Advertisment

ଫଡ଼ନାବିସ ହେବେ ମୁଖ୍ୟମନ୍ତ୍ରୀ, କ’ଣ କହିଲେ ଏକନାଥ ସିନ୍ଦେ

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିବାର ୧୧ ଦିନ ପରେ ଆସନ୍ତାକାଲି ମହାୟୁତି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Mahayuti

Mahayuti

ଆସନ୍ତାକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ। ତା’ପୂର୍ବରୁ ସେ ଆଜି ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଶିବ ସେନା ନେତା ଏକନାଥ ସିନ୍ଦେ ଓ ଏନ୍‌ସିପି ନେତା ଅଜିତ ପାୱାର ଥିଲେ। 

Advertisment

ରାଜ୍ୟପାଳଙ୍କୁ ସାକ୍ଷାତକରି ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଏକନାଥ ସିନ୍ଦେଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇ ଦେବେନ୍ଦ୍ର ଫଡ଼ନାବିସ କହିଥିଲେ, କ୍ୟାବିନେଟରେ ରହିବାକୁ ଗତକାଲି ମୁଁ ଏକନାଥ ସିନ୍ଦେଙ୍କୁ ଅନୁରୋଧ କରିଥିଲି। ସେ ମାନିଯିବେ ବୋଲି ମୋର ଆଶା ଥିଲା। ମୁଖ୍ୟମନ୍ତ୍ରୀ ପଦବୀ ହେଉଛି ଆମେ ଭିତରେ ହୋଇଥିବା ଏକ ବୈଷୟିକ ଚୁକ୍ତି। ଆମେ ଏକାଠି ନିଷ୍ପତ୍ତି ନେଇ ଆସିଛୁ। ଆଗକୁ ମଧ୍ୟ ଏକାଠି ନିଷ୍ପତ୍ତି ନେବୁ।

ସେ ଆହୁରି କହିଥିଲେ, ନିୟମ ଅନୁଯାୟୀ ନୂଆ ସରକାର ଗଠନ କରିବା ପାଇଁ ଆମେ ଆଜି ଦାବି ଉପସ୍ଥାପନ କରିଛୁ। ରାଜ୍ୟପାଳ ଆମ ଦାବି ଗ୍ରହଣ କରିବା ପରେ ଶପଥ ଗ୍ରହଣ ଉତ୍ସବ ପାଇଁ ସମୟ ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୫ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ।

Advertisment

ସେହିପରି ଏକନାଥ ସିନ୍ଦେ କହିଥିଲେ, ଅଢ଼େଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଫଡ଼ନାବିସ ମୋ ନାଁ ସୁପାରିଶ କରିଥିଲେ। ଆଉ ଏବେ ଆମେ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁପାରିଶ କରିଛୁ। ତେବେ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନା ନାହିଁ, ସେ ନେଇ ପରେ ଜଣାଇବେ ବୋଲି କହିଥିଲେ। 

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିବାର ୧୧ ଦିନ ପରେ ଆସନ୍ତାକାଲି ମହାୟୁତି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ସରକାର ଗଠନ ପଛରେ ଏତେ ବିଳମ୍ବ ହେବା ପଛର କାରଣ ହେଉଛି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିଲା ଟଣାଓଟରା। ଏକନାଥ ସିନ୍ଦେ ଖୋଲାଖୋଲି କହି ନଥିଲେ ହେଁ ସେ ପୁଣି ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଚାହୁଁଥିଲେ। ଯଦିଓ ସେ ବିଭିନ୍ନ ସମୟରେ କହିଥିଲେ ଯେ ବିଜେପି ଯାହା କହିବ, ତାକୁ ସେ ଗ୍ରହଣ କରିବେ। ତାଙ୍କ ଦଳର କିଛି ନେତା ଯୁକ୍ତି କରିଥିଲେ ଯେ ବିହାରରେ ବିଜେପି ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ସେହି ଫର୍ମୁଲା ମହାରାଷ୍ଟ୍ରରେ କାହିଁକି ଲାଗୁ ହୋଇପାରିବ ନାହିଁ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ୍ୟର ୨୮୮ ଆସନରୁ ବିଜେପି ଏକାକି ୧୩୨ ଆସନରେ ବିଜୟୀ ହୋଇଛି। ଏହାର ସହଯୋଗୀ ଦଳ ଭାବେ ସିନ୍ଦେଙ୍କ ଶିବେସନା ୫୭ ଓ ଅଜିତ ପାୱାରଙ୍କ ଏନସିପି ୪୧ ଆସନ ହାସଲ କରିଛନ୍ତି। ଏହି ମେଣ୍ଟ ବିଧାନସଭାରେ ମୋଟ ୨୩୦ ଆସନ ହାସଲ କରିଛି।

Maharashtra Govt Eknath Sinde Debendra Fadnavis