Advertisment

Lok Sabha: ପ୍ରଧାନମନ୍ତ୍ରୀଙ୍କ ଆସନକୁ ଘେରାଉ କରିଥିଲେ ମହିଳା ସାଂସଦ: ଭାଷଣର ଠିକ ପୂର୍ବରୁ ଲୋକସଭାରେ କ’ଣ ହୋଇଥିଲା?

ସେ ଆହୁରି ଦାବି କରିଛନ୍ତି ଯେ ବିରୋଧୀ ସାଂସଦମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ସେମାନଙ୍କର ଆଚରଣ ଗମ୍ଭୀର ସୁରକ୍ଷା ଚିନ୍ତା ସୃଷ୍ଟି କରିଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥାନ୍ତେ ବୋଲି ମଧ୍ୟ ମନୋଜ ତିୱାରୀ କହିଛନ୍ତି।

author-image
Hemant Lenka
MP

ଲୋକସଭା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ସମ୍ବୋଧିତ କରିବାର କିଛି ମିନିଟ୍ ପୂର୍ବରୁ ବୁଧବାର ଲୋକସଭା(Lok Sabha)କୁ ମୁଲତବୀ କରି ଦିଆଯାଇଛି। ବିରୋଧୀ ସାଂସଦମାନଙ୍କ ହୋହାଲ୍ଲା ଓ ଟ୍ରେଜେରୀ ବେଞ୍ଚ ନିକଟରେ ମୁହାଁମୁହିଁ ସ୍ଥିତି ଦେଖାଯିବାରୁ ଗୃହର ଅଧ୍ୟକ୍ଷ ଏପରି ପଦକ୍ଷେପ ନେଇଛନ୍ତି। ଏଥିଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଉତ୍ତର ରଖିପାରି ନାହାନ୍ତି। ସମ୍ଭବତଃ ଆସନ୍ତାକାଲି ସେ ଗୃହକୁ ସମ୍ବୋଧନ କରିବେ। 

Advertisment

କିନ୍ତୁ କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ପୂର୍ବରୁ ଗୃହକୁ ମୁଲତବୀ କରାଗଲା? ଗୃହରେ ଏମିତି କେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା? ବିଜେପି ସାଂସଦ ମନୋଜ ତିୱାରୀ ଅଭିଯୋଗ କରିଛନ୍ତି ଯେ ବିରୋଧୀଦଳର ଏକାଧିକ ମହିଳା ସାଂସଦ ଗୃହର ମଧ୍ୟ ଭାଗକୁ ଆସିବା ସହ ପ୍ରଧାନମନ୍ତ୍ରୀଙ୍କ ଆସନ ଆଡ଼କୁ ମାଡ଼ି ଯାଇଥିଲେ।

ସେମାନେ ପ୍ରଧାନମନ୍ତ୍ରୀଙ୍କ ଆସନକୁ ଘେରାଉ କରି ରଖିବା ସହ ବିଭିନ୍ନ ପ୍ରକାରର ପୋଷ୍ଟର ପ୍ରଦର୍ଶନ କରିଥିଲେ। ଗୃହରେ ଉପସ୍ଥିତ ଥିବା ବରିଷ୍ଠ ମନ୍ତ୍ରୀମାନେ ସେମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବାରୁ ପ୍ରଧାନମନ୍ତ୍ରୀ ଗୃହ ଭିତରକୁ ପ୍ରବେଶ କରିପାରି ନଥିଲେ ବୋଲି ଶ୍ରୀ ତିୱାରୀ କହିଛନ୍ତି। 

Advertisment

ସେ ଆହୁରି ଦାବି କରିଛନ୍ତି ଯେ ବିରୋଧୀ ସାଂସଦମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ସେମାନଙ୍କର ଆଚରଣ ଗମ୍ଭୀର ସୁରକ୍ଷା ଚିନ୍ତା ସୃଷ୍ଟି କରିଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥାନ୍ତେ ବୋଲି ମଧ୍ୟ ମନୋଜ ତିୱାରୀ କହିଛନ୍ତି।

