Advertisment

ସଞ୍ଜୟ ରୟର ଚାଞ୍ଚଲ୍ୟକର ବୟାନ: ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ମହିଳା ଡାକ୍ତର

ଅଗଷ୍ଟ ୧୦ରୁ ଗିରଫ ହୋଇ ପ୍ରେସିଡେନ୍ସି ଜେଲରେ ଥିବା ସଞ୍ଜୟ ପ୍ରଥମଥର ପାଇଁ ତା’ର ଓକିଲ କବିତା ସରକାରଙ୍କ ସହ କଥା ହୋଇଛି।

author-image
Hemant Lenka
sanjoy

sanjoy

କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦେଇଛି ଚାଞ୍ଚଲ୍ୟକର ବୟାନ। ପୂର୍ବରୁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଥିବା ସଞ୍ଜୟ ଏବେ ତା’ର ବୟାନ ବଦଳାଇଛି। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସେମିନାର ରୁମରେ ପହଞ୍ଚିଲା ବେଳକୁ ମହିଳା ଡାକ୍ତର ରକ୍ତାକ୍ତ ଅବସ୍ଥାରେ ସେଠାରେ ତଳେ ପଡ଼ି ରହିଥିଲେ ବୋଲି କହିଛି।

Advertisment

ଅଗଷ୍ଟ ୧୦ରୁ ଗିରଫ ହୋଇ ପ୍ରେସିଡେନ୍ସି ଜେଲରେ ଥିବା ସଞ୍ଜୟ ପ୍ରଥମଥର ପାଇଁ ତା’ର ଓକିଲ କବିତା ସରକାରଙ୍କ ସହ କଥା ହୋଇଛି। ଏହି ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ କୋର୍ଟ ମଧ୍ୟ ସେ ସମାନ ଦାବି କରିବ ବୋଲି ଓକିଲ କବିତାଙ୍କୁ ଜଣାଇ ଦେଇଛି।

ସଞ୍ଜୟ ସହ କଥା ହୋଇ ସାରିବା ପରେ କବିତା ସରକାର ସୂଚନା ଦେଇଛନ୍ତି ସେ ପଲିଗ୍ରାଫ ଟେଷ୍ଟ ବା ମିଛ ଧରା ପରୀକ୍ଷାରେ ମଧ୍ୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା। ମିଛ ଧରା ପରୀକ୍ଷା ବେଳେ ସଞ୍ଜୟକୁ ୧୦ଟି ପ୍ରଶ୍ନ ପଚରା ଯାଇଥିଲା। ଏହା ମଧ୍ୟରେ ଦୁଷ୍କର୍ମ ଓ ହତ୍ୟା ପରେ ସେ କ’ଣ ସବୁ କରିଥିଲା, ସେସବୁ ପ୍ରଶ୍ନ ଥିଲା।

Advertisment

ତେବେ ହତ୍ୟା ପରେ କ’ଣ କରୁଥିଲୁ ବୋଲି ପ୍ରଶ୍ନ ବେଳେ ସଞ୍ଜୟ ଅଟକି ଯାଇଥିଲା ଓ ସେ କୌଣସି ଅପରାଧ ଘଟାଇ ନଥିବା କହିଥିଲା। ସେ କହିଥିଲା ଯେ ରାତିରେ ସେମିନାର ରୁମ ଭିତରକୁ ଯାଇଥିଲା ଓ ସେଠାରେ ମହିଳା ଡାକ୍ତର ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା।

ସଞ୍ଜୟ ଆହୁରି କହିଥିଲା ଯେ ତା’କୁ ପୂରା ମାମଲାରେ ଫସାଇ ଦିଆଯାଇଛି ଓ ସେ ମହିଳା ଡାକ୍ତରଙ୍କୁ ମଧ୍ୟ ଆଦୌ ଜାଣି ନଥିଲା। ମିଛ ଧରା ପରୀକ୍ଷା ବେଳେ ସିବିଆଇକୁ କହିଛି ଯେ ଘଟଣା ଦିନ ରାତିରେ ସେମିନାର ରୁମକୁ ଯିବାର ତା’ର କୌଣସି ଉଦ୍ଦେଶ୍ୟ ନଥିଲା। କିନ୍ତୁ ଅଜାଣତରେ ସେ ରୁମ ଭିତରକୁ ଚାଲି ଯାଇଥିଲା।

