ଚନ୍ଦ୍ରଯାନ-୩ର ଲକ୍ଷ୍ୟ କ'ଣ?

ଆଜି ଅନ୍ତରିକ୍ଷକୁ ଉତକ୍ଷେପଣ ହେବ ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩। ୬୧୫ କୋଟିର ଏହି ପ୍ରୋଜେକ୍ଟ ସଫଳ ହେଲେ ଚନ୍ଦ୍ରମାରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। କାହିଁକି ଭାରତୀୟ ମହାକାଶ ଅନୁସନ୍ଧାନୀ ଚନ୍ଦ୍ରଯାନର ପରିକଳ୍ପନା କରିଛନ୍ତି, ଏହା ସଫଳ ହେଲେ ଦେଶକୁ କି କି ଉପଲବ୍ଧି ମିଳିବ, ଜାଣନ୍ତୁ...

Chandrayaan-3

  • Published: Friday, 14 July 2023
  • , Updated: 14 July 2023, 12:53 PM IST

News highlights

  • ଜହ୍ନ ରାଇଜରେ ଜୀବସତ୍ତା ଅନୁଧ୍ୟାନ ସହଜ ହେବ
  • ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ ଚନ୍ଦ୍ରଯାନ-3
  • ଚନ୍ଦ୍ରପୃଷ୍ଠ କିପରି ଉତ୍ତାପକୁ ପ୍ରବାହିତ କରେ ନୀରିକ୍ଷଣ କରିବ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ତଥା ଭାରତ ପାଇଁ ଆଜି ଏକ ଐତିହାସିକ ଦିନ। ଇସ୍ରୋ ତାର ସ୍ୱପ୍ନର ମୁନ୍ ମିଶନକୁ ପୁରା କରିବାକୁ ଯାଉଛି। ୩ ବର୍ଷ ୧୧ ମାସ ୨୩ ଦିନ ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିବ ଇସ୍ରୋ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି, କେବଳ ଉତକ୍ଷେପଣ ସମୟକୁ ଅପେକ୍ଷା। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ୟାଡରୁ ଦିନ ୨ଟା ୩୫ ମିନିଟରେ ଜହ୍ନ ରାଇଜ ଅଭିମୁଖେ ଉଡାଣ ଭରିବ ଚନ୍ଦ୍ରଯାନ-୩।

ପୂର୍ବଥର ପରି ଏଥର ଯେପରି ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ(ସୁରକ୍ଷିତ ଅବତରଣ)ରେ କୌଣସି ଯାନ୍ତ୍ରିକ ସମସ୍ୟା ନହୁଏ ସେଥିପାଇଁ ବୈଜ୍ଞାନିକମାନେ ବିଶେଷ ଦୃଷ୍ଟି ରଖିଛନ୍ତି। ୬୧୫ କୋଟିର ଏହି ପ୍ରୋଜେକ୍ଟ ସଫଳ ହେଲେ ଚନ୍ଦ୍ରମାରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚୀନ, ରୁଷିଆ ଏହି ସଫଳତା ହାସଲ କରି ସାରିଛନ୍ତି। ତେବେ କାହିଁକି ଭାରତୀୟ ମହାକାଶ ଅନୁସନ୍ଧାନୀ ଚନ୍ଦ୍ରଯାନର ପରିକଳ୍ପନା କରିଛନ୍ତି, ଏହା ସଫଳ ହେଲେ ଦେଶକୁ କି କି ଉପଲବ୍ଧି ମିଳିବ, ଜାଣନ୍ତୁ...  

ISRO ଅନୁଯାୟୀ, ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ ଉପରେ ତିନୋଟି ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି। ସର୍ବପ୍ରଥମେ, ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଏବଂ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚାହୁଁଛନ୍ତି। ଚନ୍ଦ୍ରଯାନ-୨ ମିଶନ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉଦ୍ଦିଷ୍ଟ ଥିଲା, ମାତ୍ର ସାମାନ୍ୟ ତ୍ରୁଟି ମିଶନକୁ ବିଫଳ କରିଦେଲା। ଏହା ପରେ, ISRO ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦୁଇ ପ୍ରଥମ ସୋପାନ ଅତିକ୍ରମ କଲେ ବୈଜ୍ଞାନିକମାନେ ଚନ୍ଦ୍ର ଉପରେ ଅନେକ ପରୀକ୍ଷା-ନୀରିକ୍ଷା କରିବାକୁ ଚାହାଁନ୍ତି। ଏଥିପାଇଁ ଚନ୍ଦ୍ରଯାନ-୩ ମାଧ୍ୟମରେ ଚନ୍ଦ୍ରପୃଷ୍ଠକୁ ଅନେକ ଯନ୍ତ୍ର ପଠାଯିବ। ଏକ ସ୍ୱତନ୍ତ୍ର ଯନ୍ତ୍ର ମହାକାଶକୁ ପ୍ରେରଣ କରାଯିବ, ଯାହା ଜହ୍ନ ରାଇଜରୁ ପୃଥିବୀ ଉପରେ ବିଶେଷ ନଜର ରଖିବ।

ଏହି ପରୀକ୍ଷଣ ସଫଳ ହେଲେ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବନସତ୍ତା ସମ୍ଭବ କି ନାହିଁ, ଜାଣିବା ସହଜ ହେବ। ରିପୋର୍ଟ ଅନୁଯାୟୀ, ବିକ୍ରମ ଲ୍ୟାଣ୍ଡରର ଚାରୋଟି ପେ ଲୋଡ୍ ରହିବ। ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅଛି। ଏକ ଯନ୍ତ୍ର ଏହାକୁ ଅଧ୍ୟୟନ କରିବ। ଦ୍ୱିତୀୟ ଯନ୍ତ୍ର ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ। ତୃତୀୟ ଯନ୍ତ୍ର ପ୍ଲାଜମା ପରିବେଶ ଅଧ୍ୟୟନ କରିବ। ଚତୁର୍ଥ ଯନ୍ତ୍ରଟି ଜାଣିବ ଯେ, ଚନ୍ଦ୍ରପୃଷ୍ଠ କିପରି ଏହା ମାଧ୍ୟମରେ ଉତ୍ତାପକୁ ପ୍ରବାହିତ କରେ। ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନକୁ ବୁଝିବା ପାଇଁ ବ୍ୟବହୃତ ହେବ।

ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଥିବା ସ୍ଥାନକୁ ଅବତରଣ ପାଇଁ ଚୟନ କରାଯାଇଛି। ଏହି ଅଞ୍ଚଳରେ ଛାୟା କ୍ରାଟର ଅଛି, ଯେଉଁଥିରେ ଜଳ ଅଣୁ ରହିଥିବାର ସମ୍ଭାବନା ରହିଛି।

Related story