Advertisment

କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି

ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।

ଅଦ୍ୟତନ ହୋଇଛି
Saif Ali Khan

Saif Ali Khan

Advertisment

କେବଳ ମୁମ୍ବାଇ ନୁହେଁ, ପୂରା ଦେଶରେ ହଇଚଇ। ବଲିଉଡ୍‌ ଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରା ସ୍ଥିତ ଘରେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ କରିଛି ଆକ୍ରମଣ। ତାଙ୍କ ଶରୀରରେ ୬ଟି ସ୍ଥାନରେ ସୃଷ୍ଟି ହୋଇଛି କ୍ଷତ। ସେଥିରୁ ଦୁଇଟି ଗଭୀର ହୋଇଥିବା ବେଳେ ୨ଟି ମଧ୍ୟମ ଓ ଆଉ ୨ଟି ସାମାନ୍ୟ। ତାଙ୍କ ମେରୁଦଣ୍ଡରେ ଛୁରୀର ଏକ ଖଣ୍ଡ ରହି ଯାଇଥିଲା, ଯାହାର ଲମ୍ବ ୨.୫ ଇଞ୍ଚ ଥିଲା। ଅସ୍ତ୍ରୋପଚାର କରି ଡାକ୍ତରମାନେ ସେଇଟିକୁ ବାହାର କରି ଦେଇଛନ୍ତି। ତାଙ୍କ ଶରୀରରେ ଉଭୟ ନ୍ୟୁରୋ ଓ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ସେ ବିପଦମୁକ୍ତ ଅଛନ୍ତି। ତଥାପି ତାଙ୍କୁ ଆଇସିୟୁରେ ରଖାଯାଇଛି। ୨୪ ଘଣ୍ଟା ପାଇଁ ସୈଫଙ୍କୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ରଖାଯିବ।

Advertisment

ଗତକାଲି ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏହି ଘଟଣା। ସେତେବେଳେ ସୈଫ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶୋଇଥିଲେ। ପରିବାରର ଅନ୍ୟ ଲୋକମାନେ ମଧ୍ୟ ଥିଲେ। ହଠାତ୍ ସୈଫ ତାଙ୍କର ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣିଥିଲେ। ଘରୋଇ ସହାୟିକା ଜଣଙ୍କ ସୈଫଙ୍କ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କଠୋରୀରେ ଶୋଇଥିଲେ। ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସେହି କଠୋରୀରେ ପଶିଥିଲେ। ଘରୋଇ ସହାୟିକା ତାଙ୍କୁ ଦେଖିବା ପରେ ଚିତ୍କାର କରିଥିଲେ। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଆଘାତ ଦେବାକୁ ପ୍ରୟାସ କରିଥିଲେ। ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ସେଠାକୁ ଦୌଡ଼ି ଯାଇଥିଲେ। ସୈଫ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲେ। ଆହତ ସୈଫଙ୍କୁ ତୁରନ୍ତ ଲୀଲାବତୀ ହସ୍‌ପିଟାଲକୁ ନିଆଯାଇଥିଲା।

ସୈଫଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ଫେରାର ଅଛି। ତାକୁ ଚିହ୍ନଟ କରାଯାଇସାରିଛି ବୋଲି ମୁମ୍ବାଇ ପୁଲିସ କହିଛି। ତାକୁ ଧରିବା ପାଇଁ ୧୦ଟି ଟିମ୍ ଗଠନ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ ଉକ୍ତ ବ୍ୟକ୍ତି ଚୋରି କରିବାକୁ ସୈଫଙ୍କ ଘରେ ପଶିଥିଲା। ସେଥିପାଇଁ ସେ ଉକ୍ତ ଆପାର୍ଟମେଣ୍ଟର ଅଗ୍ନି ନିରାପତ୍ତା ଶିଡ଼ିକୁ ବ୍ୟବହାର କରିଥିଲା। ତେବେ ସୈଫଙ୍କ ଉପରେ ହୋଇଥିବା ଆକ୍ରମଣର ୨ ଘଣ୍ଟା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟର ସିସିଟିଭିରେ କଏଦ ହୋଇନି ଦୁର୍ବୃତ୍ତ। ଅର୍ଥାତ୍ ସେ ତା’ପୂର୍ବରୁ ସେଠାରେ ପ୍ରବେଶ କରି ସାରିଥିଲା ବୋଲି ଅନୁମାନ କରୁଛି ପୁଲିସ। ସୈଫଙ୍କ ୩ ଘରୋଇ ସହାୟକ/ସହାୟିକାଙ୍କୁ ନେଇ ପଚରାଉଚରା କରୁଛି ପୁଲିସ। ସେମାନଙ୍କ ମଧ୍ୟରୁ କାହାର ଦୁର୍ବୃତ୍ତଙ୍କ ସହିତ ସଂପର୍କ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏହା ସହିତ ସୈଫଙ୍କ ହାଉସିଂ ସୋସାଇଟିରେ ଏବେ ମରାମତି କାମ ଚାଲିଥିବାରୁ କିଛି ଶ୍ରମିକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସେହିପରି ପୁଲିସ ଉକ୍ତ ଆପାର୍ଟମେଣ୍ଟ ଓ ସୈଫଙ୍କ ଘରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

