Advertisment

ନୂଆଦିଲ୍ଲୀ ରେଳ ଷ୍ଟେସନରେ କାହିଁକି ଘଟିଲା ଦଳାଚକଟା, ଚାଲିଗଲା ୧୮ ଜୀବନ

କାହିଁକି ଘଟିଲା ଏହି ଅଘଟଣ? ଏଥିପାଇଁ ଦାୟୀ କିଏ? ଏହାକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା କି? ତଦନ୍ତ ପରେ ହେବ କି କାର୍ଯ୍ୟାନୁଷ୍ଠାନ?

author-image
Jitendra Garnayak
Train

Train

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତି ପ୍ରାୟ ୯ଟା ୫୫ ମିନିଟରେ ଦଳଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୧୧ ଜଣ ମହିଳା ଓ ୫ ଜଣ ଶିଶୁ ଅଛନ୍ତି। ୧୫ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରେଳ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ସେଥିପାଇଁ ଦୁଇ ଜଣ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। ତେବେ ପୁଲିସ, କିଛି ରେଳ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡ଼ିଛି ଯେ ଅତ୍ୟଧିକ ଭିଡ଼, ଟ୍ରେନ୍ ଆସିବାରେ ବିଳମ୍ବ ଓ ଗୁଜବ ଯୋଗୁ ଏହି ଘଟଣା ଘଟିଛି।

Advertisment

ନୂଆଦିଲ୍ଲୀ ରେଳ ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ଗହଳି ଲାଗିଥିଲା। ୧୩ ନମ୍ବର ପ୍ଲାଟଫର୍ମରେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଯିବାର ଥିଲା। ଏହି ଦୁଇ ଟ୍ରେନ୍‌ ଧରିବାକୁ ଉଭୟ ପ୍ଲାଟଫର୍ମରେ ଯାତ୍ରୀଙ୍କ ଗହଳି ଲାଗିଥିବା ବେଳେ ଦୁଇଟି ଯାକ ଟ୍ରେନ୍‌ ଆସିବାରେ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ମହାକୁମ୍ଭ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରୁ ଛାଡ଼ିବାର ସମୟ ହୋଇଆସୁଥିଲା। ରାତି ୧୦ଟା ୧୦ରେ ଏହା ୧୪ ନମ୍ବର ପ୍ଲାଟଫର୍ମରୁ ଏହି ଟ୍ରେନ୍ ଛାଡ଼ିଥା’ନ୍ତା।

ପ୍ରୟାଗରାଜ ଏକ୍ସପ୍ରେସରେ ପ୍ରୟାଗରାଜ ଯିବା ପାଇଁ ଗତକାଲି ୧୫୦୦ରୁ ଅଧିକ ଜେନେରାଲ ଟିକେଟ୍ ବିକ୍ରି ହୋଇଥିଲା। ଏହା ଷ୍ଟେସନରେ ଭିଡ଼କୁ ବଢ଼ାଇ ଦେଇଥିଲା। ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଆସିବାରେ ବିଳମ୍ବ ହେଉଥିବା ବେଳେ ପ୍ରୟାଗରାଜ ଏକ୍ସପ୍ରେସ ଆସିବାର ସମୟ ପାଖେଇ ଆସୁଥିଲା। ତେଣୁ ପ୍ରୟାଗରାଜ ଯିବାକୁ ଟିକେଟ କରିଥିବା ଯାତ୍ରୀମାନେ ୧୪ ନମ୍ବର ପ୍ଲାଟଫର୍ମକୁ ଆସିଥିଲେ। ପୂର୍ବରୁ ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଜମିଥିବା ବେଳେ ପ୍ରୟାଗରାଜ ଯିବାକୁ ଥିବା ଯାତ୍ରୀମାନେ ସେଠାକୁ ଆସିବା ଫଳରେ ଭିଡ଼ ବହୁତ ବେଶୀ ବଢ଼ିଯାଇଥିଲା। ସ୍ଥିତି ନିୟନ୍ତ୍ରଣାଧୀନ ବାହାରେ ଥିବା ବେଳେ ଏକ ଗୁଜବ ସାଜିଥିଲା କାଳ।

Advertisment

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ଼ ହୋଇଥିବା ବେଳେ ସେତିକି ବେଳେ ପ୍ରଚାର ହୋଇଗଲା ଯେ ୧୪ ନମ୍ବର ପ୍ଲାଟଫର୍ମରେ ଆସିବାକୁ ଥିବା ପ୍ରୟାଗରାଜ ଏକ୍ସପ୍ରେସ ୧୬ ନମ୍ବର ପ୍ଲାଟଫର୍ମରେ ଆସିବ। ଏହା ପରେ ଲୋକେ ଠେଲାପେଲା କରି ୧୬ ନମ୍ବର ପ୍ଲାଟଫର୍ମକୁ ଯିବାକୁ ତରତର ହୋଇ ଫୁଟ୍‌ ଓଭରବ୍ରିଜ୍‌ ମୁହାଁ ହେଲେ। ଫଳରେ ଦଳାଚକଟା ଆରମ୍ଭ ହୋଇଗଲା। ରେଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କୌଣସି ଟ୍ରେନ୍‌କୁ ବାତିଲ କରାଯାଇ ନଥିଲା କି କାହାର ପ୍ଲାଟଫର୍ମ ପରିବର୍ତ୍ତନ କରାଯାଇ ନଥିଲା। ଇତିମଧ୍ୟରେ ୨ ଜଣିଆ ଉଚ୍ଚସ୍ତରୀୟ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳର ସମସ୍ତ ସିସିଟିଭି ଜବତ କରାଯାଇଛି।

ଏହି ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Stampede