Advertisment

ଗୋଆ ମନ୍ଦିରରେ ହୋଇଥିବା ଭୟଙ୍କର ଦଳଚକଟା ପଛର କାରଣ କ’ଣ?

ମନ୍ଦିର ପରିସରରେ ପ୍ରାୟ ୩୦ରୁ ୪୦ ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ମନ୍ଦିର ନିକଟରେ ଥିବା ଗୋଟିଏ ସ୍ଲୋପ ଉପରେ ବି କିଛି ଲୋକ ଛିଡ଼ା ହୋଇଥିଲେ।

author-image
Hemant Lenka
Goa

Goa

ଉତ୍ତର ଗୋଆର ଶିରଗାଓଁ ଗାଁରେ ଥିବା ଶ୍ରୀ ଲୈରାଇ ଦେବୀ ମନ୍ଦିରରେ ହୋଇଛି ଭୟଙ୍କର ଦଳାଚକଟା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଲୈରାଇ ଦେବୀ ମନ୍ଦିରର ବାର୍ଷିକ ଉତ୍ସବ ପାଳନ ଚାଲିଥିବା ବେଳେ ଏପରି କିଛି ଅଘଟଣ ଘଟିଛି। ଦଳାଚକଟା ସମୟରେ ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ ପକ୍ଷରୁ ଠିକ ଭାବେ ଯାଞ୍ଚ କରାଯାଇ ନଥିବାରୁ ୭ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

Advertisment

ମନ୍ଦିରର ବାର୍ଷିକ ଉତ୍ସବ ପାଇଁ ଶ୍ରଦ୍ଧାଳୁମାନେ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ। ମନ୍ଦିର ଭିତରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ବିଭିନ୍ନ ନୀତିକାନ୍ତି କରୁଥିବା ବେଳେ ହଠାତ୍‌ ଭିଡ଼ ନିୟନ୍ତ୍ରଣ ବାହାକୁ ଚାଲି ଯାଇଥିଲା। ଏହାପରେ ଜଣଙ୍କ ଉପରେ ଜଣେ ଚଢ଼ି ଯାଇଥିଲେ।

ଲୈରାଇ ଯାତ୍ରା

ଶିରଗାଓଁ ମନ୍ଦିର ଲହରାଇ ଦେବୀ ଯାତ୍ରା ପାଇଁ ପୂରା ଭିଡ଼ରେ ଭର୍ତ୍ତି ହୋଇଯାଇଥିଲା। ଦେବୀ ଲୈରାଇ ଓ ତାଙ୍କ ଭଉଣୀମାନଙ୍କ ପାଇଁ ପ୍ରତିବର୍ଷ ଏପ୍ରିଲ କିମ୍ବା ମେ ମାସରେ ଶୋଭାଯାତ୍ରା ହୋଇଥାଏ। ଲୈରାଇଙ୍କୁ ମାତା ପାର୍ବତୀଙ୍କ ଅବତାର ଭାବେ ବିବେଚନା କରାଯାଏ। ଗୋଆର ଲୋକକଥା ଅନୁସାରେ ଲୈରାଇ ୭ ଭଉଣୀଙ୍କ ମଧ୍ୟରୁ ଜଣେ। ଲୈଇରା ଯାତ୍ରାରେ ଗୋଆ, ମହାରାଷ୍ଟ୍ର ଓ କର୍ଣ୍ଣାଟକାର ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ଜମାନ୍ତି।

Advertisment

ଚଳିତ ବର୍ଷ ମଧ୍ୟ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ମନ୍ଦିର କମିଟି ସହ ମିଶି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ପ୍ରାୟ ୧ ହଜାର ପୁଲିସ୍‌ କର୍ମଚାରୀ ନିୟୋଜିତ ହୋଇଥିଲେ। ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପକେଟ ମାର ରୋକିବାକୁ ପୁଲିସ୍‌ ସାଦା ପୋଷାକରେ ମଧ୍ୟ କର୍ମଚାରୀଙ୍କୁ ମୁତୟନ କରିଥିଲା।

ଷ୍ଟାଣ୍ଡବାଇରେ ଗୋଆ ରିଜର୍ଭ ପୁଲିସ୍‌ ଫୋର୍ସ ମଧ୍ୟ ରହିଥିଲେ। ଟ୍ରାଫିକ ବ୍ୟବସ୍ଥାକୁ ସୁଚାର ରୂପେ ଚଳାଇବା ପାଇଁ ୩୦୦ ଟ୍ରାଫିକ ପୁଲିସ୍‌ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଭିଡ଼ ଉପରେ ନଜର ରଖିବା ପାଇଁ ପୁଲିସ୍‌ ଡ୍ରୋନର ବ୍ୟବହାର କରିଥିଲା। ଷ୍ଟାଣ୍ତବାଇରେ ଦଙ୍ଗା ନିୟନ୍ତ୍ରଣ ଭ୍ୟାନ ମଧ୍ୟ ପୁଲିସ୍‌ ମନ୍ଦିର ପାଖରେ ରଖିଥିଲା।

କ’ଣ ପାଇଁ ଦଳାଚକଟା ହେଲା?