ବିରୋଧୀ ସାଂସଦମାନେ ସ୍ଲୋଗାନ ଦେଇ ଗୃହର ମଧ୍ୟ ଭାଗକୁ ଆସିବା ସହ ଗୋଟିଏ ବଡ଼ ବ୍ୟାନର ପ୍ରଦର୍ଶନ କରିଥିଲେ। ଏଥିରେ ଯାହା ଉଚିତ ଲାଗେ ତାହା କର ବୋଲି ଲେଖାଥିଲା। କଂଗ୍ରେସ ସାଂସଦମାନଙ୍କ ସହ ଟିଏମସି ଓ ସପାର ସଦସ୍ୟମାନେ ମଧ୍ୟ ହଟ୍ଟଗୋଳରେ ସାମିଲ ହୋଇଥିଲେ। ତେବେ ଏହି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ନଥିଲେ। 

ଟ୍ରେଜରୀ ବେଞ୍ଚ ନିକଟରେ ମୁହାଁମୁହିଁ 

ବିଭ୍ରାଟ ଓ ହୋହାଲ୍ଲା ମଧ୍ୟରେ ବିରୋଧୀ ଦଳର କିଛି ମହିଳା ସାଂସଦ ଟ୍ରେଜରୀ ବେଞ୍ଚ ଆଡ଼କୁ ମାଡ଼ି ଯାଇଥିଲେ। ସେମାନେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସହ ଯୁକ୍ତିତର୍କ କରିଥିଲେ। ସାଂସଦ ଜ୍ୟୋତିମଣି ଓ ବର୍ଷା ଗାଏକ୍ୱାଡଙ୍କ ସମେତ କିଛି ସାଂସଦ ବିଜେପିର ନିଶିକାନ୍ତ ଦୁବେଙ୍କ ଆଡ଼କୁ ମାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହାକୁ କାଉଣ୍ଟର କରିବା ପାଇଁ ବିଜେପିର ମହିଳା ସାଂସଦମାନେ ମଧ୍ୟ ମାଡ଼ି ଆସିଥିଲେ। ଫଳରେ କିଛି ସମୟ ପାଇଁ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। 

ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହର ଅଧ୍ୟକ୍ଷ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ। ତଥାପି କିଛି ସମୟ ପାଇଁ ହଙ୍ଗାମା ଜାରି ରହିଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ ମନ୍ତ୍ରୀମାନେ ନାରାବାଜୀ କରୁଥିବା ବିରୋଧୀ ସାଂସଦମାନଙ୍କୁ ପଛକୁ ହଟିବାକୁ ଅନୁରୋଧ କରୁଥିବା ଭିଡିଓ ସାମ୍ନାକୁ ଆସିଛି। କିନ୍ତୁ ମହିଳା ସାଂସଦମାନେ ସେମାନଙ୍କ କଥା ଶୁଣି ନଥିଲେ। ଶେଷରେ କଂଗ୍ରେସ ସାଂସଦ ଦୀପେନ୍ଦର ହୁଡା ଏଥିରେ ହସ୍ତକ୍ଷେପ କରିଥିଲେ ଓ ଉଭୟ ପକ୍ଷର ସଦସ୍ୟମାନଙ୍କୁ ନିଜ ନିଜ ସ୍ଥାନକୁ ଫେରିବାକୁ କହିଥିଲେ।

ବିରୋଧୀଙ୍କ ପ୍ରତିକ୍ରିୟା

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶାସକ ଦଳ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିରୋଧ ଯୋଗୁ ଗୃହକୁ ଆସି ନାହାନ୍ତି। ସେ ଭୟଭୀତ ଓ ସେଥିପାଇଁ ଗୃହକୁ ଆସି ନାହାନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେ ବୁଲେଟ୍ ଟ୍ରେନ୍ ପରି ପଳାଇ ଯାଇଥିଲେ ବୋଲି ପ୍ରିୟଙ୍କା କହିଛନ୍ତି। 

ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ଗୃହକୁ ଆସିବେ ବୋଲି ଆମେ ଅପେକ୍ଷା କରିଥିଲୁ। ଆମ ପାଖରେ ବାରାଣସୀର ମଣିକର୍ଣ୍ଣିକା ଘାଟ ଭାଙ୍ଗିବା ଓ ଅହଲ୍ୟାବାଈ ହୋଲକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଭଳି ପ୍ରସଙ୍ଗ ଆମ ପାଖରେ ଥିଲା।” 

Lok Sabha