/odisha-reporter/media/post_attachments/uploadimage/library/16_9/16_9_0/ATGM_1746778131.jpg)
ATGM
ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତକୁ ଟାର୍ଗେଟ କରୁଥିବା ପାକିସ୍ତାନ ସେନାର ଏକାଧିକ ଆଉଟ ପୋଷ୍ଟକୁ ଧ୍ୱଂସ କରିଛି ଭାରତୀୟ ସେନା। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଗୁରୁବାର ସନ୍ଧ୍ୟାରେ ଭାରତକୁ ଟାର୍ଗେଟ କରିଥିଲା। କିନ୍ତୁ ପାକିସ୍ତାନ ମାଡ଼ କରିଥିବା ପ୍ରାୟ ୫୦ଟି ଡ୍ରୋନ ଓ ମିସାଇଲକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶ ପଥରେ ହିଁ ନଷ୍ଟ କରିଦେଇଥିଲା।
ଆକାଶ ପଥରେ ଫେଲ ମାରିବା ପରେ ପାକିସ୍ତାନ ସେନା ଏଲଓସିର ବିଭିନ୍ନ ସ୍ଥାନରେ ଗୁଳି ବର୍ଷା କରିଥିଲା। ହେଲେ ଭାରତୀୟ ସେନା ପ୍ରଭାବଶାଳୀ ଢଙ୍ଗରେ ଏକାଧିକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛି। ଉକ୍ତ ପୋଷ୍ଟ ଗୁଡ଼ିକରୁ ହିଁ ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ କରାଯାଉଥିଲା। ଏଲଓସି ନିକଟରେ ଥିବା ଗୋଟିଏ ପାକିସ୍ତାନୀ ମିଲିଟାରୀ ପୋଷ୍ଟ ଧ୍ୱଂସ ହେବା ବେଳର ଭିଡିଓକୁ ଭାରତୀୟ ସେନା ପ୍ରଥମଥର ଶେୟାର କରିଛି। ପାକିସ୍ତାନୀ ପୋଷ୍ଟକୁ ଟାର୍ଗେଟ କରିବା ପାଇଁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲର ବ୍ୟବହାର ହୋଇଥିବା ଜଣାପଡ଼ିଛି।
ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ବା ଏଟିଜିଏମ କ’ଣ?
ଅତ୍ୟନ୍ତ ବଡ଼ ସଶସ୍ତ୍ର ଭେଇକିଲକୁ ଧ୍ୱଂସ କରିବା ପାଇଁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲକୁ ବ୍ୟବହାର କରାଯାଏ। ବିଶେଷ କରି ଟ୍ୟାଙ୍କ ଧ୍ୱଂସ ପାଇଁ ଏହାକୁ ଡିଜାଇନ କରାଯାଇଛି। ଏହି ମିସାଇଲ ଗାଇଡେଡ୍, ଏହାର ଅର୍ଥ ମିସାଇଲ ତା’ର ଟାର୍ଗେଟକୁ ପ୍ରଥମେ ଲକ୍ କରିଥାଏ। ପୁରୁଣା ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଠାରୁ ଏହାର ନିଶାନା ବେଶ ସଠିକ। ଟାର୍ଗେଟକୁ ଲକ କରିବା ପରେ ଏହାକୁ କାନ୍ଧ ଉପରେ ରଖି, ଟ୍ରାଇପଡ, ସେନା ଗାଡ଼ି କିମ୍ବା ଏୟାରକ୍ରାଫ୍ଟରୁ ମାଡ଼ କରାଯାଏ। ଏଟିଜିଏମର ବିଶେଷତ୍ୱ ହେଲା, ଏହା ସୁରକ୍ଷିତ ଦୂରତାରୁ ସୈନ୍ୟମାନଙ୍କୁ ଟାର୍ଗେଟକୁ ହିଟ କରିବାର ସହାୟକ ହୋଇଥାଏ।
କେମିତି କାମ କରେ ଏଟିଜିଏମ?