ଅଗଷ୍ଟ ୯ ତାରିଖ ଭୋର ସମୟରେ ସେ ଡାକ୍ତରଙ୍କୁ ଦେଖା କରିବାକୁ ହସ୍ପିଟାଲର ତୃତୀୟ ମହଲାକୁ ଯାଇଥିଲା। କାରଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତା’ର ଜଣେ ଲୋକର ଅକ୍ସିଜେନ ଦରକାର ପଡ଼ିଥିଲା। ତେଣୁ ସେ ଡାକ୍ତରଙ୍କୁ ଖୋଜିଖୋଜି ତୃତୀୟ ମହଲାକୁ ଯାଇଥିଲା। ଡାକ୍ତରଙ୍କୁ ଖୋଜିବା ବେଳେ ସେ ଅଜାଣତରେ ସେମିନାର ହଲରେ ପ୍ରବେଶ କରି ଯାଇଥିଲା।

ରୁମରେ ପ୍ରବେଶ କରିବା ବେଳେ ସେ ଦେଖିବାକୁ ପାଇଥିଲା ଯେ ଜଣେ ମହିଳା ରକ୍ତ ଜଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ି ରହିଛନ୍ତି। ଏହା ଦେଖି ସେ ପୂରା ଆତଙ୍କିତ ହୋଇପଡ଼ିଥିଲା। ସେଠାରେ ସେ ତୁରନ୍ତ ଚାଲି ଆସିଥିଲା। ତେବେ ଯଦି ସେ କିଛି କରି ନଥିଲା, ତା’ହେଲେ କାହିଁକି ଆରଜି କର ପୁଲିସ୍‌ ଆଉଟ ପୋଷ୍ଟକୁ ଏ ସମ୍ପର୍କରେ ଜଣାଇ ନଥିଲା ବୋଲି ସିବିଆଇ ପ୍ରଶ୍ନ କରିଥିଲା।

ଏହାର ଜବାବରେ ସଞ୍ଜୟ କହିଥିଲା ଯେ ସେ ପୂରା ଡରି ଯାଇଥିଲା। ପରିସ୍ଥିତି ଯାହା ଥିଲା ତା’ କଥାକୁ କେହି ବିଶ୍ୱାସ କରି ନଥାଆନ୍ତେ। ତେଣୁ ସେ କାହାକୁ କିଛି ନ କହି ପୁଲିସ୍‌ ବାରାକକୁ ଚାଲି ଯାଇଥିବା ମିଛ ଧରା ପରୀକ୍ଷା ବେଳେ ସିବିଆଇକୁ କହିଥିଲା।

ମିଛ ଧରା ପରୀକ୍ଷା ବେଳେ ସିବିଆଇ ତା’କୁ ତା’ର ଶିକ୍ଷାଗତ ଯୋଗ୍ୟତା ଠାରୁ ଘଟଣା ସହ ଜଡ଼ିତ ପ୍ରଶ୍ନ ପଚାରିଥିଲା। ଏହାର ଉତ୍ତର ସେ ଠିକଠିକ ଦେଇଥିଲା ବୋଲି ଜଣାପଡ଼ିଛି।

ସଞ୍ଜୟ ରୟ ଏବେ ପ୍ରେସିଡେନ୍ସି ଜେଲରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି। ସେ କାହା ସହ ମିଶୁ ନାହିଁ। ସବୁବେଳେ ଭୟ ଓ ଆତଙ୍କିତ ଅବସ୍ଥାରେ ରହୁଛି। କଥା କହିବା ବେଳେ ମଧ୍ୟ ସେ ଭୟ କରୁଥିବା ଜଣେ ଅଧିକାରୀ କହିଛନ୍ତି।

ସଞ୍ଜୟର ଓକିଲ କବିତା ସରକାର କହିଛନ୍ତି, “ସିବିଆଇ ଆମ ସହ କେସ୍‌ ସହ ଜଡ଼ିତ କୌଣସି ତଥ୍ୟ ଶେୟାର କରି ନାହିଁ। ଏଫଆଇଆରର ମାଗଣା କପି ପାଇବାକୁ ସଞ୍ଜୟ ରୟ ହକଦାର। ଏଫଆଇଆର କପି ମଧ୍ୟ ତା’କୁ ମିଳିନି। ଆମକୁ କୋର୍ଟରୁ ପଞ୍ଜିକୃତ କପି ନେବାକୁ କୁହାଯାଇଛି।”

Kolkata Kolkata Police Kolkata Doctor Rape And Murder Case Sanjoy Roy