/odisha-reporter/media/media_files/2025/11/12/al-falha-2025-11-12-17-12-09.jpg)
ଅଲ ଫଲାହ ବିଶ୍ୱ ବିଦ୍ୟାଳୟ
ଚର୍ଚ୍ଚାରେ ହରିୟାଣର ଫରିଦାବାଦରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଅଲ ଫଲାହ ବିଶ୍ୱବିଦ୍ୟାଳୟ। ନଭେମ୍ବର ୧୦ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ(Delhi Blast)ର ଲିଙ୍କ ଏହି ବିଶ୍ୱ ବିଦ୍ୟାଳୟ ସହ ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଠାରୁ ଆରମ୍ଭ କରି ବିଭିନ୍ନ ଯାଞ୍ଚ ଏଜେନ୍ସି ଦିଲ୍ଲୀ ବିସ୍ଫୋରଣ ପରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଉପରେ ଫୋକସ କରିଛନ୍ତି।
ବିସ୍ଫୋରଣ ସହ ଏହି ବିଶ୍ୱ ବିଦ୍ୟାଳୟର ଗୋଟିଏ ପରେ ଗୋଟିଏ ଲିଙ୍କ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ବିଶ୍ୱ ବିଦ୍ୟାଳୟର ୫୨ରୁ ଅଧିକ କର୍ମଚାରୀ ଓ ଶିକ୍ଷାର୍ଥୀଙ୍କୁ ଜେରା କରିଛି। ୬ ଜଣଙ୍କୁ ଅଟକ ରଖି ପୁଲିସ୍ ଟେରର ମଡ୍ୟୁଲ ସହ ଜଡ଼ିତ ତଥ୍ୟ ହାସଲ କରିବାରେ ଲାଗିଛି।
ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଶାହୀନ, ଡାକ୍ତର ଉମର ଓ ଡାକ୍ତର ମୁଜାମିଲ ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲେ। ଜୈଶର ଫରିଦାବାଦ ଟେରର ମଡ୍ୟୁଲ ପର୍ଦ୍ଦାଫାସ ହେବା ପରେ ଶାହୀନ ଓ ମୁଜାମିଲକୁ ଗିରଫ କରାଯାଇଥିଲା।
ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରେ ଶାହୀନ। କଶ୍ମିରୀ ଡାକ୍ତର ମୁଜାମିଲ ଶକୀଲ ଓରଫ ମୁସାଇବର ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ। ମୁଜାମିଲର ଦୁଇଟି ଭଡ଼ା ଘରୁ ରେଡ ପରେ ୨୯୦୦ କେଜିର ବିସ୍ଫୋରକ ମିଳିଥିଲା। ଏହାପରେ ତା’କୁ ଗିରଫ କରାଯାଇଥିଲା। ତା’ ଲିଙ୍କରେ ପୁଲିସ ଶାହୀନ ପାଖରେ ପହଞ୍ଚିଥିଲା। ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ କୌଲର ମୂଳବାସିନ୍ଦା ମୁଜାମିଲ ଧୌଜ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲା।
ଶ୍ରୀନଗରରେ ଜୈଶ ସମର୍ଥନରେ ମୋଷ୍ଟର ମାରି ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମଦ ରାଥେର ଠାରୁ ତଥ୍ୟ ହାସଲ କରି ପୁଲିସ୍ ମୁଜାମିଲ ପାଖରେ ପହଞ୍ଚିଥିଲା। ଏହାପରେ ତା’ ଠିକଣାରୁ ଏତେ ପରିମାଣର ବିସ୍ଫୋରକ ମିଳିଥିଲା। ଯାଞ୍ଚ ବେଳେ ଗୋଟିଏ କାରରୁ ଆସଲ୍ଟ ରାଇଫଲ, ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଥିଲା। ଉକ୍ତ କାରଟି ଥିଲା ଶାହୀନା ଶାହିଦର।
