ଦୁର୍ନୀତିଗ୍ରସ୍ତଙ୍କୁ ମନ୍ତ୍ରୀ କଲେ ଦୁର୍ନୀତି ହଟିବ କି?

ଯେଉଁ ଏନସିପି ବିରୋଧରେ ସେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ ରବିବାର ଉକ୍ତ ଦଳର ବରିଷ୍ଠ ନେତା ଅଜିତ ପାୱାର ଓ ଅନ୍ୟ ୮ ବିଧାୟକ ମହାରାଷ୍ଟ୍ରରେ ବିଜେପି ଗଠନ କରିଥିବା ସରକାରରେ ସାମିଲ ହୋଇଛନ୍ତି। ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପ୍ରଫୁଲ ପଟେଲ ଓ ଅଜିତ ପାୱାର (ଫାଇଲ ଫଟୋ)

  • Published: Monday, 03 July 2023
  • , Updated: 03 July 2023, 12:40 PM IST

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ଭାଷଣ ଦେଉଥିବା ବେଳେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହି ସମୟରେ ସେ ଏନସିପି ୭୦ ହଜାର କୋଟି ଟଙ୍କାର ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ କରିଥିଲେ। ଏଥିସହ ତାଙ୍କ ସରକାର ଦୁର୍ନୀତି କରିଥିବା ଲୋକଙ୍କୁ କେବେ ହେଲେ ଛାଡ଼ିବ ନାହିଁ ବୋଲି ଦମ୍ଭୋକ୍ତି କରିଥିଲେ।

ହେଲେ ଯେଉଁ ଏନସିପି ବିରୋଧରେ ସେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ ରବିବାର ଉକ୍ତ ଦଳର ବରିଷ୍ଠ ନେତା ଅଜିତ ପାୱାର ଓ ଅନ୍ୟ ୮ ବିଧାୟକ ମହାରାଷ୍ଟ୍ରରେ ବିଜେପି ଗଠନ କରିଥିବା ସରକାରରେ ସାମିଲ ହୋଇଛନ୍ତି। ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏଭଳି ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ବିଜେପି ମେଣ୍ଟରେ ମନ୍ତ୍ରୀ କଲେ ସେମାନଙ୍କର ଦୁର୍ନୀତି ସବୁ ନୀତି ହୋଇଗଲା କି ବୋଲି ବିପକ୍ଷର ଅନେକ ନେତା ନିଜନିଜର ସୋସାଲ ମିଡିଆ ଆକାଉଣ୍ଟରେ ପ୍ରଶ୍ନ କରିଛନ୍ତି। ଏନସିପିକୁ ବିଜେପି ନିଜ ସରକାରରେ ସାମିଲ କରିଥିବାରୁ ଏହାକୁ ସେମାନେ ତାଚ୍ଛଲ୍ୟ କରିଛନ୍ତି। ଏହି ଘଟଣାରେ ବିଜେପିର ଦୋମୁହାଁ ନୀତି ସାମ୍ନାକୁ ଆସିଥିବା ମଧ୍ୟ ସେମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁର୍ନୀତି ମୁକ୍ତ ନାରା କୁଆଡ଼େ ଗଲା ବୋଲି ସେମାନେ ପ୍ରଶ୍ନ ମଧ୍ୟ କରିଛନ୍ତି।

ମହାରାଷ୍ଟ୍ରର ବିଜେପି-ଶିବସେନା ସରକାରଙ୍କୁ ସମର୍ଥନ କରିଥିବା ୯ ଏନସିପି ବିଧାୟକଙ୍କ ମଧ୍ୟରୁ ୪ ଜଣ ଇଡି କିମ୍ବା ଦୁର୍ନୀତି ନିରୋଧ ଶାଖା(ଏସିବି) ରୁଜୁ କରିଥିବା ଏକାଧିକ ମାମଲାରେ ଫସିଛନ୍ତି। ଅଜିତ ପାୱାର, ଛଗନ ଭୁଜବଳ ଓ ହାସନ ମୁଶରିଫଙ୍କ ନାଁରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୦୧୯ ଠାରୁ ଇତି ମଧ୍ୟରେ ସେ ୩ଥର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଲେଣି। ତାଙ୍କ ସମ୍ପର୍କୀୟ ଭଉଣୀ ତଥା ସାଂସଦ ସୁପ୍ରିୟା ସୁଲେ ଏନସିପିର କାର୍ଯ୍ୟକାରୀ ସଭାପତି ହେବା ପରେ ଅଜିତ ପାୱାର ବିଜେପି ସହ ହାତ ମିଳାଇଛନ୍ତି।

