Advertisment

ବିଚ୍‌ ରାସ୍ତାରେ ବସିଲା କଙ୍ଗାରୁ କୋର୍ଟ, ମହିଳାଙ୍କୁ ପିଟି ବନ୍ଧା ହେଲେ ଟିଏମସି ନେତା

ପ୍ରବଳ ମାଡ଼ ଯୋଗୁ ମହିଳାଜଣକ ବେହୋସ ହୋଇଯିବାରୁ ଅଭିଯୁକ୍ତଜଣକ ତାଙ୍କ ଚୁଟିକୁ ଟାଣି ଲାତ ମାରିବାକୁ ପଛାଇଲେ ନାହିଁ।ସମସ୍ତେ ଏହାର ଦେଖଣାହାରୀ ସାଜିଥିଲେ ବି କେହି ପାଟି ଫିଟାଇବାକୁ ସାହସ କଲେନି।

author-image
Niharika Rout
 kangaroo court in west bengal

kangaroo court in west bengal

ବିଚ୍‌ ରାସ୍ତାରେ ବସିଲା କଙ୍ଗାରୁ କୋର୍ଟ। ଶତାଧିକ ଲୋକଙ୍କ ଭିଡ଼ ବି ହେଲା। ଏହାପରେ ଏକ ପୁରୁଷ ଓ ମହିଳାଙ୍କୁ ବାଡ଼ିରେ ନିର୍ଘାତ ପିଟିଲେ ଜଣେ ଟିଏମସି ନେତା । ପ୍ରବଳ ମାଡ଼ ଯୋଗୁ ମହିଳାଜଣକ ବେହୋସ ହୋଇଯିବାରୁ ଅଭିଯୁକ୍ତଜଣକ ତାଙ୍କ ଚୁଟିକୁ ଟାଣି ଲାତ ମାରିବାକୁ ପଛାଇଲେ ନାହିଁ। ସମସ୍ତେ ଏହାର ଦେଖଣାହାରୀ ସାଜିଥିଲେ ବି କେହି ପାଟି ଫିଟାଇବାକୁ ସାହସ କଲେନି।

Advertisment

ଏପରି ଅମାନବୀୟ କାଣ୍ଡ ପଶ୍ଚିମବଙ୍ଗର ଉତ୍ତର-ଦିନାଜପୁର ଜିଲ୍ଲାର ଚୋପ୍ରା ବ୍ଲକର ଦିଘଲଗାଁରେ ଘଟିଛି। ଗତ ସପ୍ତାହରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିପିଏମ୍‌ ଓ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଏହାପରେ ପୁଲିସ୍‌ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟିଏମ୍‌ସି ନେତା ତେଜମୁଲ୍‌ ଓରଫ ଜେସିବିଙ୍କୁ ବାନ୍ଧିଛି। ଜେସିବିଙ୍କ ନାଁରେ ପୂର୍ବରୁ ବି ହତ୍ୟା ମାମଲା ସମେତ ବହୁ ସଙ୍ଗୀନ ମାମଲା ରୁଜୁ ହୋଇଥିବା ବେଳେ ସେ ଚୋପ୍ରା ବିଧାୟକ ହମିଦୁଲ୍ଲ ରହମାନଙ୍କ ପାଖ ଲୋକ ବୋଲି ଜଣାଯାଇଛି।

ଏକ ପ୍ରେମୀ ଯୁଗଳଙ୍କୁ ବାନ୍ଧି ଏପରି ଅମାନବୀୟ ଭାବେ ପିଟିଛନ୍ତି ଟିଏମସି ନେତା। ମହିଳାଜଣକ ବିବାହିତ ହୋଇଥିବା ବେଳେ ଅନ୍ୟତ୍ର ତାଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ଏହାପରେ ଉକ୍ତ ମହିଳା ଓ ଜଣେ ପୁରୁଷଙ୍କୁ ଟାଣି ଆଣି ଶହ ଶହ ଲୋକଙ୍କ ଉପସ୍ଥିତିରେ ନିର୍ଘାତ ପିଟିଥିଲେ ଜେସିବି।

Advertisment

କଂଗ୍ରେସ ଏହି ମାମଲାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିବା ସହ ଏହାର ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ମହିଳାଙ୍କୁ ମାରପିଟ କରିବା ଘଟଣାକୁ କେବେ ବି ବରଦାସ୍ତ କରାଯିବନି। ପଶ୍ଚିମବଙ୍ଗରେ ଯେଉଁପରି ହିଂସାତ୍ମକ ଘଟଣା ସାମନାକୁ ଆସୁଛି ଦେଶର ଅନ୍ୟ କୌଣସି ପ୍ରାନ୍ତରେ ଏପରି ଘଟଣା ଘଟୁନି। ମହିଳାଙ୍କୁ ଆକ୍ରମଣ କରିବା ନିମନ୍ତେ କାହାରି ପାଖରେ ଅଧିକାର ନାହିଁ।

ଏହା ମମତା ବାନାର୍ଜୀଙ୍କ ଶାସନର ଘୃଣ୍ୟ ଚେହେରା। ଭିଡ଼ିଓରେ ଦବଙ୍ଗଗିରି ଦେଖାଉଥିବା ବ୍ୟକ୍ତିଜଣକ ଜଣେ ଟିଏମସି ନେତା। କେବଳ ସେତିକି ନୁହେଁ ସଆ ଚୋପ୍ରା ବିଧାୟକଙ୍କ ବେଶ୍‌ ଖାସ୍‌ ଲୋକ ମଧ୍ୟ ।

ମାତ୍ର ଟିଏମ୍‌ସି ବିଧାୟକ ହମିଦୁଲ୍ଲ ରହମାନ ଜେସିବିଙ୍କ ଅପରାଧକୁ ଘୋଡ଼ାଇବା ସହ ମିଡିଆ ମାମଲାକୁ ଅତିରଞ୍ଜିତ କରୁଥିବା କହିଛନ୍ତି। ଏଥିସହ ମହିଳାଜଣକ ଉପରେ ନିର୍ଯାତନା ହୋଇଥିବା ବେଳେ ସେ କିପରି ଥାନାରେ କୌଣସି ମାମଲା ରୁଜୁ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଏଥିସହ ସେ କହିଛନ୍ତି, ସ୍ୱାମୀ ଥିବା ବେଳେ ମହିଳାଜଣକ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଏହା ଉପରେ ରୋକ ଲଗାଇବାକୁ ଏକ ସଭା ଡକା ଯାଇଥିଲା। ମହିଳାଜଣକ ସମାଜ ପାଇଁ ବିପଦ ଡୋଇଥିବା ବେଳେ କଙ୍ଗାରୁ କୋର୍ଟ ଡକାଯାଇଥିଲା। ଯାହା ହୋଇଛି ତାହାର ଯାଞ୍ଚ ହେବ ।

ଏନେଇ ଚୋପ୍ରା ପୁଲିସ୍‌ ଷ୍ଟେଶନରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଡିସିପି କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

West Bengal TMC Torture;