ଆଦିଲ, ମୁଜାମିଲ ଓ ଶାହୀନ ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ମହମ୍ମଦ ଉମର ପୂରା ଡରି ଯାଇଥିଲା। ସେ ମଧ୍ୟ ଶାହୀନା ଓ ମୁଜାମିଲ ଭଳି ଅଲ ଫଲାହ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲା। ବିସ୍ଫୋରକ ସହ ସହଯୋଗୀମାନେ ଗିରଫ ହେବାରୁ ଉମର ଆତଙ୍କିତ ଅବସ୍ଥାରେ ଫରିଦାବାଦ ଛାଡ଼ି ଦେଇଥିଲା। ଏହାପରେ ସେ ବଳକା ବିସ୍ଫୋରକ ଦ୍ୱାରା ଯୋଜନା ଅନୁସାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ( Blast In Delhi)) କରିଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି।
ମୁଜାମିଲ, ଶାହୀନ ଓ ଉମର ଅଲ ଫଲାହ ବିଶ୍ୱ ବିଦ୍ୟାଳୟ ସହ ଜଡ଼ିତ ଥିବାରୁ ସେଠାରୁ ଟେରର ନେଟୱର୍କ ଚାଲୁଥିବା କୁହାଯାଉଛି। ତେଣୁ ପୁଲିସ୍ ଏମାନଙ୍କ ଲିଙ୍କରେ ଆଉ ୬ ଜଣଙ୍କୁ ହେପାଜତକୁ ନେଇଛି। ଏହି ୬ ଜଣଙ୍କ ମଧ୍ୟ ବିଶ୍ୱ ବିଦ୍ୟାଳୟର କିଛି କର୍ମଚାରୀ ଓ ରିସର୍ଚ୍ଚ ସ୍କଲାର୍ସ ରହିଛନ୍ତି। ଏବେ ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବାରେ ଲାଗି ପଡ଼ିଛନ୍ତି ତଦନ୍ତକାରୀ ସଂସ୍ଥା। କ’ଣ ବିସ୍ଫୋରଣର ଷଡ଼ଯନ୍ତ୍ର ବିଶ୍ୱ ବିଦ୍ୟାଳୟରୁ ହୋଇଥିଲା କି ନାହିଁ, ତା’କୁ ନିଶ୍ଚିତ କରାଯାଉଛି।
ଅଲ ଫଲାହର ଅର୍ଥ କ’ଣ?
ଚର୍ଚ୍ଚାରେ ଥିବା ଫରିଦାବାର ଏହି ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଜାଣିବା ପାଇଁ ଲୋକମାନେ ବେଶ ଉତ୍ସାହତି। ବାସ୍ତବରେ ଅଲ ଫଲାହର ଅର୍ଥ କ’ଣ? ଏବେ ଏହାର ଅର୍ଥ ଉପରେ ନଜର ପକାନ୍ତୁ।
ଅଲ ଫଲାହ ଗୋଟିଏ ଆରବିକ ଶବ୍ଦ। ଏହାକୁ ଇସଲାମରେ ବେଶ ମହତ୍ୱପୂର୍ଣ୍ଣ ଶବ୍ଦ ଭାବେ ବିବେଚନା କରାଯାଏ। ଏହି ଶବ୍ଦର ଅର୍ଥ ‘ସଫଳତା, ସମୃଦ୍ଧି, କଲ୍ୟାଣ, ମୁକ୍ତି ବା ସୁଖ ଶାନ୍ତି।” ଜୀବନରେ ଖୁସି ଓ ମୃତ୍ୟୁପରେ ସ୍ୱର୍ଗ ବା ଜନ୍ନତ ପାଇବା ପାଇଁ ଏହାକୁ ସାଧାରଣତଃ ବ୍ୟବହାର କରାଯାଏ।
ମୂଳ ଆରବୀ: ଫଲହା ଶବ୍ଦର ଅର୍ଥ ନିଜ ଭିତରେ ଥିବା ଦକ୍ଷତାକୁ ବିକଶିତ କରି ଜୀବନରେ ସଫଳତା ହାସଲ କରିବାର ପ୍ରତୀକ।
ଧାର୍ମିକ ଅର୍ଥ: ଇସଲାମ ପରମ୍ପରାରେ ଏହି ଶବ୍ଦର ଅର୍ଥ ସଫଳତା। ଆଲ୍ଲା ଦେଖାଇଥିବା ମାର୍ଗରେ ଯାଉଥିବା ଲୋକ ଦୁନିଆରେ ସଫଳତା ପାଇଥାଏ ଓ ମୃତ୍ୟୁ ପରେ ଜନ୍ନତ ହାସଲ କରିଥାଏ।
ଅଜାନରେ ପ୍ରୟୋଗ: ଅଲ ଫଲାହ ଶବ୍ଦର ପ୍ରୟୋଗ ମୁସଲିମ ଧର୍ମର ଦୈନିକ ଅଜାନରେ ମଧ୍ୟ କରାଯାଇଥାଏ। ଅଜାନ ବେଳେ ‘ହୟା ଅଲ ଫଲାହ’ କୁହାଯାଏ। ଏହାର ଅର୍ଥ ସଫଳତା ଆଡ଼କୁ ଆସନ୍ତୁ। ଗୋଟିଏ ଶବ୍ଦରେ କହିବାକୁ ଗଲେ ଅଲ ଫଲାହର ଅର୍ଥ ପୂର୍ଣ୍ଣ ସଫଳତାକୁ ଦର୍ଶାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
