Advertisment

ପ୍ରଧାନମନ୍ତ୍ରୀଙ୍କ 'Hi-Tech Handshake’ ପରେ କ’ଣ ସବୁ ଘୋଷଣା କଲେ ଗୁଗଲ, ମାଇକ୍ରୋସଫ୍ଟ ଓ ଆମାଜନ?

ଏହି ଭେଟଘାଟ ପରେ ଏବେ ଗୁଗଲ, ଆମାଜନ ଓ ମାଇକ୍ରୋସଫ୍ଟ ଭାରତ ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ୩ କମ୍ପାନୀ ଭାରତରେ ବଡ଼ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି।

author-image
Hemant Lenka
Google

Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ତାଙ୍କୁ ସେଠାକାର ୩ ବଡ଼ ଟେକ୍‌ କମ୍ପାନୀର ମୁଖିଆ ଭେଟିଥିଲେ। ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ମୋଦି ସେଠାରେ 'Hi-Tech Handshake’ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଓ କମ୍ପାନୀ ମାଲିକଙ୍କୁ ଭେଟିଥିଲେ।

Advertisment

ଏହି ଭେଟଘାଟ ପରେ ଏବେ ଗୁଗଲ, ଆମାଜନ ଓ ମାଇକ୍ରୋସଫ୍ଟ ଭାରତ ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ୩ କମ୍ପାନୀ ଭାରତରେ ବଡ଼ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି। ଭାରତୀୟ ଟେକ୍ନୋଲୋଜିର ଅଭିବୃଦ୍ଧି ପାଇଁ ବୈଷୟିକ ସହାୟତା ସହ ପୁଞ୍ଜିନିବେଶ କରିବା ପାଇଁ ଗୁଗଲ, ଆମାଜନ ଓ ମାଇକ୍ରୋସଫ୍ଟ ଘୋଷଣା କରିଛନ୍ତି।

ଆସନ୍ତା ୭ ବର୍ଷ ମଧ୍ୟରେ ଆମାଜନ ଭାରତରେ ଅତିରିକ୍ତ ୧୫ ବିଲିୟନ ଡଲାରର ପୁଞ୍ଜିନିବେଶ କରିବ। ଏହାକୁ ମିଶାଇ ଭାରତରେ କମ୍ପାନୀର ମୋଟ ନିବେଶ ପରିମାଣ ୨୬ ବିଲିୟନ ଡଲାରରେ ପହଞ୍ଚିଯିବ। ସେହିପରି ଗୁଗଲ ତା’ର ବିଶ୍ୱ ଫିନଟେକ ଅପରେସନ ସେଣ୍ଟର ଗୁଜରାଟରେ ଖୋଲିବ।

Advertisment

ମାଇକ୍ରୋସଫ୍ଟର ଅଧ୍ୟକ୍ଷ ତଥା ସିଇଓ ସତ୍ୟ ନାଡେଲା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଟେକ୍ନୋଲୋଜିର ଶକ୍ତି, ବିଶେଷ କରି କୃତ୍ରିମ ବୁଦ୍ଧିର ବ୍ୟବହାର କରି ଭାରତୀୟଙ୍କ ଜୀବନକୁ ପରବର୍ତ୍ତନ ସମ୍ପର୍କରେ ସେ ମୋଦିଙ୍କୁ ବୁଝାଇଥିଲେ।

ମାଇକ୍ରୋସଫ୍ଟ ଗତମାସରେ ସରକାରୀ ସହାୟତା ପାଇଁ ଗୋଟିଏ ନୂଆ ପିଢ଼ିର ଏଆଇ ଚାଟବୋଟ ଜୁଗଳବନ୍ଦୀ ଲଞ୍ଚ କରିଥିଲା। ଏହା ଏକାଧିକ ଭାଷାକୁ ବୁଝିବାକୁ ସକ୍ଷମ। ଏଥିରେ ଟାଇପ କିମ୍ବା କହିଲେ ତୁରନ୍ତ ନିଜ ପସନ୍ଦର ଭାଷାରେ ଏହା ବୁଝାଇ ପାରିବ। ଇଂରାଜୀରେ ଲେଖାଥିବା କାର୍ଯ୍ୟକ୍ରମ କିମ୍ବା ବିଷୟବସ୍ତୁକୁ ଏହା ଉପଯୁକ୍ତ ତଥ୍ୟ ସହ ଆଞ୍ଚଳିକ ଭାଷାକୁ ପରିବର୍ତ୍ତନ କରିପାରିବ।

ଗୁଗଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ତାଙ୍କ କମ୍ପାନୀ ଭାରତରେ ନିବେଶ କରିଥିବା ୧୦ ବିଲିୟନ ଡଲାର ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲେ। ଏହାପରେ ଗିଫ୍ଟ ସିଟି ଗୁଜରାଟରେ ଗୁଗଲ ଖୁବଶୀଘ୍ର ତା’ର ଗ୍ଲୋବାଲ ଫିନଟେଟ ସେଣ୍ଟର ଖୋଲିବ ବୋଲି ପିଚାଇ କହିଛନ୍ତି।

ଆମାଜନ ଗୋଟିଏ ବିବୃତିରେ କହିଛି ଯେ କମ୍ପାନୀର ସିଇଓ ଆଣ୍ଡୀ ଜାସୀ ଓ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଷ୍ଟାର୍ଟଅପକୁ ସମର୍ଥନ, ନିଯୁକ୍ତି ସୃଷ୍ଟି, ଡିଜିଟାଇଜେସନ ଓ ଛୋଟ ଏବଂ ବ୍ୟକ୍ତିଗତ ବ୍ୟବସାୟକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଆମାଜନ ୧୦ ମିଲିୟନ ଛୋଟ ବ୍ୟବସାୟକୁ ଡିଜିଟାଇଜ କରିବ। ୨୦୨୫ ସୁଦ୍ଧା ଭାରତରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଆମାଜନ ବର୍ତ୍ତମାନ ସୁଦ୍ଧା ଭାରତର ୬.୨ ମିଲିୟନ ଛୋଟ ବ୍ୟବସାୟକୁ ଡିଜିଟାଇଜ କରି ସାରିଛି। ସେହିପରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧.୩ ମିଲିୟନ ନିଯୁକ୍ତି ସୃଷ୍ଟି କରି ସାରିଥିବା ବିବୃତିରେ କୁହାଯାଇଛି।

USA PM Modi Amazon Microsoft Google