Advertisment

ଆସନ୍ତାକାଲି ସୁଦ୍ଧା ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କରିବାକୁ ଏସବିଆଇକୁ ସୁପ୍ରିମ କୋର୍ଟଙ୍କ ତାଗିଦ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିବରଣୀ ଦାଖଲ କରିବା ପାଇଁ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
electoral-bond case

electoral-bond case

'୨୬ ଦିନ କ'ଣ କଲ? ଆମେ ଆପଣଙ୍କୁ ତଥ୍ୟ ଦାଖଲ କରିବାକୁ କହିଥିଲୁ। ତଥ୍ୟ ମିଳାଇବା ପାଇଁ କୁହାଯାଇନଥିଲା। ଆପଣ ନିର୍ଦ୍ଦେଶର ପାଳନ କରନ୍ତୁ। ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରନ୍ତୁ।' ଇଲେକ୍ଟୋରାଲ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଏଭଳି କିଛି ପ୍ରଶ୍ନ କରି ତା'ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ବିବରଣୀ ଦାଖଲ କରିବା ପାଇଁ ବ୍ୟାଙ୍କ ଯେଉଁ ସମୟ ମାଗିଥିଲା, ସେହି ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି।

Advertisment

ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନ ବଣ୍ଡର ବିବରଣୀ ଦାଖଲ କରିବାକୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା। ଏବେ ଏହି ଆବେଦନକୁ ଖାରଜ କରି ମାର୍ଚ୍ଚ ୧୨ ସୁଦ୍ଧା କାର୍ଯ୍ୟ ସମୟ ଶେଷ ହେବା ଭିତରେ ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ୧୫ ତାରିଖ ସୁଦ୍ଧା ଡାଟା ଉପଲବ୍ଧ କରିବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଇଲୋକ୍ଟ୍ରାଲ ବଣ୍ଡ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଯେତେବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସବିଶେଷ ତଥ୍ୟ ଦେବାକୁ ଅଧିକ ସମୟ ମାଗିଥିଲା। ସେତେବେଳେ ସୁପ୍ରିମକୋର୍ଟ ପଚାରିଥିଲେ ଏହି ସମସ୍ୟା କେଉଁଠୁ ଆସୁଛି। ୨୬ ଦିନ ଯାଏଁ ତୁମେ କ'ଣ କାମ କଲ? ବ୍ୟାଙ୍କରେ ଏକ ସିଲ ବନ୍ଦ ହୋଇଥିବା ଲଫାପା ଅଛି। ବ୍ୟାଙ୍କ ଏହାକୁ ଖୋଲି ସୁପ୍ରିମକୋର୍ଟଙ୍କୁ ତଥ୍ୟ ପ୍ରଦାନ କରିବା ଉଚିତ।

Advertisment

ଶୁଣାଣି ବେଳେ ଏସବିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଯୁକ୍ତି କରିଥିଲେ। ସେ କହିଥିଲେ ଯେ ଆମକୁ ଅଧିକ ସମୟ ଦରକାର।  ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଏସବିଆଇକୁ ଏପ୍ରିଲ ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କୁ ସବିଶେଷ ତଥ୍ୟ ଦେବାକୁ ପଡିବ। ଆମର ଏକମାତ୍ର ସମସ୍ୟା ହେଉଛି ଆମେ ସମଗ୍ର ପ୍ରକ୍ରିୟାକୁ ଓଲଟାଇବାକୁ ଚେଷ୍ଟା କରୁଛୁ। ଆମର ଏସ୍‌ଓପି ସୁନିଶ୍ଚିତ କରିଛି ଯେ ଆମର କୋର୍‌ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ଏବଂ ବଣ୍ଡ ନମ୍ବରରେ କ୍ରେତାଙ୍କର କୌଣସି ନାମ ନାହିଁ। ଆମକୁ କୁହାଯାଇଥିଲା ଯେ ଏହାକୁ ଗୁପ୍ତ ରଖିବା ଉଚିତ୍। ଆମେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ। 

ଏହା ଶୁଣିବା ପରେ ମୁଖ୍ୟ ବିଚାରପତି କହିଛନ୍ତି, ଆବେଦନ ବେଳେ ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସମସ୍ତ ତଥ୍ୟ ସିଲ୍ କରି ମୁମ୍ବାଇସ୍ଥିତ ଏସବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି। ମୁମ୍ବାଇରେ ଯଦି ସବୁ ବିବରଣୀ ଅଛି ତେବେ ତଥ୍ୟ ଦେବାରେ ଅସୁବିଧା କଣ? ୧୫ ଫେବ୍ରୁଆରୀରେ ମାମଲାର ଶୁଣାଣି ହୋଇଥିଲେ ସେତେବେଳେ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ତାହାକୁ ଆଜି ଯାଏଁ ଅନୁପାଳନ କାହିଁକି କରାଯାଇ ନାହିଁ।

ଏହାର ଉତ୍ତରରେ ଏସବିଆଇର ଓକିଲ ହରିଶ ସାଲଭେ ଯୁକ୍ତି ଦର୍ଶାଇଛନ୍ତି ଯେ ନିର୍ବାଚନ ବଣ୍ଡ କ୍ରୟ ତାରିଖ ଏବଂ କ୍ରେତାଙ୍କ ନାମ ଏକାଠି ଉପଲବ୍ଧ ନାହିଁ, ସେମାନଙ୍କୁ କୋଡ୍ କରାଯାଇଛି। ଏହା ଡିକୋଡ୍ କରିବାକୁ ସମୟ ଲାଗିବ।

ଆମେ ଆପଣଙ୍କୁ ତଥ୍ୟ ଏକାଠି କରିବାକୁ କହିନଥିଲୁ। ତଥ୍ୟ ଦାଖଲ କରିବାକୁ କହିଥିଲୁ। ଆପଣ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ କହି ୧୨ ତାରିଖ ଅଫିସ୍‌ ଟାଇମ୍‌ ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆକୁ ଅଲ୍ଟିମେଟମ୍‌ ଦେଇଛନ୍ତି ସୁପ୍ରିମକୋର୍ଟ।

ଗତ ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ବୋଲି କହିଥିଲେ। ତା’ପରେ ମାର୍ଚ୍ଚ ୬ ତାରିଖ ସୁଦ୍ଧ‌ା ୨୦୧୯ ମସିହା ଏପ୍ରିଲ୍‌ ୧୨ଠାରୁ ନେଇ ଏବେ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନୀ ବଣ୍ଡ କ୍ରୟର ବିବରଣୀ ଇସି ନିକଟରେ ଜମା କରିବାକୁ ଏସ୍‌ବିଆଇକୁ ‌ନିର୍ଦ୍ଦେଶ ଦେଇଥିଲେ। ହେଲେ ପୂର୍ବ ନିର୍ଦ୍ଦେଶକୁ ବ୍ୟାଙ୍କ୍‌ ପାଳନ କରିନାହିଁ। ତା’ପରେ ପୁଣି ଥରେ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଇସି ୱେ୍‌ସାଇଟ୍‌ରେ ସମସ୍ତ ବିବରଣୀ ଅପ୍‌ଲୋଡ ହେବା ଉଚିତ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

Supreme Court Electoral Bonds Case