ମଧ୍ୟରାତ୍ରରେ ପରମ୍ପରା ଅନୁସାରେ ମନ୍ଦିର ପରିସର ଗୋଟିଆ ସ୍ଥାନରେ ନିଆଁ ଜଳା ଯାଇଥିଲା। କୁହାଯାଏ ଏହି ନିଆଁ ଚାରିପାଖରେ ବସି ଶ୍ରଦ୍ଧାଳୁମାନେ ଯଦି ପ୍ରାର୍ଥନା କରିବେ, ତା’ହେଲେ ସେମାନଙ୍କ ମନସ୍କାମନା ପୂରଣ ହେବ। ଏହି ପରମ୍ପରାରେ ସାମିଲ ହେଲେ ଇଚ୍ଛା ପୂରଣ ହେବ ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରନ୍ତି। କିଛି ଲୋକ ନିଜର ମାନସିକ ପୂରଣ ପାଇଁ ନିଆଁରେ ବି ଚାଳନ୍ତି। ଏହାକୁ ଅଗ୍ନିଦିବ୍ୟ ବୋଲି କୁହାଯାଏ। ନିଆଁ ଚାରିପାଖରେ ପ୍ରାର୍ଥନା କରିବା ପାଇଁ ମଧ୍ୟରାତ୍ରରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିଲା। ଶ୍ରଦ୍ଧାଳୁମାନେ ନିଆଁ ଜଳୁଥିବା ସ୍ଥାନର ନିକଟବର୍ତ୍ତୀ ହେବା ପାଇଁ ଉଦ୍ୟମ କରିଥିଲେ।

ଭୋର ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ହଠାତ ଭିଡ଼ ପୂର୍ବାପେକ୍ଷା ଗୋଟିଏ ସ୍ଥାନରେ ଅଧିକ ଦେଖାଯାଇଥିଲା। ଭିଡ଼ରେ ଅଣନିଃଶ୍ୱାସ ହୋଇ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। କିଛି ଲୋକ ଭିଡ଼ରୁ ବାହାରିବା ପାଇଁ ଅନ୍ୟମାନଙ୍କୁ ଠେଲି ପକାଇଥିଲେ। ଫଳରେ ଗୋଟିଏ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଭିଡ଼ରେ ଫସିଥିବା ଲୋକଙ୍କ ମଧ୍ୟରେ ଠେଲାପେଲା ଯୋଗୁ କିଛି ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ। ଫଳରେ ଦଳାଚକଟା ସ୍ଥିତି ଦେଖାଯାଇଥିଲା।

ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା ଯେ ପ୍ରବଳ ଭିଡ଼ ଓ ଭିଡ଼ ନିୟନ୍ତ୍ରଣ ପାଇଁ ହୋଇଥିବା ବ୍ୟବସ୍ଥାରେ ତ୍ରୁଟି ପାଇଁ ମନ୍ଦିରରେ ଦଳାଚକଟା ସ୍ଥିତି ଦେଖାଯାଇଥିଲା। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ଗୋଟିଏ ଅତର୍କିତ ଇଲେକ୍ଟ୍ରିକ ଶକ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। କିନ୍ତୁ ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା ବୋଲି ସେ କହିଛନ୍ତି।

ପ୍ରଶାସନର ପଦକ୍ଷେପ

ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି ଯେ ଆହତମାନଙ୍କୁ ଗୋଆ ମେଡିକାଲ କଲେଜ ଓ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଦୁଇ ହସ୍ପିଟାଲରେ ଅତିରିକ୍ତ ଡାକ୍ତରୀ ଟିମକୁ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ଥିତିର ସମୀକ୍ଷା କରି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ମନ୍ଦିର ପରିସରରେ ପ୍ରାୟ ୩୦ରୁ ୪୦ ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ମନ୍ଦିର ନିକଟରେ ଥିବା ଗୋଟିଏ ସ୍ଲୋପ ଉପରେ ବି କିଛି ଲୋକ ଛିଡ଼ା ହୋଇଥିଲେ। ଭିଡ଼ ଅଧିକ ଥିବା ବେଳେ କିଛି ଲୋକଙ୍କ ଗୋଡ଼ ସ୍ଲୋପରେ ଖସି ଯାଇଥିଲା। ଏଥିଯୋଗୁ ଜଣେ ଆଉ ଜଣଙ୍କ ଉପରେ ଚଢ଼ି ଯାଇଥିଲେ। ୪୦ରୁ ୫୦ ଜଣ ଲୋକ ସ୍ଲୋପ ଥିବା ଅଞ୍ଚଳରେ ତଳେ ପଡ଼ି ଯିବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।

Goa Stampede