Advertisment

କେମିତି ୨୫ ଜଣ ବସ୍‌ ଭିତରେ ଫସି ଜୀବନ୍ତ ଦଗ୍ଧ ହୋଇଗଲେ?

ରାତି ପ୍ରାୟ ୧.୩୫ରେ ବୁଲଧାନାର ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସ ୱେରେ ବସ୍‌ଟି ଯାଉଥିବା ବେଳେ ହଠାତ୍‌ ଏହାର ଟାୟାର ଫାଟି ଯାଇଥିଲା। ଫଳରେ ରାସ୍ତା କଡ଼ରେ ଥିବା ଗୋଟିଏ ପୋଲ୍‌ରେ ଏହା ପିଟି ହୋଇ ଓଲଟି ପଡ଼ିଥିଲା।

author-image
Hemant Lenka
Accident

Accident

ସାରା ଦେଶକୁ ଦୋହଲାଇ ଦେଇଥିବା ମହାରାଷ୍ଟ୍ର ବସ୍‌ ଦୁର୍ଘଟଣାରେ ୨୫ ଜଣଙ୍କ ଜୀବନ ଯାଇଛି। ଏକ୍ସପ୍ରେସ ୱେରେ ବସ୍‌ରେ ନିଆଁ ଲାଗି ଯିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏପରି ଭୟଙ୍କର ଘଟଣା ଏକାଧିକ ଦୁର୍ଭାଗ୍ୟଜନକ କାରଣ ପାଇଁ ଘଟିଛି। ବସ୍‌ରେ ନିଆଁ ଲାଗି ୨୫ ଜଣ ଏଥିରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ ମଧ୍ୟ ଏହାର ଡ୍ରାଇଭାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ରାତି ପ୍ରାୟ ୧.୩୫ରେ ବୁଲଧାନାର ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସ ୱେରେ ବସ୍‌ଟି ଯାଉଥିବା ବେଳେ ହଠାତ୍‌ ଏହାର ଟାୟାର ଫାଟି ଯାଇଥିଲା। ଫଳରେ ରାସ୍ତା କଡ଼ରେ ଥିବା ଗୋଟିଏ ପୋଲ୍‌ରେ ଏହା ପିଟି ହୋଇ ଓଲଟି ପଡ଼ିଥିଲା।

ବସ୍‌ଟି ଓଲଟି ପଡ଼ିବାରୁ ଏହାର ତେଲ ଟାଙ୍କି କ୍ଷତିଗ୍ରସ୍ତ ହୋଇଥିଲା ଓ ଡିଜେଲ ଲିକ୍‌ ହୋଇଥିଲା। ଡିଜେଲ ଲିକ୍‌ ହେବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା। ଏହା ଏତେ ପ୍ରଖର ଥିଲା ଯେ ଆଖି ପିଛୁଳାକେ ପୂରା ବସ୍‌କୁ କରାୟାତ କରିଥିଲା।

Advertisment

ବସ୍‌ରେ ୩୩ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ୮ ଜଣ ବଞ୍ଚିବାକୁ ସକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବସ୍‌ରେ ୨ ଜଣ ଡ୍ରାଇଭର ଓ ଜଣେ କ୍ଲିନର ଥିଲେ। ମୃତକଙ୍କ ମଧ୍ୟରେ ଜଣେ ଡ୍ରାଇଭର ମଧ୍ୟ ରହିଛନ୍ତି। କିନ୍ତୁ କ୍ଲିନର ଓ ଆଉ ଜଣେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବସ୍‌ଟି କବାଟ ଥିବା ସାଇଡକୁ ହିଁ ଓଲଟି ପଡ଼ିଥିଲା। ଫଳରେ ଲୋକମାନେ ଆଉ ବାହାରିବାକୁ କୌଣସି ଉପାୟ ପାଇ ନଥିଲେ। ସେହିପରି ଦୁର୍ଘଟଣା ବେଳେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ବସ୍‌ର କବାଟ ବନ୍ଦ ହୋଇ ତଳ ଆଡ଼କୁ ରହିଥିବାରୁ ସମସ୍ତେ କାଚ ଭାଙ୍ଗି ବାହାରିବାକୁ ଚେଷ୍ଟା କରିଥିଲେ।

ହେଲେ ନିଆଁ ହଠାତ୍‌ ମାଡ଼ି ଯିବାରୁ ସମସ୍ତେ ପୋଡ଼ି ହୋଇ ବସ୍‌ ଭିତରେ ହିଁ ପ୍ରାଣ ହରାଇଛନ୍ତି। କାଚ ଭାଙ୍ଗି ବାହାରକୁ ଆସୁଥିବା ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ସେମାନେ ରାସ୍ତା ଉପରେ ଛଟପଟ ହୋଇ ପ୍ରାଣ ହରାଇଥିବା ଏଥିରୁ ବର୍ତ୍ତି ଯାଇଥିବା ଲୋକମାନେ କହିଛନ୍ତି। 

ଡ୍ରାଇଭରଙ୍କ ପାଖ କ୍ୟାବିନରେ ବସିଥିବା ଲୋକମାନେ ହିଁ ଏହି ଭୟଙ୍କର ଦୁର୍ଘଟଣାରୁ ବଞ୍ଚିବାକୁ ସକ୍ଷମ ହୋଇଛନ୍ତି। ସେମାନେ ଝରକା କାଚ ଭାଙ୍ଗି ଠିକ ସମୟରେ ବାହାରକୁ ଡେଇଁ ପଡ଼ିବାରୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଅନ୍ୟମାନେ ଶୋଇ ରହିଥିବାରୁ ଠିକ୍‌ ସମୟରେ ବାହାରକୁ ବାହାରି ପାରି ନଥିବା ପୁଲିସ୍‌ କହିଛି।

ବସ୍‌ଟି ବିର୍ଦ୍ଦଭ ଟ୍ରାଭେଲ୍ସ କମ୍ପାନୀର। ଏହା ନାଗପୁରରୁ ୩୩ ଜଣଙ୍କୁ ନେଇ ପୁଣେ ଯାଉଥିଲା। ହେଲେ ଅଧା ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇ ଯାଇଛି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Accident Maharashtra Road Accident