/odisha-reporter/media/post_attachments/uploadimage/library/16_9/16_9_0/IMAGE_1746177196.jpg)
Vizhinjam Seaport
କେରଳର ବିଝିନଜାମ ଅନ୍ତର୍ଜାତୀୟ ସାମୁଦ୍ରିକ ବନ୍ଦରକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ଆଦାନୀ ଗ୍ରୁପ ପକ୍ଷରୁ ତିଆରି ହୋଇଥିବା ଏହି ବିଶାଳ ବନ୍ଦର ଭାରତର ପ୍ରଥମ ମେଗା ଟ୍ରାନ୍ସଶିପମେଣ୍ଟ କଣ୍ଟେନର ଟର୍ମିନାଲ। ଶିପିଂକୁ ନେଇ ରହିଥିବା ସମସ୍ୟା ଏଣିକି ଏହି ବନ୍ଦର ଯୋଗୁ ସମାଧାନ ହୋଇଯିବ। ଏହାଦ୍ୱାରା ଭାରତ ବାର୍ଷିକ ୨୨୦ ମିଲିୟନ ଡଲାରର ଲାଭ ପାଇବ। ଶିପିଂ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାର ପରିମାଣ ହ୍ରାସ ପାଇବ।
୮,୯୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ କେବଳ ରାଜସ୍ୱ ବୃଦ୍ଧି କରିବାରେ ସହାୟକ ହେବ ନାହିଁ, ବରଂ ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ମଜବୁତ କରିବ। ଲଜିଷ୍ଟିକ ଦକ୍ଷତା ବୃଦ୍ଧି କରିବା ସହ ବିଦେଶୀ ବନ୍ଦର ଉପରେ ଭାରତ କରୁଥିବା ନିର୍ଭରକୁ କମ କରିବ।
ଟ୍ରାନ୍ସଶିପମେଣ୍ଟ ବନ୍ଦର କ’ଣ?
ବିଝିନଜାମ ଏକ ଡିପୱାଟର କଣ୍ଟେନର ଟ୍ରାନ୍ସଶିପମେଣ୍ଟ ବନ୍ଦର। ବନ୍ଦରର ପାଣି ୧ କିମି ଯାଏ ବ୍ୟାପିଛି। ଏହାର ଗଭୀରତା ୧୮ରୁ ୨୦ ମିଟର ରହିଛି। ତେଣୁ ଏହା ବଡ଼ବଡ଼ ଟ୍ୟାଙ୍କରଗୁଡ଼ିକ କୂଳକୁ ଆସିବାରେ ବେଶ ସହାୟକ ହେବ। ଯେକୌଣସି ଗାର୍ଗୋ କିମ୍ବା କଣ୍ଟେନରକୁ ଗୋଟିଏ ଜାହାଜରୁ ଅନ୍ୟ ଏକ ଜାହାଜରେ ନିଜ ଗନ୍ତବ୍ୟ ସ୍ଥଳକୁ ନେଉଥିବା ପ୍ରକ୍ରିୟାକୁ ଟ୍ରାନ୍ସଶିପମେଣ୍ଟ କୁହାଯାଏ। ଗନ୍ତବ୍ୟ ସ୍ଥଳକୁ ଜିନିଷ ଯିବାକୁ ସିଧା ରାସ୍ତା ନଥିବା ବେଳେ ଏହି ବ୍ୟବସ୍ଥାକୁ ଆପଣା ଯାଏ।
ଯେଉଁ ବନ୍ଦରରେ ଏପରି ଅଦଳବଦଳ ହୁଏ, ତା’କୁ ଟ୍ରାନ୍ସଶିପମେଣ୍ଟ ବନ୍ଦର କୁହାଯାଏ। ଉଦାହରଣ ଦ୍ୱାରା ବୁଝନ୍ତୁ – କୌଣସି ଗାର୍ଗୋକୁ ଲୋଡିଂ ପୋର୍ଟ ବା ପିଓଏଲରୁ ଜାହାଜ ଏ ଦ୍ୱାରା ଅଣାଗଲା, ସେହି କାର୍ଗୋକୁ ଟ୍ରାନ୍ସଶିପମେଣ୍ଟ ପୋର୍ଟରେ ଅନଲୋଡିଂ କରାଯାଏ। ସେଠାରୁ ଜାହାଜ ବି ରେ ଉକ୍ତ କାର୍ଗୋକୁ ଲୋଡିଂ କରି ନିଜର ଗନ୍ତବ୍ୟ ସ୍ଥଳକୁ ପଠାଯିବାର ବ୍ୟବସ୍ଥା ଥିବା ବନ୍ଦରକୁ ଟ୍ରାନ୍ସଶିପମେଣ୍ଟ ବନ୍ଦର କୁହାଯାଏ।
ଭାରତକୁ ଟ୍ରାନ୍ସଶିପମେଣ୍ଟ ପୋର୍ଟର ଆବଶ୍ୟକତା କ’ଣ ଥିଲା?
