Advertisment

Ladakh protest: ପାକିସ୍ତାନ ମାରି ପାରିନଥିଲା, କିନ୍ତୁ...: କାହିଁକି ଏମିତି କହିଲେ କାର୍ଗିଲ ଯୋଦ୍ଧାଙ୍କ ବାପା

କାର୍ଗିଲ ଯୁଦ୍ଧ ସମୟରେ ଟୋଲୋଲିଙ୍ଗରେ ହୋଇଥିବା ଲଢ଼େଇରେ ସାମିଲ ହୋଇଥିଲେ ଥାରଚିନ। ଯୁଦ୍ଧରେ ପରାକ୍ରମ ଦେଖାଇବା ପରେ ସେ ଦେଶ ସେବା କରି ଚାଲିଥିଲେ। କିନ୍ତୁ ୨୦୧୭ରେ ସେ ଆଗୁଆ ଅବସର ନେବା ସହ ଲେହରେ ଗୋଟିଏ ଡ୍ରେସ ଦୋକାନ ଖୋଲି ପରିବାର ଚଳାଉଥିଲେ।

author-image
Hemant Lenka
Tharchin

ପ୍ରାଣ ହରାଇଥିବା ଥାରଚିନ (ଫାଇଲ ଫଟୋ)

କାର୍ଗିଲ ଯୁଦ୍ଧର ଅନ୍ୟତମ ଭେଟରାନ ହେଉଛନ୍ତି ୪୬ ବର୍ଷୀୟ ଟସେୱାଙ୍ଗ ଥାରଚିନ୍‌। ସେ ୨୦୧୭ରେ ଭାରତୀୟ ସେନାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ଗୋଟିଏ ଡ୍ରେସ ଦୋକାନ ଖୋଲି ପରିବାର ଚଳାଉଥିଲେ। ଏସବୁ ଭିତରେ ଚଳିତ ବର୍ଷ ସେପ୍ଟେମ୍ବର ୨୪ରେ ଲଦାଖ(Ladakh)କୁ ରାଜ୍ୟ ମାନ୍ୟତା ଦାବିରେ ଲେହରେ ହୋଇଥିଲା ବିଶାଳ ବିକ୍ଷୋଭ। ଆଉ ଏଥିରେ ସାମିଲ ହୋଇଥିଲେ ଥାରଚିନ।

Advertisment

ଏହି ବିକ୍ଷୋଭ(Protest)ରେ ପ୍ରବଳ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ପୋଡ଼ାଜଳା ଓ ଭଙ୍ଗାରୁଜାରେ ଅଶାନ୍ତ ହୋଇ ଉଠିଥିଲା ଲେହ। ବିକ୍ଷୋଭ ହିଂସାକାଣ୍ଡର ରୂପ ନେଇଥିବା ବେଳେ ଥାରଚିନଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ସେମାନେ ପୂରା ଆତଙ୍କିତ ହୋଇ ପଡ଼ିଥିଲେ। ଶେଷରେ ସେମାନଙ୍କୁ ମିଳିଥିଲା ଅତ୍ୟନ୍ତ ହୃଦୟବିଦାରକ ସୂଚନା।

ଏବେ ଥାରଚିନଙ୍କ ମୃତଦେହ ଲେହ ଠାରୁ ୮ କିମି ଦୂରରେ ଥିବା ସାବୋ ଗାଁରେ ଥିବା ଘରେ ପଡ଼ି ରହିଛି। ଲେହରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଆଜି ତାଙ୍କର ଅନ୍ତିମ ସଂସ୍କାର ହେବ। ଏଥିରେ ସାମିଲ ହେବାକୁ ଶହଶହ ଲୋକ ଏକାଠି ହୋଇଛନ୍ତି।

Advertisment

ଥାରଚିନଙ୍କ ସମେତ ଅନ୍ୟ ୬ ଜଣେ ପୂର୍ବତନ ସେନା କର୍ମଚାରୀ ସେପ୍ଟେମ୍ବର ୧୦ରୁ ଲେହ ଆପେକ୍ସ ବଡି ଆରମ୍ଭ କରିଥିବା ରାଜ୍ୟ ମାନ୍ୟତା ବିକ୍ଷୋଭରେ ସାମିଲ ହୋଇଥିଲେ। କିନ୍ତୁ ସେପ୍ଟେମ୍ବର ୨୪ ବିକ୍ଷୋଭ ହିଂସାକାଣ୍ଡ ବେଳେ ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରେ ରହିଛନ୍ତି ଥାରଚିନ। ପୁଲିସ ବିକ୍ଷୋଭକାରୀଙ୍କ ଉପରୁ ଚଳାଇଥିବା ଗୁଳିରେ ତାଙ୍କର ମୃତ୍ୟୁ ହୋଇଛି। ଥାରଚିନଙ୍କ ପିଠିରେ ମାଡ଼ ହୋଇଥିବା ଗୋଟିଏ ଗୁଳି ସିଧା ଛାତି ପଟେ ବାହାରି ଯିବାରୁ ଘଟଣାସ୍ଥଳରେ ସେ ଆଖି ବୁଜିଥିଲେ।

ଭାରତୀୟ ସେନାର ଲଦାଖ ସ୍କାଉଟରେ ହାବିଲଦାର ଭାବେ କାମ କରୁଥିଲେ ଥାରଚିନ। ଭାରତୀୟ ସେନାର ସ୍ୱତନ୍ତ୍ର ପାହାଡ଼ ରେଜିମେଣ୍ଟ ଭାବେ ଲଦାଖ ସ୍କାଉଟ ପରିଚିତ। ସେ ଏହି ସ୍କାଉଟରେ ରହି ୧୯୯୬ରୁ ୨୦୧୭ ଯାଏ ଦେଶର ସେବା କରିଥିଲେ। କାର୍ଗିଲ ଯୁଦ୍ଧ ସମୟରେ ଟୋଲୋଲିଙ୍ଗରେ ହୋଇଥିବା ଲଢ଼େଇରେ ସାମିଲ ହୋଇଥିଲେ ଥାରଚିନ। ଯୁଦ୍ଧରେ ପରାକ୍ରମ ଦେଖାଇବା ପରେ ସେ ଦେଶ ସେବା କରି ଚାଲିଥିଲେ। କିନ୍ତୁ ୨୦୧୭ରେ ସେ ଆଗୁଆ ଅବସର ନେବା ସହ ଲେହରେ ଗୋଟିଏ ଡ୍ରେସ ଦୋକାନ ଖୋଲି ପରିବାର ଚଳାଉଥିଲେ।

ତାଙ୍କ ବାପା ଷ୍ଟାନଜିନ ନମଗୟାଲ ମଧ୍ୟ ଜଣେ କାର୍ଗିଲ ଭେଟରାନ। ତାଙ୍କୁ ସେନାଧ୍ୟକ୍ଷ ଏକଦା ପ୍ରଶଂସା ପତ୍ର ହସ୍ତାନ୍ତର କରିଥିଲେ। ଥାରଚିନଙ୍କ ପରିବାର ଲୋକ କହିଛନ୍ତି ଯେ ମୃତଦେହରେ ଲାଠି ମାଡ଼ର ଚିହ୍ନ ରହିଛି। ତେଣୁ ଗୁଳି ମାଡ଼ କରିବା ପୂର୍ବରୁ ତାଙ୍କୁ ଲାଠିରେ ପିଟା ଯାଇଥିଲା। ତେଣୁ ଏହାର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି।

ବିକ୍ଷୋଭ ବେଳେ ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ସଂସ୍କାର ରବିବାର କରାଯାଇଥିଲା। ସୋମବାର ଥାରଚିନ ଓ ଆଉ ଜଣଙ୍କ ଅନ୍ତିମ ସଂସ୍କାର କରାଯିବ। 
୪୬ ବର୍ଷୀୟ ପୁଅକୁ ହରାଇଥିବା ୭୪ ବର୍ଷୀୟ ନମଗୟାଲ କହିଛନ୍ତି, “ମୋ ପୁଅ ଦେଶ ଭକ୍ତ ଥିଲା। ସେ କାର୍ଗିଲ ଯୁଦ୍ଧ ଲଢ଼ିଥିଲା ଓ ୩ ମାସ ଶତ୍ରୁ ପକ୍ଷର ସାମ୍ନାରେ ରହିଥିଲା। ଦାହ ଟପ ଓ ଟୋଲୋଲିଙ୍ଗରେ ସେ ପାକିସ୍ତାନୀଙ୍କୁ କଡ଼ା ଜବାବ ଦେଇଥିଲା। କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନୀ ତାକୁ ମାରି ପାରି ନଥିଲେ। କିନ୍ତୁ ଏବେ ଆମ ନିଜ ସୈନ୍ୟ ବାହିନୀ ତା’ ଜୀବନ ନେଇ ଯାଇଛନ୍ତି।”

ନମଗୟାଲ ୨୦୦୨ରେ ସୁବେଦାର ମେଜର ଓ କ୍ୟାପ୍ଟେନ ଭାବେ ଭାରତୀୟ ସେନା ବାହିନୀରୁ ଅବସର ନେଇଥିଲେ। ସେ କହିଛନ୍ତି, “ମୁଁ ଓ ମୋ ପୁଅ ଏକାଠି କାର୍ଗିଲ ଯୁଦ୍ଧରେ ଲଢ଼େଇ କରିଥିଲୁ। ମୁଁ ୩ ଇନଫାଣ୍ଟ୍ରୀ ଡିଭିଜନରେ ରହିଥିବା ବେଳେ ଥାରଚିନ ଲଦାଖ ସ୍କାଉଟ୍ସରେ ରହିଥିଲା। ଥାରଚିନ ୪ ଥର ସିଆଚେନରେ ସେବା କରିଛି।

ମୁଁ ସେନା ମୁଖ୍ୟଙ୍କ ଠାରୁ ମୋ ସେବା ପାଇଁ ପ୍ରଶଂସା ପତ୍ର ପାଇଥିଲି। ସେନାରେ ସାମିଲ ହେବା ଆମ ରକ୍ତରେ ରହିଛି। ଏପରି କି ଥାରଚିନର ପିଲାମାନେ ଆର୍ମି ସ୍କୁଲରେ ପଢ଼ୁଛନ୍ତି। ପିଲାମାନେ ଆର୍ମିରେ ସାମିଲ ହୁଅନ୍ତୁ ବୋଲି ଥାରଚିନ ଚାହୁଁଥିଲା। କ’ଣ ସରକାର ଦେଶଭକ୍ତଙ୍କ ସହ ଏପରି ବ୍ୟବହାର କରନ୍ତି? 
କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ଠାରୁ ଧାଲୁଙ୍ଗବା ପୋଷ୍ଟ ଛଡ଼ାଇ ଆଣି ସେଠାରେ ତ୍ରିରଙ୍ଗା ଉଡ଼ାଇଥିବା ଟ୍ରୁପରେ ଥାରଚିନ ରହିଥିଲା।” 

Protest Ladakh