ଭାରତ-ଇୟୁ ବାଣିଜ୍ୟ ଡିଲ୍
ଭାରତ(India) ଓ ୟୁରୋପୀୟ ସଂଘ(ଇୟୁ) ମଧ୍ୟରେ ମୁକ୍ତ ବାଣିଜ୍ୟ ଡିଲ ସ୍ୱାକ୍ଷର ହେବାକୁ ଯାଉଛି। ଦୀର୍ଘ ୨୦ ତଳେ ଆରମ୍ଭ ହୋଇଥିବା ଆଲୋଚନା ଆଜି ସଫଳ ରୂପ ନେବ। ଦୁଇ ପକ୍ଷ ଆଜି ହିଁ ମୁକ୍ତ ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବେ। ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବ୍ୟବସାୟିକ ସହଯୋଗୀ।
ପରିସଂଖ୍ୟନ କହୁଛି ମୁକ୍ତ ବାଣିଜ୍ୟ ଡିଲ କାହିଁକି ଦୁଇ ପକ୍ଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ବର୍ଷ ୨୦୨୪-୨୫ରେ ୨୭ ଦେଶକୁ ନେଇ ଗଠିତ ୟୁରୋପୀୟ ସଂଘ ସହ ଭାରତ ୧୩୬.୫୩ ବିଲିୟନ ଡଲାରର ବ୍ୟବସାୟ କରିଛି। ଏହା ମଧ୍ୟରେ ୭୫.୮୫ ବିଲିୟନ ଡଲାରର ମୂଲ୍ୟର ରପ୍ତାନୀ ଓ ୬୦.୬୮ ବିଲିୟନର ଆମଦାନୀ ରହିଛି। ଏହାର ଅର୍ଥ ୟୁରୋପୀୟ ସଂଘ ଭାରତୀୟ ଦ୍ରବ୍ୟ ପାଇଁ ସବୁଠାରୁ ବଡ଼ ବଜାର ଭାବେ ଉଭା ହୋଇଛି।
ସେବା କ୍ଷେତ୍ରକୁ ବିଚାରକୁ ନେଲେ ୨୦୨୪ରେ ଏହା ୮୩.୧୦ ବିଲିୟନ ଡଲାର ରହିଥିଲା। ଟେଲିକମ୍ୟୁନିକେସନ, ଆଇଟି ଓ ବ୍ୟବସାୟିକ ସେବା ଇତ୍ୟାଦି ଏହା ମଧ୍ୟରେ ରହିଛି। ଭାରତର ମୋଟ ରପ୍ତାନୀ ମଧ୍ୟରେ ୟୁରୋପୀୟ ସଂଘର ଭାଗ ୧୭%। ଏପରି ସ୍ଥିତିରେ ମୁକ୍ତ ବାଣିଜ୍ୟ ଡିଲ ଦ୍ୱାରା ଭାରତୀୟ ବ୍ୟବସାୟ ବେଶ ସହଜରେ ଗୋଟିଏ ବଡ଼ ମାର୍କେଟକୁ ନିଜ ଅଧୀନକୁ ଆଣିବାରେ ସକ୍ଷମ ହେବ। ସେହିପରି ଭାରତକୁ ଆମଦାନୀ ହେଉଥିବା ଇୟୁର ପ୍ରାୟ ୯୬% ଦ୍ରବ୍ୟ ଉପରେ କୌଣସି ଟାରିଫ ଲାଗିବ ନାହିଁ। ଏହାଦ୍ୱାରା ୟୁରୋପୀୟ ୱାଇନ, ବିୟର ଓ ଫାର୍ମା ଭାରତୀ ଶସ୍ତା ହେବ। ଲୋକମାନେ ଏହର ଲାଭ ପାଇବେ ବୋଲି କୁହାଯାଉଛି।
ଶସ୍ତା ହେବ କାର
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷର ହେବାକୁ ଥିବା ମୁକ୍ତ ବାଣିଜ୍ୟ ଡିଲର ସବୁଠାରୁ ଚର୍ଚ୍ଚାରେ ରହିଛି କାର। କାରଣ ଭାରତର ଅଟୋ ମାର୍କେଟ ସବୁବେଳେ ବିଶ୍ୱର ସବୁଠାରୁ ସୁରକ୍ଷିତ ଭାବେ ରହି ଆସିଛି। ବର୍ତ୍ତମାନ ୟୁରୋପରେ ସଂପୂର୍ଣ୍ଣ ଭାବେ ନିର୍ମାଣ ହେଉଥିବା କାର ଗୁଡ଼ିକ ଉପରେ ୭୦ରୁ ୧୧୦% ଯାଏ ଟାରିଫ ଲାଗୁ ହେଉଛି।
ଏହି ଟିକସ କାରର ମଡେଲ ଓ ଦାମ ବ୍ରାଣ୍ଡ ଉପରେ ନିର୍ଭର କରେ। ଟିକସ ଯୋଗୁ ୟୁରୋପୀୟ କାରଗୁଡ଼ିକର ଦାମ ଭାରତୀୟ ଗ୍ରାହକଙ୍କ ପାଇଁ ଅଧିକ ରହୁଛି।
