ମୋତେ ଖୁବ୍‌ ଦୁଃଖ ଦେଇଛି ବୋଲି କହିଛନ୍ତି ରାଜ୍ୟପାଳ। 

ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଜୁନିୟର ଡାକ୍ତରଙ୍କ ସହ ନବାନ୍ନରେ ଆଲୋଚନା କରିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିତ ହୋଇଥିଲା। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତ‍ଫା ଦେବାକୁ ରାଜି ଥିବା କହିଥିଲେ।

ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ, ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ପଦ ଛାଡ଼ିବାକୁ ପ୍ରସ୍ତୁତ। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହେଁ ନାହିଁ। ମୁଁ ପୀଡ଼ିତାଙ୍କ ପାଇଁ ନ୍ୟାୟ ଚାହୁଁଛି। ସାଧାରଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇପାରନ୍ତୁ ବୋଲି ମୁଁ ଚାହୁଁଛି। ଅଧିକାଂଶ ଡାକ୍ତର ବୈଠକ ପାଇଁ ରାଜି ଥିବା ମୁଁ ଜାଣିଛି। କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ କେବଳ ବିଭ୍ରାଟ ସୃଷ୍ଟି କରିବାର ଲକ୍ଷ୍ୟରେ ରହିଛନ୍ତି। ସାଧାରଣ ଲୋକ ଜାଣନ୍ତି ନାହିଁ ଯେ ଏହି ଘଟଣାକୁ ରାଜନୀତିକ ରଙ୍ଗ ଦିଆଯାଉଛି।

ଏହି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବା ନାଁ ଧରୁନି। ସ୍ୱାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର।  ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ମାନେ ଚେତାବନୀ ଦେଇଛନ୍ତି । 

Mamata Banerjee West Bengal Kolkata Doctor Rape And Murder Case