Thomas
ଲୋକଙ୍କୁ ଭିସା ନାଁରେ ଠକେଇ। ଏପରି ଠକେଇରେ ଶିକାର ହୋଇ ଜୀବନ ହରାଇଛନ୍ତି କେରଳର ଜଣେ ନାଗରିକ। କିଛି ଦିନ ତଳେ ଥିରୁଅନନ୍ତପୁରମର ଥୁମ୍ବାର ଜଣେ ୪୭ ବର୍ଷୀୟ ନାଗରିକ ଆଉ ୩ ଜଣଙ୍କ ସହ ବେଆଇନ ଭାବେ ଇସ୍ରାଏଲରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଜୋର୍ଡାନ ସୈନ୍ୟଙ୍କ ଗୁଳି ମାଡ଼ରେ ଭାରତୀୟ ନାଗରିକଙ୍କ ଜୀବନ ଯାଇଛି।
ଥୁମ୍ବା ନିକଟରେ ଥିବା ରାଜବୀ ଗାନ୍ଧି ନଗର ଅନ୍ତର୍ଗତ ପୁଥୁଭାଲ ପୁରାୟିଡାମରେ ରହୁଥିବା ୪୭ ବର୍ଷୀୟ ଥୋମାସ ଗାବ୍ରିଏଲ ପେରିୟାର ଜୋର୍ଡାନ ସୈନ୍ୟଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସହ ଥିବା ଆଉ ୩ ଜଣ ଆହତ ହୋଇଛନ୍ତି। ଜୋର୍ଡାନରୁ ପ୍ରତ୍ୟର୍ପିତ ହୋଇଥିବା ଥୋମାସଙ୍କ ଜଣେ ସମ୍ପର୍କୀୟ ଏଡିସନ(୪୩) ନିକଟରେ ଭାରତରେ ପହଞ୍ଚିଥିଲେ। ତାଙ୍କ ଗୋଡ଼ରେ ଗୁଳିମାଡ଼ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା କରିବା ପରେ ଭାରତ ବିଦା କରାଯାଇଛି। ସେ ଭାରତରେ ପହଞ୍ଚିବା ପରେ ଥୋମାସଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣା ଦିନ ଥୋମାସ ଓ ଏଡିସନଙ୍କ ସହ ଥିବା ଆଉ ୨ ଜଣ ଏବେ ବି ବେଆଇନ ଅନୁପ୍ରବେଶ ଘଟଣାରେ ଜୋର୍ଡାନ ଜେଲରେ ରହିଛନ୍ତି।
ରିପୋର୍ଟ ଅନୁସାରେ ଥୋମାସଙ୍କ ମୃତ୍ୟୁ ସମ୍ପର୍କରେ ଜୋର୍ଡାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଇ-ମେଲ ଯୋଗେ ତାଙ୍କ ପରିବାର ବର୍ଗଙ୍କୁ ସୂଚିତ କରାଯାଇଥିଲା। କିନ୍ତୁ ସେମାନେ ବେଶ କିଛି ମାସ ହେଲା ଇ-ମେଲ ଚେକ କରୁ ନଥିବାରୁ ଘଟଣା ସମ୍ପର୍କରେ ଜାଣି ପାରି ନଥିଲେ। ଥୋମାସ, ଏଡିସନ ଓ ବାକି ୨ ଜଣଙ୍କୁ ଗୋଟିଏ ଏଜେନ୍ସି ପକ୍ଷରୁ ଇସ୍ରାଏଲରେ କାମ କରିବାକୁ ଭିସା ଯୋଗା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ଏଥିରେ ସେମାନେ ବିଶ୍ୱାସ କରି ଟଙ୍କା ଦେଇଥିଲେ। କିନ୍ତୁ ସେମାନଙ୍କୁ କେବଳ ଜୋର୍ଡାନର ଟୁରିଷ୍ଟ ଭିସା ମିଳିଥିଲା। ଏହି ଭିସା ପାଇବା ପରେ ସମସ୍ତେ ଏଜେନ୍ସିର ନିର୍ଦ୍ଦେଶ ଅନୁସାରେ ଇସ୍ରାଏଲରେ ଗୁପ୍ତ ଭାବେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଅନୁପ୍ରବେଶ ବେଳେ ସେମାନଙ୍କ ଉପରେ ଜୋର୍ଡାନ ପକ୍ଷରୁ ଗୁଳି ବର୍ଷା ହୋଇଥିଲା। ଏଥିରେ ଥୋମାସଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ।