Advertisment

ଦୁର୍ବୃତ୍ତ ଜଣଙ୍କ ଚୋରି କରିବା ଉଦ୍ଦେଶ୍ୟରେ ସେମାନଙ୍କ ଘରେ ପ୍ରବେଶ କରିଥିବା ନେଇ ଉଭୟ ସୈଫ ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ କରୀନାଙ୍କ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି। କରୀନାଙ୍କ ତରଫରୁ ତାଙ୍କ ଟିମ୍ ଜାରି କରିଥିବା ବୟାନରେ କହିଛି, ସୈଫ ଅଲୀ ଖାନ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନଙ୍କ ଘରେ ଗତକାଲି ରାତିରେ ଚୋରି ଉଦ୍ୟମ ହୋଇଥିଲା। ସୈଫ ଆହତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ପରିବାରର ଅନ୍ୟ ସଦସ୍ୟମାନେ ସୁସ୍ଥ ଅଛନ୍ତି। ଏହା ସହିତ ଏହି ଘଟଣାକୁ ନେଇ କୌଣସି ଉଡ଼ା ଖବର ଉପରେ ବିଶ୍ୱାସ ନ କରିବାକୁ ତାଙ୍କ ଟିମ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ସେହିପରି ସୈଫଙ୍କ ଟିମ୍ ଜାରି କରିଥିବା ବୟାନରେ କୁହାଯାଇଛି ଯେ ତାଙ୍କ ଘରେ ଚୋରି ଉଦ୍ୟମ ହୋଇଥିଲା। ତାଙ୍କର ଅସ୍ତ୍ରୋପଚାର ହୋଇଛି ଓ ସେ ବିପଦମୁକ୍ତ ଅଛନ୍ତି। ସେ ସୁସ୍ଥ ହେଉଛନ୍ତି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ପରିବାରର ଅନ୍ୟ ସମସ୍ତ ଲୋକେ ସୁରକ୍ଷିତ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Saif And Unknown man ସୈଫଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ଶିଡ଼ି ଓହ୍ଲାଇ ସନ୍ଦିଗ୍ଧ ଚୋର ଫେରାର ହୋଇଯିବା ବେଳର ଦୃଶ୍ୟ ସିସିଟିଭିରେ କଏଦ।

ଚୋରି ଉଦ୍ଦେଶ୍ୟରେ ଉକ୍ତ ବ୍ୟକ୍ତି ଜଣଙ୍କ ସୈଫଙ୍କ ଘରେ ପଶିଥିବା କଥାକୁ ଅନେକ ଗ୍ରହଣ କରିପାରୁ ନାହାନ୍ତି। ସେ କ’ଣ ଚୋରି କରିବାକୁ ଆଉ କାହା ଘରକୁ ପଶି ପାରିଲାନି ଯେ ୧୧ ମହଲାରେ ଥିବା ସୈଫଙ୍କ ଫ୍ଲାଟକୁ ବାଛିଲା? ନା ସେ ଉଦ୍ଦେଶ୍ୟମୂଳକ ଭାବେ ସୈଫଙ୍କ ଘରେ ପଶିଥିଲା। ସେ ଜାଣିଥିଲା ଯେ ତାହା ସୈଫଙ୍କ ଘର। ଚୋରି ନୁହେଁ, ଅଲଗା କିଛି ଯୋଜନାରେ ସେ ସେଠାରେ ପଶିଥିଲା। ଏହାର ଉତ୍ତର କେବଳ ସେହି ଦୁର୍ବୃତ୍ତ ଧରାପଡ଼ିବା ପରେ ହିଁ ମିଳିପାରିବ। ସେହିପରି ଏତେ ସହଜରେ କେମିତି ଜଣେ ବ୍ୟକ୍ତି ସୈଫଙ୍କ ଭଳି ବଲିଉଡ୍‌ର ଜଣେ ବଡ଼ ଷ୍ଟାରଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିପାରିଲା ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ଶିଡ଼ିରେ ତାଙ୍କ ଫ୍ଲାଟ ପର୍ଯ୍ୟନ୍ତ ପହଞ୍ଚିଲା। କିନ୍ତୁ ଭିତରେ କେମିତି ପଶିଲା? ତେଣୁ ଏହା ଅର୍ନ୍ତଘାତୀ କାର୍ଯ୍ୟ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଉକ୍ତ ଦୁର୍ବୃତ୍ତଙ୍କ ସହିତ ସୈଫଙ୍କ ଘରର କୌଣସି କର୍ମଚାରୀଙ୍କର ସଂପର୍କ ଯେ ନଥିବ, ତାହା କିଏ କହିବ? ପୁଲିସ ସେ ଦିଗରେ ମଧ୍ୟ ତଦନ୍ତ କରୁଛି। ବିଶେଷ କରି ଯେଉଁ ଘରୋଇ ସହାୟିକାଙ୍କ ସହିତ ଦୁର୍ବୃତ୍ତର ପ୍ରଥମେ ମୁହାଁମୁହିଁ ହୋଇଥିଲା, ତାଙ୍କୁ ମଧ୍ୟ ପୁଲିସ ଜେରା କରୁଛି। ଦୁର୍ବୃତ୍ତ ସେ ଶୋଇଥିବା କଠୋରୀରେ ପ୍ରଥମେ ପ୍ରବେଶ କରିବା ଅକସ୍ମାତ ଥିଲା ନା ଉଦ୍ଦେଶ୍ୟମୂଳକ, ତାହା ସ୍ପଷ୍ଟ କରିବାକୁ ପ୍ରୟାସ କରୁଛି ପୁଲିସ।