ତେବେ ଅଜିତ ପାୱାର ସମବାୟ ବ୍ୟାଙ୍କ ଓ ଗୋଟିଏ ଜଳସେଚନ ଦୁର୍ନୀତି ମାମଲାର ଅଭିଯୁକ୍ତ। ଅର୍ଥନୀତିକ ଅପରାଧ ଶାଖା ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ବେଆଇନ ଭାବେ ଦେଇଥିବା ଋଣ ମାମଲାର ତଦନ୍ତ କରୁଛି। ଏହି ଘଟଣାରେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ମହାବିକାଶ ଅଘାଡ଼ି(ଏନସିପି-କଂଗ୍ରେସ-ଉଦ୍ଧବ ଠାକରେଙ୍କ ଶିବସେନା) ମହାରାଷ୍ଟ୍ରରେ ସରକାର ଗଠନ କରିବାର ମାସକ ମଧ୍ୟରେ EOW ଉକ୍ତ ମାମଲାରେ ରିପୋର୍ଟ ଦାଖଲ କରିଥିଲା। ଅଜିତ ପାୱାର ଏହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ EOW ଋଣ ଜାଲିଆତିର କୌଣସି ପ୍ରମାଣ ପାଇ ନଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା।

୨୦୨୦ରେ ଇଡି ଖୋଲାଖୋଲି ଭାବେ EOWର ରିପୋର୍ଟକୁ ବିରୋଧ କରିଥିଲା। କିନ୍ତୁ ସ୍ୱତନ୍ତ୍ର କୋର୍ଟ ଇଡିର ଦାବିକୁ ଅଗ୍ରାହ୍ୟ କରିଥିଲେ। ୨୦୨୨ରେ ବିଜେପି କ୍ଷମତାକୁ ଆସିବା ପରେ EOW ନିଜର ଆଭିମୁଖ୍ୟ ବଦଳାଇଥିଲା ଓ ତଦନ୍ତ ଜାରି ରଖିବ ବୋଲି କହିଥିଲା।

ସମବାୟ ବ୍ୟାଙ୍କ ମାମଲା ସହ ମହାରାଷ୍ଟ୍ର ଏସିବି ମଧ୍ୟ ଅଜିତ ପାୱାରଙ୍କ ବିରୋଧରେ ଜଳସେଚନ ପ୍ରକଳ୍ପରେ ହୋଇଥିବା ଅନିୟମିତତାର ତଦନ୍ତ ଆରମ୍ଭ କରିଥିଲା। କୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ଚାଲିଥିଲା। ଅଜିତ ପାୱାର କଂଗ୍ରେସ-ଏନସିପି ସରକାର ସମୟରେ ଜଳସେଚନ ମନ୍ତ୍ରୀ ଥିଲେ। ତେବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ସହ ମିଶି ଅଜିତ ପାୱାର ସରକାର ଗଠନ କରିବାର ଦିନକ ପରେ ଏସିବି ଏହି ମାମଲାରେ ତାଙ୍କୁ କ୍ଲିନଚିଟ ଦେଇଥିଲା।

କୋର୍ଟ ଅବଶ୍ୟ ଏଯାଏ ଏହି ରିପୋର୍ଟକୁ ଗ୍ରହଣ କରି ନାହାନ୍ତି। ଏମଭିଏ ସରକାର କ୍ଷମତାକୁ ଆସିବା ପରେ ବିଜେପି ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ବାରମ୍ବାର ଦାବି କରାଯାଇଥିଲା।

ବିଜେପି ସରକାରରେ ଶପଥ ନେଇଥିବା ଅଦିତି ତାଟକାରେଙ୍କ ବାପା ସୁନୀଲ ତାଟକାରେ ମଧ୍ୟ ଏସିବି ସ୍କାନରରେ ରହିଛନ୍ତି। ଜଳସେଚନ ଦୁର୍ନୀତି ମାମଲାରେ ସେ ସାମିଲ ଥିବା ଅଭିଯୋଗ ହୋଇଛି। ୨୦୧୭ରେ ଏସିବି ଦାଖଲ କରିଥିବା ଚାର୍ଜଶିଟରେ ସୁନୀଲଙ୍କ ନାଁ ଥିଲା। ୨୦୧୨ରୁ ଇଡି ମଧ୍ୟ ତାଙ୍କ ବିରୋଧରେ ତଦନ୍ତ ଜାରି ରଖିଛି।

ଏନସିପି ଅନ୍ୟତମ ହେଭିୱେଟ ଛଗନ ଭୁଜବଳ ମଧ୍ୟ ଗତକାଲି ଶପଥ ନେଇଛନ୍ତି। ସେ ୨୦୦୬ରେ ବେଆଇନ ଭାବେ ୧୦୦ କୋଟିରୁ ଅଧିକ ମୂଲ୍ୟର ୩ଟି ପ୍ରକଳ୍ପ କାମ ବିଭିନ୍ନ ସଂସ୍ଥାକୁ ଦେଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ସେ ରାଜ୍ୟର PWD ମନ୍ତ୍ରୀ ଥିଲା। ତାଙ୍କ ନାଁରେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ଶିବସେନା ସହ ମିଶି ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଭୁଜବଳ ପରେ କଂଗ୍ରେସ ଓ ଶେଷରେ ଏନସିପିକୁ ଆସିଥିଲା। ଦୁର୍ନୀତି ମାମଲାରେ ତାଙ୍କୁ ପୁଲିସ୍‌ ଗିରଫ କରି ୨ ବର୍ଷ ଜେଲରେ ରଖିଥିଲା। ତେବେ ଏମଭିଏ ସରକାର କ୍ଷମତାକୁ ଆସିବା ପରେ ଅଜିତ ପାୱାରଙ୍କ ଭଳି ତାଙ୍କୁ ମଧ୍ୟ ଉକ୍ତ ମାମଲାରେ କ୍ଲନଚିଟ ମିଳିଥିଲା। ମୁମ୍ବାଇ ବିଶ୍ୱ ବିଦ୍ୟାଳୟ ଦୁର୍ନୀତି ମାମଲାରେ ବି ଛଗନ ଭୁଜବଳ ଜଣେ ଅଭିଯୁକ୍ତ।

ଏନସିପିର ଆଉ ଜଣେ ବିଦ୍ରୋହୀ ବିଧାୟକ ହେଲେ ହାସନ ମୁଶରିଫ। ସାର ସେନାପତି ସନିଜି ଘୋରପାଡେ ସୁଗାର ଫ୍ୟାକ୍ଟ୍ରୀ ଲିଃକୁ ବେଆଇନ ଭାବେ ଚଳାଇବା ଘଟଣାରେ ଇଡି ତାଙ୍କର ଏକାଧିକ ଠିକଣାରେ ରେଡ କରିଛି। ତାଙ୍କ ପରିବାର ଲୋକଙ୍କ ନାଁରେ ମଧ୍ୟ ଏକାଧିକ ଶେଲ କମ୍ପାନୀ ଥିବା କୁହାଯାଉଛି। ତେବେ ଇଡି ଜାଣିଶୁଣି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ହାସନ କିଛି ଦିନ ତଳେ କହିଥିଲେ। ଏପରି କି ସେ ମୋଦି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇ ସଦଭାବନା ରାଲି ମଧ୍ୟ କରିଥିଲେ।

ଏପ୍ରିଲ ମାସରେ ହାସନଙ୍କ ଆଗୁଆ ଜାମିନ ଆବେଦନକୁ ସ୍ୱତନ୍ତ୍ର କୋର୍ଟ ଖାରଜ କରିଥିଲେ। ଶେଷରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ତେବେ ତାଙ୍କର ୩ ପୁଅଙ୍କ ଜାମିନ ଆବେଦନ ଏବେ ବି କୋର୍ଟଙ୍କ ପାଖରେ ପଡ଼ି ରହିଛି।

ବିଜେପି ଓ ସିନ୍ଦେ ସରକାରକୁ ସମର୍ଥନ କରିଥିବା ଏନସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ମଧ୍ୟ ଇଡି ମାମଲାରେ ଫସି ରହିଛନ୍ତି। ତାଙ୍କ ନାଁ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ସହଯୋଗୀ ଇକବାଲ ମେମନ ଓରଫ ମିର୍ଚି ସହ ମଧ୍ୟ ଯୋଡ଼ା ଯାଇଥିଲା।

Related story