ଥୋମାସ ଓ ଏଡିସନ ଫେବୃଆରୀ ୫ରେ ଜୋର୍ଡାନ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ଫେବୃଆରୀ ୯ ଯାଏ ସେମାନେ ପରିବାର ଲୋକଙ୍କ ଯୋଗାଯୋଗରେ ରହିଥିଲେ। ଫେବୃଆରୀ ୧୦ରେ ୪ ଜଣିଆ ଦଳ ଗୋଟିଏ ପାହାଡ଼ିଆ ରାସ୍ତା ଦେଇ ଇସ୍ରାଏଲ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ଜୋର୍ଡାନର ସୁରକ୍ଷାକର୍ମୀ ଦେଖି ନେଇଥିଲେ।
ଥୋମାସଙ୍କ ପରିବାର ମୃତଦେହ ଫେରାଇ ଆଣିବାକୁ ନୋରକା ରୁଟ୍ସ ସହ ଯୋଗାଯୋଗ କରିଛି। ନୋରକା ରୁଟ୍ସର ସିଇଓ ଅଜିତ କହିଛନ୍ତି, “ଭିସା ଏଜେନ୍ସିର ଠକେଇରେ ଲୋକମାନେ ପ୍ରଥମଥର ପାଇଁ ପଡ଼ି ନାହାନ୍ତି। ଉପକୂଳରେ ରହୁଥିବା ଅନେକ ଲୋକଙ୍କୁ ଏଜେନ୍ସି ଗୁଡ଼ିକ ରୁଷରେ ଅନ୍ୟ କାମର ପ୍ରତିଶ୍ରୁତି ଦେଇ ଠକିଛନ୍ତି। ସେମାନଙ୍କୁ ରୁଷ ପଠାଇ ବଳପୂର୍ବକ ୟୁକ୍ରେନ ସହ ଯୁଦ୍ଧରେ ନିୟୋଜିତ କରାଯାଇଛି।
ଏହି ସବୁ ଏଜେନ୍ସି ଗୁଡ଼ିକ ପାଖରେ ନିଯୁକ୍ତି କିମ୍ବା ଭିସା ଦେବାକୁ କୌଣସି ପ୍ରକାରର ବୈଧ ଲାଇସେନ୍ସ ନାହିଁ। ଲୋକମାନେ ଏପରି ଠକେଇ ପ୍ରତି ସତର୍କ ରୁହନ୍ତୁ ଓ ପୁଲିସ୍ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନେବା ଦରକାର।” ନୋରକା ରୁଟ୍ସ ହେଉଛି ଏମିତି ଏକ ସଂସ୍ଥା ଯିଏ କେରଳ ସରକାରଙ୍କ ସହ ବିଦେଶରେ ରହୁଥିବା ରାଜ୍ୟବାସୀଙ୍କ କଥା ବୁଝିଥାଏ।
କେରଳରେ ଥୋମାସ ଓ ଏଡିସନ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେମାନେ ନିଜର ବିଦେଶ ଯାତ୍ରା ସମ୍ପର୍କରେ କାହାକୁ ବି କିଛି କହି ନଥିଲେ। ଟ୍ରିପର କିଛି ସମୟ ପୂର୍ବରୁ ହିଁ ସେମାନେ ନିଜର ପରିବାର ଲୋକଙ୍କୁ ଜୋର୍ଡାନ ଗସ୍ତ ସମ୍ପର୍କରେ ଅବଗତ କରାଇଥିଲେ। କିନ୍ତୁ ଯାତ୍ରା ସମ୍ପର୍କରେ ଅଧିକ କିଛି ତଥ୍ୟ ଦେଇ ନଥିଲେ। ତେଣୁ ସେମାନେ କାହା କଥାରେ ଜୋର୍ଡାନ ଯାଇଥିଲେ ଓ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସେକଥା ସ୍ପଷ୍ଟ ହୋଇନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Thomas__1740989456.jpg)