ଭାରତରେ ଗଭୀର ଜଳ ରାଶିରେ କଣ୍ଟେନର ଟ୍ରାନ୍ସଶିପମେଣ୍ଟ ବନ୍ଦରର ଅଭାବ ରହିଥିଲା। ଏବେ ଭାରତର ୭୫% ଟ୍ରାନ୍ସଶିପମେଣ୍ଟ କାର୍ଗୋ ଗୁଡ଼ିକୁ ବିଦେଶର ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିଯୋଗୁ ଭାରତୀୟ ବ୍ୟବସାୟୀଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ସେହିପରି ଭିଡ଼ ଯୋଗୁ ସେଠାରେ ଭାରତୀୟ କାର୍ଗୋକୁ ଅଧିକ ଗୁରୁତ୍ୱ ଦିଆଯାଉନି। ସେମାନେ ନିଜ ଇଚ୍ଛାରେ କାମ କରୁଛନ୍ତି। ଏଥିଯୋଗୁ ଭାରତୀୟ ବ୍ୟବସାୟୀମାନେ ସବୁବେଳେ ଆଶା ଆଶଙ୍କାରେ ରହୁଥିଲେ।
ଭାରତରୁ ଓ ଭାରତକୁ ଆସୁଥିବା କାର୍ଗୋର ଟ୍ରାନ୍ସଶିପମେଣ୍ଟ ବ୍ୟବସ୍ଥା ଯୋଗୁ ଭାରତୀୟ ବନ୍ଦରଗୁଡ଼ିକ ପ୍ରତିବର୍ଷ ୨୦୦ରୁ ୨୨୦ ମିଲିୟନ ଡଲାରର ରାଜସ୍ୱ କ୍ଷତି ସହିବାକୁ ପଡ଼ୁଥିଲା। ଭାରତ ଭିତରେ କୌଣସି ଟ୍ରାନ୍ସଶିପମେଣ୍ଟ ଟର୍ମିନାଲ ଅଭାବରୁ ଭାରତୀୟ ଆମଦାନୀକାରୀ ଓ ରପ୍ତାନୀକାରୀଙ୍କୁ ପ୍ରତି କଣ୍ଟେନର ପାଇଁ ୮୦ରୁ ୧୦୦ ଡଲାରର ଅତିରିକ୍ତ ଫି’ ଦେବାକୁ ପଡ଼ୁଛି। ଏହାକୁ ଆଦାନୀ ଦ୍ୱାରା ତିଆରି ହୋଇଥିବା ମେଗା ଟ୍ରାନ୍ସଶିମପେଣ୍ଟ ବନ୍ଦର ଲାଘବ କରିବ।
ବିଝିନଜାମ ବନ୍ଦରର ବିଶେଷତ୍ୱ କ’ଣ?