ଆଉ ଏକ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଠିଛି ଯେ ସୈଫ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଘରର ବାକି ସଦସ୍ୟମାନେ କେଉଁଠି ଥିଲେ। ତାଙ୍କର ଅନ୍ୟ କର୍ମଚାରୀମାନେ ସେତେବେଳେ କ’ଣ କରୁଥିଲେ? ପୁଣି, ଦୁର୍ବୃତ୍ତ ଜଣଙ୍କ ସୈଫଙ୍କୁ ଆକ୍ରମଣ କରି ଏତେ ସହଜରେ ସେଠାରୁ ଫେରାର ହୋଇଗଲେ କେମିତି? ସେଥିପାଇଁ ସୈଫ ରହୁଥିବା ହାଉସିଂ ସୋସାଇଟିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତି ସମସ୍ତଙ୍କ ଅଜାଣତରେ ସେଠାରେ ପଶି ଘଣ୍ଟା ଘଣ୍ଟା ଧରି ରହୁଛି ଓ ଜଣେ ବଡ଼ ଷ୍ଟାରଙ୍କୁ ଆକ୍ରମଣ କରି ସହଜରେ ଫେରାର ହୋଇଯାଉଛି, ତା’ହେଲେ ସେଠାରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି?

ସୈଫଙ୍କ ହାଉସିଂ ସୋସାଇଟିରେ ରହୁଥିବା ତାଙ୍କର ଜଣେ ପଡ଼ୋଶୀ ତଥା ଅଭିନେତ୍ରୀ କରିସ୍ମା ତନ୍ନା କହିଛନ୍ତି ଯେ ସେ ବର୍ଷେ ହେଲାଣି ଏହି ସୋସାଇଟିର ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି କରି ଆସୁଛନ୍ତି। ଏଠାରେ ମୁତୟନ ହୋଇଥିବା ୱାଚ୍‌ମ୍ୟାନ୍‌ମାନେ ଉପଯୁକ୍ତ ତାଲିମ ପାଇବା ଜରୁରୀ। ଏହିଭଳି ଘଟଣାଗୁଡ଼ିକର ମୁକାବିଲା କରିବାକୁ ସେମାନଙ୍କ ପାଖରେ ଦକ୍ଷତା କିମ୍ବା ଅସ୍ତ୍ରଶସ୍ତ୍ର ନାହିଁ। ଯଦି ଘରେ ଚୋର ପଶିଯିବ, ତା’ହେଲେ ପରିବାର ଲୋକେ କେମିତି ତା’ର ମୁକାବିଲ କରିବେ? ଏହି ଘଟଣା ଅତ୍ୟନ୍ତ ଭୟଙ୍କର। 

କରିସ୍ମା ତନ୍ନା ଆହୁରି କହିଛନ୍ତି, ମୁଁ ଭାବୁଛି ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଶିକ୍ଷା। କୌଣସି ପରିବାର ସହିତ ଏଭଳି ଘଟଣା ନଘଟୁ। ମୁଁ ଭାବୁଛି ଏବେ ଆମ ସୋସାଇଟି ତା’ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବ।

Saif Alli Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe