Advertisment

ଶିମଲା ଚୁକ୍ତି କ’ଣ ଓ ପୂର୍ବରୁ ଏହାକୁ କେମିତି ଉଲ୍ଲଙ୍ଘନ କରିଥିଲା ପାକିସ୍ତାନ?

୧୯୭୧ ମସିହା ଡିସେମ୍ବର ୧୬ରେ ପ୍ରାୟ ୯୦ ହଜାର ପାକିସ୍ତାନ ସୈନ୍ୟ ପୂର୍ବ ପାକିସ୍ତାନ(ଏବେ ବାଂଲାଦେଶ)ରେ ଆତ୍ମସମର୍ପଣ କରିଥିଲେ।

author-image
Hemant Lenka
Shimla

Shimla

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ଅନେକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଅନୁଷ୍ଠିତ ସିସିଏସ୍ ବୈଠକ ପରେ ସିନ୍ଧୁ ଜଳ ଚୁକ୍ତି ଉପରେ ପ୍ରତିବନ୍ଧକ ଲଗାଯିବା ସହ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଥିଲା। ପାକିସ୍ତାନୀଙ୍କୁ ମିଳିଥିବା ସମସ୍ତ ପ୍ରକାରର ଭିସାକୁ ରଦ୍ଦ କରାଯାଇଥିଲା।

Advertisment

ଏହାର ଜବାବରେ ଗୁରୁବାର ପାକିସ୍ତାନର ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି)ର ବୈଠକ ବସିଥିଲା। ଏଥିରେ ଭାରତ ପାଇଁ ପାକିସ୍ତାନର ଆକାଶପଥ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ଶିମ୍‌ଲା ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପାକିସ୍ତାନ ଦେଇ ତୃତୀୟ ଦେଶ ସହ ଭାରତର ସମସ୍ତ ବାଣିଜ୍ୟକୁ ମଧ୍ୟ ପାକିସ୍ତାନ ବନ୍ଦ କରିଛି। ଭାରତ ଓ ପାକିସ୍ତାନର ଏପରି ପଦକ୍ଷେପ ଯୋଗୁ କୂଟନୀତିକ ଯୁଦ୍ଧ ଚରମସୀମାରେ ପହଞ୍ଚିଛି।

ପାକିସ୍ତାନ ଶିମଲା ଚୁକ୍ତି ସ୍ଥଗିତି ରଖିବା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଦେଶ ମଧ୍ୟରେ ଶିମଲା ଚୁକ୍ତି ହୋଇଥିଲେ ହେଁ ପାକିସ୍ତାନ ପୂର୍ବରୁ ଅନେକ ଥର ଏହାର ଉଲ୍ଲଙ୍ଘନ କରିଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଶିମଲା ଚୁକ୍ତି କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ୧୯୭୧ରେ ସୀମାରେ ଗୁଳି ବିନିମୟ ଯୋଗୁ ଦୁଇ ଦେଶ ମଧ୍ୟରେ ୧୪ ଦିନ କାଳ ଯୁଦ୍ଧ ହୋଇଥିଲା ଓ ଭାରତର ବିଜୟ ପରେ ଶିମଲା ଚୁକ୍ତି ଲାଗୁ ହୋଇଥିଲା। ସୀମାର ଉଭୟ ପାର୍ଶ୍ୱରେ ଦୁଇ ଦେଶର ସେନା କେମିତି ମୁତୟନ ହେବେ ଓ କାର୍ଯ୍ୟ କରିବେ, ତା’ର ବ୍ୟବସ୍ଥା ଚୁକ୍ତିରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏହି ଚୁକ୍ତିକୁ ପାକିସ୍ତାନ ବାରମ୍ବାର ଉଲ୍ଲଙ୍ଘନ କରିବାର ନଜିର ରହିଛି।

Advertisment

ଶିମଲା ଚୁକ୍ତି କ’ଣ?

୧୯୭୧ ମସିହା ଡିସେମ୍ବର ୧୬ରେ ପ୍ରାୟ ୯୦ ହଜାର ପାକିସ୍ତାନ ସୈନ୍ୟ ପୂର୍ବ ପାକିସ୍ତାନ(ଏବେ ବାଂଲାଦେଶ)ରେ ଆତ୍ମସମର୍ପଣ କରିଥିଲେ। ଏହାପୂର୍ବରୁ ପୂର୍ବ ଓ ପଶ୍ଚିମ ପ୍ରାନ୍ତରେ ୨ ସପ୍ତାହ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ପରାଜୟ ପରେ ପାକିସ୍ତାନ ସେନା ପୂର୍ବ ପ୍ରାନ୍ତରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ପଶ୍ଚିମ ପ୍ରାନ୍ତରେ ମଧ୍ୟ ଅସ୍ତ୍ରବିରତି ଲାଗୁ ହୋଇଥିଲା।

ଫଳ ସ୍ୱରୁପ ଯୁଦ୍ଧର ଅନ୍ତ ହୋଇଥିଲା, ଭାରତ ବିଜୟ ହୋଇଥିଲା ଓ ବାଂଲାଦେଶର ଜନ୍ମ ହୋଇଥିଲା। ଡିସେମ୍ବର ୧୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଗୋଟିଏ ଏକତରଫା ଅସ୍ତ୍ରବିରତି ସମ୍ପର୍କରେ ଘୋଷଣା କରିଥିଲେ। ଢାକାରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ସର୍ବବୃହତ୍ତ ସାମରିକ ଆତ୍ମସମର୍ପଣ ଘଟଣା ଭାବେ ଏବେ ବି ଇତିହାସରେ ଲିପିବଦ୍ଧ ହୋଇ ରହିଛି।

ଯୁଦ୍ଧରେ ପରାଜୟ ପରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋ ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସିଥିଲେ। ଭାରତ ମଧ୍ୟ ଶାନ୍ତି ଚୁକ୍ତି କରିବାକୁ ରାଜି ହୋଇଥିଲା। ଏହାପରେ ହିମାଚଳ ପ୍ରଦେଶର ଶିମଲାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ଜୁଲଫିକରଙ୍କ ମଧ୍ୟରେ ଗୋଟିଏ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିର ଉଦ୍ଦେଶ୍ୟ ଥିଲା ଦୁଇ ଦେଶ ବିବାଦ ଠାରୁ ଦୂରେଇ ରହିବେ ଓ ପରସ୍ପର ସହ ସୁସମ୍ପର୍କ ପ୍ରତିଷ୍ଠା କରି ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଭିତରେ କାମ କରିବେ। ୧୯୭୨ ମସିହା ଜୁଲାଇ ୨ରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଏବଂ ଅଗଷ୍ଟ ୪ରୁ କାର୍ଯ୍ୟକାରୀ ହୋଇଥିଲା।

୫୦ରୁ ଅଧିକ ବର୍ଷ ପରେ ପାକିସ୍ତାନ ଏବେ କହିଛି ଯେ ଶିମଲା ଚୁକ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ଦେଶ ନିଜର ଅଧିକାରକୁ ବ୍ୟବହାର କରିବ। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସି ସମ୍ପର୍କିତ ଚୁକ୍ତିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କ୍ଲଜ ରହିଛି। ଶିମଲା ଚୁକ୍ତିର କ୍ଲଜ ୪ର ସବ କ୍ଲଜ ୧ ଓ ୨ରେ କୁହାଯାଇଛି ଯେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଆରମ୍ଭ କରିବା ପାଇଁ ଦୁଇ ଦେଶର ସରକାର ଏହି କଥାରେ ସହମତି ଯେ ୧- ଭାରତୀୟ ଓ ପାକିସ୍ତାନୀ ସୈନ୍ୟ ଅନ୍ତର୍ଜାତୀୟ ସୀମାର ନିଜ ନିଜର ପାର୍ଶ୍ୱରୁ ପଛକୁ ଘୁଞ୍ଚିବେ।

