/odisha-reporter/media/post_attachments/uploadimage/library/16_9/16_9_0/Pahalgam__1753700951.jpg)
Pahalgam
ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଗୋଟିଏ ଅପରେସନ ଆରମ୍ଭ ହୋଇଥିଲା। ଏହାର ନାଁ ଥିଲା ଅପରେସନ ମହାଦେବ। ଏହି ଅପରେସନ ଜରିଆରେ ୩ ଜଣ ଆତଙ୍କବାଦୀଙ୍କୁ ବେଶ ସଫଳତାର ସହ ଖତମ କରାଯାଇଛି। ଏମାନଙ୍କ ମଧ୍ୟରେ ଏପ୍ରିଲ ୨୨ ପହଲଗାମ ନରସଂହାରର ମାଷ୍ଟରମାଇଣ୍ତ ହାଶିମ ମୁସା ରହିଥିବା କୁହାଯାଉଛି। ଅପରେସନ ମହାଦେବ ଜମ୍ମୁ-କଶ୍ମୀରର ଲିଡୱାସ ଅନ୍ତର୍ଗତ ଜେନେରାଲ ଅଞ୍ଚଳରେ ଭାରତୀୟ ସେନାର ଚିନାର କ୍ରପ୍ସ ପକ୍ଷରୁ ଆରମ୍ଭ କରାଯାଇଥିଲା।
ଅପରେସନ ବେଳେ ଲସ୍କର-ଇ-ତାଏବାର କମାଣ୍ଡର ହାଶିମ ମୁସା ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି। ପହଲଗାମ ନରସଂହାର ପରଠାରୁ ସୁରକ୍ଷାକର୍ମୀମାନେ ତା’କୁ ଖୋଜୁ ଥିଲେ। ଏପରି କି ତା’ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରହିଥିଲା। ଏବେ ତା’ର ସବୁ ଖେଳରେ ସୁରକ୍ଷାକର୍ମୀମାନେ ପୂର୍ଣ୍ଣଚ୍ଛେଦ ଟାଣିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଦିନ ୧୨.୩୭ରେ ଚିନାର କ୍ରପ୍ସ କହିଥିଲା ଯେ ଆତଙ୍କବାଦୀଙ୍କ ସହ ଗୋଟିଏ ଯୋଗାଯୋଗ ଜେନେରାଲ ଏରିଆ ଲିଡୱାସରେ ହୋଇଛି। ଏହାର କିଛି ସମୟ ପରେ ଗୋଟିଏ ଡ୍ରୋନ ଫୁଟେଜ ଆସିଥିଲା। ଯେଉଁଥିରେ ୩ ଆତଙ୍କବାଦୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା।
ଏହି ଆତଙ୍କବାଦୀ ଅପରେସନ ୨ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ଡାଚିଙ୍ଗ ଜଙ୍ଗଲ ଭିତରୁ ଗୋଟତଲ ସନ୍ଦିଗ୍ଧ ଯୋଗାଯୋଗକୁ ଠାବ କରିବା ପରେ ସୁରକ୍ଷାକର୍ମୀ ଆଲର୍ଟ ମୋଡକୁ ଆସିଥିଲା। ସ୍ଥାନୀୟ ଖବରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ। ଏହି ସବୁ ତଥ୍ୟକୁ ଏକାଠି କରି ସନ୍ଦିଗ୍ଧଙ୍କ ଠିକଣାକୁ ଚିହ୍ନଟ କରାଯାଇଥିଲା। ଗୁଇନ୍ଦା ବିଭାଗ ମଧ୍ୟ ତଥ୍ୟ ଦେଇଥିଲା ଯେ ଜଙ୍ଗଲ ମଧ୍ୟରେ ଥିବା ଆତଙ୍କବାଦୀମାନେ ଲସ୍କରର ସଦସ୍ୟ।
କେମିତି ଆତଙ୍କବାଦୀମାନଙ୍କୁ ଠାବ କଲା ସେନା?