ଅଧିକାଂଶ ଏଟିଜିଏମ ଗୋଟିଏ ଶେପଡ ଚାର୍ଜରେ ବ୍ୟବହାର ହୋଇଥାଆନ୍ତି। ଏହା ଏମିତି ଏକ ସ୍ୱତନ୍ତ୍ର ପଦ୍ଧତିର ବିସ୍ଫୋରକ ଯାହା ଗୋଟିଏ ଦିଗରେ, ତା’ର ସବୁ ଶକ୍ତି ଫୋକସ କରିଥାଏ। ଫଳସ୍ୱରୂପ ବଡ଼ବଡ଼ ଟ୍ୟାଙ୍କ ଆର୍ମୋରକୁ ଏହା ଗୋଟିଏ ଝଟକାରେ ଧ୍ୱଂସ କରିବାକୁ ସକ୍ଷମ ହୋଇଥାଏ।
କିଛି ଅତ୍ୟାଧୁନିକ ଏଟିଜିଏମକୁ ଯୁଦ୍ଧାସ୍ତ୍ର ବହନ ପାଇଁ ବ୍ୟବହାର କରାଯାଏ। ଏହାର ଅର୍ଥ ଦୁଇ ପ୍ରକାରର ବିସ୍ଫୋରଣ କରିବାର କ୍ଷମତା ଏଟିଜିଏମର ରହିଛି। ପ୍ରଥମ ବିସ୍ଫୋରଣ ଟ୍ୟାଙ୍କର ବାହ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆକ୍ଟିଭ କରିଥାଏ। ଏହାକୁ ଏକ୍ସପ୍ଲୋସିଭ ରିଆକ୍ଟିଭ ଆର୍ମୋର ବା ଇଆରଏ କୁହାଯାଏ। ଇଆରଏକୁ ବାହାର ପାର୍ଶ୍ୱର ସୁରକ୍ଷା ପାଇଁ ଡିଜାଇନ କରାଯାଇଛି। ଦ୍ୱିତୀୟ ବିସ୍ଫୋରଣ ଟ୍ୟାଙ୍କର ଆଉଟର ସୁରକ୍ଷା ବ୍ୟବସ୍ଥା ଆକ୍ଟିଭ ହେବା ପରେ ହୋଇଥାଏ। ଏହାପରେ ଟ୍ୟାଙ୍କର ମୁଖ୍ୟ ଆର୍ମୋରକୁ ମାଟିରେ ମିଶାଇ ଦେଇଥାଏ।
ଏଟିଜିଏମ ଉଭୟ ରାତିରେ ଓ ଦିନରେ କାର୍ଯ୍ୟକ୍ଷମ ହେବାକୁ ସକ୍ଷମ। ଏହା ସବୁ ପ୍ରକାରର ପରିବେଶରେ କାମ କରିପାରିବ। ଏହା ମଧ୍ୟରୁ କିଛି ଏଟିଜିଏମରେ ଟପ୍ ଆଟାକ ମୋଡ ବି ରହିଛି। ଏହାର ଅର୍ଥ ଏଟିଜିଏମ ଉପରୁ ଆସି ସିଧା ଟ୍ୟାଙ୍କକୁ ହିଟ କରିପାରିବ। ଅଧିକାଂଶ ଅତ୍ୟାଧୁନିକ ଏଟିଜିଏମରେ ଏମିତି କିଛି ବ୍ୟବସ୍ଥା ରହିଛି, ଯାହାକୁ ଡୁଆଲ ମୋଡ ସିକର କୁହାଯାଏ। ଏହା ଟାର୍ଗେଟକୁ ଠାବ କରିବା ସହ ବେଶ ପ୍ରଭାବଶାଳୀ ଢଙ୍ଗରେ ଅନୁସରଣ କରି ହିଟ କରିବାରେ ସହାୟକ ହୋଇଥାଏ।
କ’ଣ ଏଟିଜିଏମକୁ ଅଟକା ଯାଇପାରିବ?
କିଛି ଟ୍ୟାଙ୍କ ରିଆକ୍ଟିଭ ଆର୍ମୋର ବ୍ୟବହାର କରନ୍ତି। ଏହା ସ୍ୱତନ୍ତ୍ର ପ୍ଲେଟ। ଏଥିରେ ଏଟିଜିଏମ ହିଟ ହେବା ପରେ ବାହାର ପାର୍ଶ୍ୱରେ ହିଁ ବିସ୍ଫୋରଣ ହୋଇଥାଏ। ଫଳରେ ମିସାଇଲ ବାହାରେ ଅଟକି ଯାଇଥାଏ। ଅନ୍ୟଗୁଡ଼ିକ ସଲ୍ଟ ଆର୍ମୋର ବ୍ୟବହାର କରନ୍ତି। ଏହା ଏକ ମେଟାଲ କେଜ୍ ଯାହା ମିସାଇଲର ଫ୍ୟୁଜକୁ ଟ୍ୟାମ୍ପର କରି ଆଗୁଆ ବିସ୍ଫୋରଣ କରି ନଷ୍ଟ କରିଦିଏ। ଟ୍ୟାଙ୍କରେ ଏମିତି କିଛି ବ୍ୟବସ୍ଥା ରହିଛି, ଯାହା ମିସାଇଲ ସିଗ୍ନାଲକୁ ଜାମ କରିଦେଇଥାଏ କିମ୍ବା ଏହାକୁ ବାଟବଣା କରିବାରେ ସକ୍ଷମ ହୋଇଥାଏ।
ଇସ୍ରାଏଲର ମେରକାଭା ଭଳି ଅତ୍ୟାଧୁନିକ ଟ୍ୟାଙ୍କରେ ଏମିତି ଏକ ସିଷ୍ଟମର ବ୍ୟବହାର କରାଯାଏ, ଯାହାକୁ ଟ୍ରଫି କୁହାଯାଏ। ଏହା ଟ୍ୟାଙ୍କ ଆଡ଼କୁ ଆସୁଥିବା ମିସାଇଲକୁ ଚିହ୍ନଟ କରିପାରେ ଓ ହିଟ କରିବା ପୂର୍ବରୁ ଏହାକୁ ଖସାଇ ଦେଇଥାଏ। ଏହି ଧରଣର ଆକ୍ଟିଭ ପ୍ରୋଟେକସନ ସିଷ୍ଟମ(ଏପିଏସ୍) ଅତ୍ୟନ୍ତ ହାଲୁକା, ଦ୍ରୁତ ଓ ସ୍ମାର୍ଟ।
କିଛି ଟ୍ୟାଙ୍କ ଧୂଆଁ, ଧୂଳି ବ୍ୟବହାର କରିବା ସହ ମିସାଇଲକୁ ଧ୍ୱଂସ କରିବା ପାଇଁ ଦ୍ରୁତ ଗତିରେ କାଉଣ୍ଟର ଆଟାକ କରିବାରେ ସକ୍ଷମ ହୁଅନ୍ତି। ବିଶ୍ୱର ୧୩୦ରୁ ଅଧିକ ଦେଶ ଏଟିଜିଏମକୁ ଆଜିକା ଦିନରେ ବ୍ୟବହାର କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ବେଳେ ଏହାର ବ୍ୟବହାର ବହୁଳ ଭାବେ ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