୨- ଜମ୍ମୁ-କଶ୍ମୀରର ଏଲଓସିରେ ୧୯୭୧ ମସିହା ଡିସେମ୍ବର ୧୭ ଯୁଦ୍ଧ ବିରାମ ଯୋଗୁ ଦୁଇ ଦେଶ ପୁଣି ଥରେ ସୀମାରେ ପୂର୍ବାଗ୍ରହ ରଖି ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରିବେ ନାହିଁ। ସୀମାରେ ନିଜ ନିଜ ସ୍ଥାନକୁ ଦୁଇ ଦେଶ ସମ୍ମାନ ଦେବେ। କୌଣସି ପକ୍ଷ କେବେ ବି ଏକତରଫା ଭାବେ ଏହାକୁ ବଦଳାଇବା ପାଇଁ ଉଦ୍ୟମ କରିପାରିବେ ନାହିଁ। ଦୁଇ ପକ୍ଷ ସୀମା ଉଲ୍ଲଙ୍ଘନ କରିବାକୁ ଧମକ କିମ୍ବା ବଳ ପ୍ରୟୋଗରୁ ଦୂରେଇ ରହିବେ। ୩- ଚୁକ୍ତି ଲାଗୁ ହେବା ମାତ୍ରେ ସେନା ପ୍ରତ୍ୟାହାର କାମ ଆରମ୍ଭ ହେବ ଓ ୩୦ ଦିନ ଭିତରେ ଏହା ଶେଷ ହେବ।

୧୯୪୯ ମସିହା କରାଚି ବୁଝାମଣା

ସ୍ୱାଧୀନତା ପରେ ପାକିସ୍ତାନ ସମର୍ଥିତ ଆଦିବାସୀ ବିଦ୍ରୋହୀମାନେ ଜମ୍ମୁ-କଶ୍ମୀର ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ଏଥିଯୋଗୁ ୧୯୪୭ରୁ ୧୯୪୯ ଯାଏ ଯୁଦ୍ଧ ଲାଗି ରହିଥିଲା। ୧୯୪୯ ମସିହାରେ ଭାରତ ଓ ପାକିସ୍ତାନର ସାମରିକ ପ୍ରତିନିଧି ମିଳିତ ଜାତିସଂଘର ପ୍ରସ୍ତାବିତ ଅସ୍ତ୍ରବିରତି ଉପରେ ଆଲୋଚନା ପାଇଁ ପରସ୍ପରକୁ କରାଚିରେ ଭେଟିଥିଲେ। ଭାରତ ଓ ପାକିସ୍ତାନ ପ୍ରତିନିଧିଙ୍କୁ ଗୋଟିଏ ଅସ୍ତ୍ର ବିରତି ଲାଇନ ପ୍ରତିଷ୍ଠା କରିଥିଲେ। ଏହି ଚୁକ୍ତି ଅନୁସାରେ ଦକ୍ଷିଣରେ ଥିବା ମାନାବର ଠାରୁ ଆରମ୍ଭ ହୋଇ ଉତ୍ତରରେ ଥିବା କେରାନ ଓ ଗ୍ଲାସିୟର ଯାଏ ଲମ୍ବିଥିବା ଏଲଓସିରେ ଅସ୍ତ୍ରବିରତି ଲାଗୁ ହୋଇଥିଲା।