ମୁକ୍ତ ବାଣିଜ୍ୟ ଡିଲ ଅଧୀନରେ ଭାରତ ସରକାର ଟାରିଫକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସିଧା ୪୦%କୁ ହ୍ରାସ କରିବେ। ୧୬.୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୀମିତ କାର ଆମଦାନୀ ଉପରେ ଏହି ନିୟମ ଲାଗୁ ହେବ।
ସମୟକ୍ରମେ ଟାରିଫ ଧୀରେଧୀରେ ଆହୁରି ହ୍ରାସ ପାଇବ। ଟାରିଫ ମୋଟ ଉପରେ ୧୦%କୁ ଖସିବ ବୋଲି ବୁଝାମଣା ହୋଇଛି। ଚୁକ୍ତି ପରେ Volkswagen, Mercedes-Benz, BMW, Renault and Stellantis ଭଳି ୟୁରୋପୀୟ କାର ମଡେଲ ଗୁଡ଼ିକ ଭାରତରେ ଶସ୍ତାରେ ଉପଲବ୍ଧ ହେବ। ତେବେ ଡିଲର ପ୍ରଥମ ୫ ବର୍ଷ ଯାଏ ସଂପୂର୍ଣ୍ଣ ବିଦ୍ୟୁତ ଚାଳିତ ଗାଡ଼ିଗୁଡ଼ିକୁ ମୁକ୍ତ ବାଣିଜ୍ୟ ଡିଲରୁ ବାଦ ଦିଆଯିବ। କାରଣ ଭାରତ ସରକାର ମହିନ୍ଦ୍ରା ଓ ମହିନ୍ଦ୍ରା ଏବଂ ଟାଟା ମୋଟର୍ସ ଭଳି ଘରୋଇ ନିବେଶକାରୀଙ୍କୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି।
ଟେକ୍ସଟାଇଲ୍ସ, ଇଲେକ୍ଟ୍ରୋନିକ୍ସ ଓ ମାର୍କେଟ
କାର ବ୍ୟତୀତ ବାଣିଜ୍ୟ ଡିଲର ପ୍ରଭାବ ଦ୍ରବ୍ୟ କ୍ଷେତ୍ରରେ ମଧ୍ୟ ପଡ଼ିବ। ଭାରତୀୟ ବୟନଶିଳ୍ପ ଓ ପୋଷାକପତ୍ର ଏବେ ୟୁରୋପୀୟ ଦେଶରେ ୧୦% ଟିକସର ସାମ୍ନା କରୁଛନ୍ତି। ମୁକ୍ତ ବାଣିଜ୍ୟ ଡିଲ ପରେ ଏହି ଟିକସ ପରିମାଣ ଧୀରେଧୀରେ ହ୍ରାସ ପାଇବ। ଏହାଦ୍ୱାରା ଭାରତୀୟ ରପ୍ତାନୀକାରୀମାନେ ୟୁରୋପର ବିଶାଳ ମାର୍କେଟରେ ବାଂଲାଦେଶ ଓ ଭିଏତନାମା ଭଳି ଦେଶ ସହ ପ୍ରଭାବଶାଳୀ ଭାବେ ଲଢ଼େଇ କରିବାକୁ ସକ୍ଷମ ହେବେ।
କିଛି ନିର୍ଦ୍ଦିଷ୍ଟ ସୀମା ଶୁଳ୍କ ହ୍ରାସ ହେବା ପରେ ୟୁରୋପ ସହ ଜଡ଼ିତ ଇଲେକ୍ଟ୍ରୋନିକ୍ସ ଓ ଯନ୍ତ୍ରପାତି ମଧ୍ୟ ଶସ୍ତା ହେବ। ଏବେ ସ୍ୱତନ୍ତ୍ର ସାମଗ୍ରୀ ପାଇଁ ଅଧିକ ମାତ୍ରାରେ ସୀମା ଶୁଳ୍କ ଦେଉଥିବା ଭାରତୀୟ ଉତ୍ପାଦନକାରୀଙ୍କୁ ମୁକ୍ତ ବାଣିଜ୍ୟ ଡିଲ ଅଧିକ ଲାଭ ଦେବ। ବୈଷୟିକ କଟକଣା ହ୍ରାସ ପାଇବାକୁ ଥିବାରୁ ଭାରତୀୟ ମେସିନାରୀ ଓ ବୈଦ୍ୟୁତିକ ଉପକରଣ ରପ୍ତାନୀକାରୀମାନେ ମଧ୍ୟ ସହଜରେ ୟୁରୋପୀୟ ମାର୍କେଟରେ ପ୍ରବେଶ କରିପାରିବେ।
ଭାରତୀୟ ଉପଭୋକ୍ତା ଓ ବ୍ୟବସାୟୀଙ୍କ ପାଇଁ ଏହାର ପ୍ରଭାବ ସମୟକ୍ରମେ ଦେଖିବାକୁ ମିଳିବ। କାରଣ ଉଚ୍ଚ ମୂଲ୍ୟର ଆମଦାନୀ ଅଧିକ ଶସ୍ତା ହୋଇଯିବ। ଦୁନିଆର ସବୁଠାରୁ ସମୃଦ୍ଧି ବଜାରରେ ଭାରତୀୟ ରପ୍ତାନୀକାରୀ ଅଧିକ ପ୍ରଭାବୀ ହୋଇପାରିବେ।
ସେବା ଓ କୁଶଳୀ କାରିଗର
ୟୁରୋପ ସହ ଭାରତର ଅର୍ଥନୀତିକ ବୁଝାମଣା ଦିଗରେ ସେବା କ୍ଷେତ୍ର ଗୋଟିଏ ଶକ୍ତିଶାଳୀ ସ୍ତମ୍ଭ ଭାବେ ରହିଛି। କାରଣ ଏହି କ୍ଷେତ୍ରରେ ବାଣିଜ୍ୟ ୮୩.୧ ବିଲିୟନ ଡଲାରକୁ ଛୁଇଁ ସାରିଛି। ଆଇଟି, ଇଞ୍ଜିନିୟରିଂ ଓ କନସଲଟିଂ ସହ ଜଡ଼ିତ ଭାରତୀୟଙ୍କୁ ଏହି ମୁକ୍ତ ବାଣିଜ୍ୟ ଡିଲ ଅଧିକ ଭାଗିଦାରୀ ହେବାକୁ ସୁଯୋଗ ଦେବ। ପ୍ରବେଶ ନିୟମକୁ ଅଧିକ ଦ୍ରୁତ ଓ ଅଧିକ ନିରପେକ୍ଷ କରିବାକୁ ମଧ୍ୟ ଡିଲରେ ବ୍ୟବସ୍ଥା ହୋଇଛି।
ସେବା କ୍ଷେତ୍ରର ସମାନ୍ୟ ରପ୍ତାନୀ ଅଭିବୃଦ୍ଧି ମଧ୍ୟ ଭାରତର ବିଦେଶ ଆୟରେ ଉଲ୍ଲେଖନୀୟ ସୁଧାର ଆଣିବ। ୟୁରୋପରେ କମ ସମୟ ପାଇଁ କାମର ସନ୍ଧାନରେ ଥିବା କୁଶଳୀ କାରିଗରଙ୍କ ପାଇଁ ଏହି ଡିଲ ଅଧିକ ସୁଯୋଗ ସୃଷ୍ଟି କରିବ।
କୃଷି ଓ ଫାର୍ମ ବାଣିଜ୍ୟ
ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଡିଲରେ କୃଷି କ୍ଷେତ୍ର ସବୁଠାରୁ ଅଧିକ ରାଜନୀତିକ ସମ୍ବେଦନଶୀଳ ବିଷୟ ହୋଇ ରହିଛି। ଏହି କ୍ଷେତ୍ରକୁ ବିଶାଳ ଟାରିଫ ହ୍ରାସରୁ ବାଦ ଦିଆଯାଇଛି। ଉଭୟ ନୂଆଦିଲ୍ଲୀ ଓ ବ୍ରୁସେଲ୍ସ ଘରୋଇ ସ୍ତରରେ ବିରୋଧ ଯୋଗୁ କୃଷି ଓ ଦୁଗ୍ଧ ଜାତୀୟ ଦ୍ରବ୍ୟକୁ ବେଶ ସତର୍କତାର ସହ ବିଚାର କରୁଛନ୍ତି। ଏଥିଯୋଗୁ କୃଷି କ୍ଷେତ୍ରକୁ ଡିଲରୁ ବାଦ ରଖିବାକୁ ଦୁଇ ପକ୍ଷ ରାଜି ହୋଇଛନ୍ତି।
ଦୁଗ୍ଧ ଜାତୀୟ ଦ୍ରବ୍ୟ ଓ ଚିନିକୁ ଡିଲରୁ ବାଦ ରଖାଯାଇଥିବା ଇୟୁ ଅଧିକାରୀ ସୂଚନା ଦେଇଛନ୍ତି। ଗୋ-ମାଂସ, ଚିନି ଓ ଚାଉଳ ମାର୍କେଟକୁ ସୁରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇ ୟୁରୋପୀୟ ସଂଘ।
ସେହିପରି ଭାରତ ସରକାର ନିଜ ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସୁରକ୍ଷିତ ରଖିବା ପାଇଁ କୃଷି ଓ ଦୁଗ୍ଧ ଜାତୀୟ ୟୁରୋପୀୟ ଦ୍ରବ୍ୟ ଗୁଡ଼ିକ ଉପରେ ଉଚ୍ଚ ଟାରିଫ ଲାଗୁ କରିବେ। ଏହାର ଅର୍ଥ ମୁକ୍ତ ବାଣିଜ୍ୟ ଡିଲ ଯୋଗୁ କୃଷି ଜାତୀୟ ଦ୍ରବ୍ୟର ଦାମ କିମ୍ବା ଆମଦାନୀର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/27/eu-2026-01-27-12-49-43.jpg)