ଡାଚିଙ୍ଗର ସାଧାରଣ ଅଞ୍ଚଳରେ ଗୋଟିଏ ସନ୍ଦିଗ୍ଧ ଆତଙ୍କବାଦୀ ସ୍ୟାଟେଲାଇଟ୍ କମ୍ୟୁନିକେସନକୁ ଚିହ୍ନଟ କରାଯାଇଥିଲା। ଯୋଗାଯୋଗ ଡିଭାଇସର ବ୍ୟବହାର କରୁଥିବା ଲୋକଙ୍କ ଲିଙ୍କ ପହଲଗାମ ଆକ୍ରମଣ ସହ ରହିଥିବା ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଥିଲେ। ଏହି ଖବର ପରେ ଏକାଧିକ ସେନା ଟିମ ଉକ୍ତ ଅଞ୍ଚଳରେ ନିଜର ସ୍ଥିତିକୁ ମଜବୁତ କରିବା ସହ ଆତଙ୍କୀଙ୍କ ଗତିବିଧିବକୁ ଠାବ କରିବା ପାଇଁ ୨ ଦିନ ହେଲା ଲାଗି ପଡ଼ିଥିଲେ।
ଆଜି ଦିନ ୧୧.୩୦ରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଓ ୪ ପାରା ମିଳିତ ଭାବେ କରୁଥିବା ଅପରେସନ ସମୟରେ ୩ ଜଣ ଆତଙ୍କବାଦୀଙ୍କୁ ଠାବ କରିଥିଲେ ଓ ବେଶ ସତର୍କତାର ସହ ସେମାନଙ୍କୁ ଖତମ କରିଥିଲେ। ସୁରକ୍ଷାକର୍ମୀଙ୍କ ରଣନୀତିକୁ ଆତଙ୍କବାଦୀମାନେ ଆଦୌ ବୁଝିବାକୁ ସକ୍ଷମ ହୋଇ ନଥିଲେ।
ସୂତ୍ର ଅନୁସାରେ, ଏହି ଆତଙ୍କବାଦୀମାନେ ଲସ୍କର ଓ ଜୈଶ ନେଟୱର୍କ ସହ ଜଡ଼ିତ। ସେମାନଙ୍କ ଉପରେ ୧୪ ଦିନ ହେଲା ସୁରକ୍ଷାକର୍ମୀ ନଜର ରଖିଥିଲେ। ଏହି ନେଟୱର୍କରେ ମୋଟ ୫ରୁ ୭ ଜଣ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ଆଜି ୩ ଜଣଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟରେ ନିପାତ କରାଯାଇଛି। ସେମାନେ ଗୋଟିଏ ଜରି ପାଲ ଟାଣି ରହୁଥିଲେ। କୁହାଯାଉଛି ଯେ ଆତଙ୍କବାଦୀମାନେ ସେଠାରେ ଶୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ ହୋଇଥିଲା। ଏହି ସମୟରେ ସେମାନଙ୍କ ଜୀବନ ଯାଇଛି।
ଅପରେସନ ମହାଦେବ ଦ୍ୱାରା ଟାର୍ଗେଟ କରାଯାଇଥିବା ଆତଙ୍କୀ ଠିକଣାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଉକ୍ତ ଠିକଣାରେ ଏକାଧିକ ବନ୍ଧୁକ ପଡ଼ି ରହିଛି। ଗୋଟିଏ ଘଞ୍ଚ ଜଙ୍ଗଲ ମଧ୍ୟରେ ଆତଙ୍କବାଦୀମାନେ ଜରିର ପାଲ ଟାଣି ସେଠାରେ ରହୁଥିଲେ। ସେଠାରୁ କାରବାଇନ, ଏକେ ୪୭, ୧୭ଟି ରାଇଫଲ ଗ୍ରେନେଡ ଓ ଅନ୍ୟାନ୍ୟ ବିସ୍ଫୋରକ ମିଳିଛି। ଜମ୍ମୁ-କଶ୍ମୀରରେ ବଡ଼ଧରଣର ଆକ୍ରମଣ କରିବାକୁ ସେମାନେ ଯୋଜନା କରୁଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