ସିଆଚେନ ଠାରୁ କାର୍ଗିଲ-ପାକିସ୍ତାନ ଯେତେବେଳେ ଶିମଲା ଚୁକ୍ତି ଉଲ୍ଲଙ୍ଘନ କରିଥିଲା

୧୯୪୯ ମସିହା କରାଚି ଚୁକ୍ତିରେ ସ୍ପଷ୍ଟ ଭାବେ ଏଲଓସିରେ ଅସ୍ତ୍ରବିରତି ଲାଗୁ ହେବ ବୋଲି କୁହାଯାଇଥିଲା। ଜେନେରାଲ ଲାଇନ ପଏଣ୍ଟ ୧୫୪୯୫, ଇଶମାନ, ମାନୁସ, ଗଙ୍ଗାମ, ଗୁନ୍ଦେରମାନ, ପଏଣ୍ଟ ୧୩୬୨୦, ଜୁନକର(ପଏଣ୍ଟ ୧୭୬୨୮), ମାରମକ, ନାଟସାରା, ଶଙ୍ଗରୁଥ, ଚୋରବାଟ ଲା, ଚାଲୁଙ୍କା, କୋର ଓ ଗ୍ଲାସିୟର ଯାଏ ଦୁଇ ଦେଶ ସୀମା ଉଲ୍ଲଙ୍ଘନ କରିବେ ନାହିଁ ବୋଲି ଚୁକ୍ତିରେ ଉଲ୍ଲେଖ ରହିଥିଲା।

ପାକିସ୍ତାନ ନିୟମ ଉଲ୍ଲଙ୍ଘନ କରି ଭାରତ ନିୟନ୍ତ୍ରଣରେ ଥିବା ସିଆଚେନ ଗ୍ଲାସିୟରକୁ ଦଖଲ କରିବାକୁ ଚେଷ୍ଟା କରିଥିଲା। ସେହିପରି ଶିମଲା ଚୁକ୍ତିରେ ଥିବା ବ୍ୟବସ୍ଥାକୁ ମଧ୍ୟ ମାନି ନଥିଲା। ଏହାର ଜବାବ ଦେବାକୁ ଭାରତ ୧୯୮୪ରେ ଅପରେସନ ମେଘଦୁତ ଆରମ୍ଭ କରିଥିଲେ। ଏଥିସହ ପୂରା ଗ୍ଲାସିୟରକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ଭାରତୀୟ ବାୟୁ ସେନା ଓ ଭାରତୀୟ ଆର୍ମି ମିଳିତ ଭାବେ ବରଫାବୃତ୍ତ ସିଆଚେନର ଅପରେସନ କରିଥିଲେ। ଏହି ଅପରେସନକୁ ବିଶ୍ୱର ସବୁଠାରୁ ଦୀର୍ଘ ତମ ମିଳିଟାରୀ ଅପରେସନ ଭାବେ ଗଣତି କରାଯାଏ।

ଗୋଟିଏ ଦଶନ୍ଧି ପରେ ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ ପାର କରିଥିଲା ଓ କାର୍ଗିଲର ୧୫୦ ବର୍ଗ କିମି ଜମିକୁ ନେଇ ଯାଇଥିଲା। ପାକିସ୍ତାନ ଏକତରଫା ଭାବେ ଏଲଓସି ଅତିକ୍ରମ କରି ସବୁ ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲା। ଏଥିଯୋଗୁ ପୁଣି ଭାରତ ଓ ପାକିସ୍ତାନ ଲଢ଼େଇ କରିଥିଲେ। ଶେଷରେ ଭାରତ ବେଶ ସଫଳତାର ସହ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।

୨୦୦୩ରେ ଭାରତ ଓ ପାକିସ୍ତାନ ପୁଣିଥରେ ଏଲଓସିରେ ଅସ୍ତ୍ର ବିରତି ଲାଗୁ କରିବାକୁ ରାଜି ହୋଇଥିଲେ। କାର୍ଗିଲ ଯୁଦ୍ଧର ୪ ବର୍ଷ ପରେ ପାକିସ୍ତାନ ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସିଥିଲା। ୨୦୦୩ରୁ ୨୦୦୬ ଯାଏ ସୀମାରେ ଗୋଟିଏ ହେଲେ ବି ଗୁଳି ଚାଲି ନଥିଲା। କିନ୍ତୁ ୨୦୦୬ରୁ ପାକିସ୍ତାନ ବାରମ୍ବାର ଚୁକ୍ତି ଉଲ୍ଲଙ୍ଘନ କରି ଗୁଳି ମାଡ଼ କରି ଚାଲିଛି।

Pakistan LOC & LAC Pahalgam Simla Agreement