ଭାରତରେ ରହିଥିବା ଟ୍ରାନ୍ସଶିପମେଣ୍ଟ ବନ୍ଦରର ଅଭାବକୁ କେରଳର ବିଝିନଜାମ ବନ୍ଦର ସମାଧାନ କରିବ। ବିଝିନଜାମ ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଲା- ସିଙ୍ଗାପୁର, କଲମ୍ବୋ, ଓମାନର ସଲାଲା ଓ ଦୁବାଇର ବିଦେଶୀ ବନ୍ଦର ଉପରେ ଭାରତୀୟ କାର୍ଗୋ ଟ୍ରାନ୍ସଶିପମେଣ୍ଟର ନିର୍ଭରକୁ ଦୂର କରିବା। ପ୍ରକୃତ କଥା ହେଉଛି ଭାରତରେ ଏବେ ଯାଏ ଅନ୍ତର୍ଜାତୀୟ ଶିପିଯ ମାର୍ଗରେ ଗଭୀର ଜଳର ବନ୍ଦରର ଅଭାବ ରହିଛି, ଯାହା ୨୪ ହଜାର TEU କିମ୍ବା ୨୦ ଫୁଟ ବିଶିଷ୍ଟ ୟୁନିଟ ଦକ୍ଷତା ବିଶିଷ୍ଟ ବହୁତ ବଡ଼ ଜାହାଜର ଆବଶ୍ୟକତାକୁ ପୂରଣ କରିପାରିବ। ଗୋଟିଏ ଥର ବିଝିନଜାମ ବନ୍ଦର କାର୍ଯ୍ୟକ୍ଷମ ହୋଇଗଲେ, ଏଠାକୁ ଆସୁଥିବା ଟ୍ରାନ୍ସଶିପମେଣ୍ଟ ଜାହାଜର ଫି’ ହ୍ରାସ ପାଇବ। ଏହାର ଫାଇଦା ମଧ୍ୟ ଶେଷରେ ସାଧାରଣ ଲୋକଙ୍କୁ ମିଳିବ।
ବିଝିନଜାମ ବନ୍ଦର ପୂରା ଭାରତ ବ୍ୟତୀତ ଭାରତୀୟ ଉପମହାଦ୍ୱୀପରେ ଗୋଟିଏ ବିଶ୍ୱସ୍ତରୀୟ ଟ୍ରାନ୍ସଶିପମେଣ୍ଟ ହବରେ ପରିଣତ ହେବାର କ୍ଷମତା ରଖିଛି। ଏହାର କାରଣ କ’ଣ ଜାଣନ୍ତୁ-
୧- ୟୁରୋପ ଓ ସୁଦୂର ପୂର୍ବକୁ ଯୋଡ଼ୁଥିବା ଅନ୍ତରାଷ୍ଟ୍ରୀୟ ଶିପିଂ ମାର୍ଗ ସହ ଏହାର ଦୂରତା ବେଶ କମ। ଏହି ବନ୍ଦରର ଠିକଣା ପୂର୍ବ-ପଶଶ୍ଚିମ ଶିପିଂ ମାର୍ଗର ୧୦ ସାମୁଦ୍ରିକ ମାଇଲ ଭିତରେ ରହିଛି।
୨- ବିଝିନଜାମ ଏକ ଡିପୱାଟର କଣ୍ଟେନର ଟ୍ରାନ୍ସଶିପମେଣ୍ଟ ବନ୍ଦର। ବନ୍ଦରର ପାଣି ୧ କିମି ଯାଏ ବ୍ୟାପିଛି। ଏହାର ଗଭୀରତା ୧୮ରୁ ୨୦ ମିଟର ରହିଛି। ତେଣୁ ଏହା ଦ୍ୱାରା ବଡ଼ବଡ଼ ଟ୍ୟାଙ୍କରଗୁଡ଼ିକ କୂଳକୁ ଆସିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେନି।
୩- ସବୁ ପାଣିପାଗରେ ଏହି ବନ୍ଦର ସେବା ଯୋଗାଇ ଦେବାକୁ ସକ୍ଷମ। ଏଠାରେ ପ୍ରାୟ ୨୪ ହଜାର ଟିଇୟୁ କ୍ଷମତାର ନୂଆ ପିଢ଼ିର ଜାହାଜକୁ କୂଳରେ ଛିଡ଼ା କରାଇବାରେ ସକ୍ଷମ ହୋଇପାରିବ।
୪- ତ୍ରିବେନ୍ଦ୍ରମ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରୁ ବନ୍ଦରର ଦୂରତା ମାତ୍ର ୧୫ କିମି।
ଏହି ସବୁ କାରଣ ପାଇଁ ବିଝିନଜାମ ଅନ୍ତର୍ଜାତୀୟ ସାମୁଦ୍ରିକ ବନ୍ଦରକୁ ସରକାର ପ୍ରମୁଖ ପ୍ରକଳ୍ପ ମଧ୍ୟରେ ସାମିଲ କରିଥିଲେ। ଏକଥା ବନ୍ଦରକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, “ବିଝିନଜାମ ଏବେ କେରଳ ଓ ଭାରତକୁ ଅର୍ଥନୀତିକ ସ୍ତରରେ ସ୍ଥିରତା ପ୍ରଦାନ କରିବ।”
ଉଦଘାଟନ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକର, ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଓ ଥିରୁଅନନ୍ତପୁରମର କଂଗ୍ରେସ ସାଂସଦ ଶଶି ଥରୁର ଉପସ୍ଥିତ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
