Advertisment

ବିଜୟ ଉତ୍ସବ ପାଳିଲେ ମୋଦି, ସମସ୍ତଙ୍କୁ ବିଜେପି ବିଜୟର ୩ ସୂତ୍ରୀ କାରଣ କହିଲେ

ଉତ୍ତରପୂର୍ବ ବିଜୟ ପରେ ଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ବିଜେପି କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୟ ଉତ୍ସବ ପାଳନ କରି ସେ କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି।

author-image
Hemant Lenka
undefined

PM Modi

ଉତ୍ତରପୂର୍ବ ବିଜୟ ପରେ ଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ବିଜେପି କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୟ ଉତ୍ସବ ପାଳନ କରି ସେ କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି। ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଲୋକଙ୍କ ବିଶ୍ୱାସ ରହିଥିବା ୩ ରାଜ୍ୟର ନିର୍ବାଚନ ଫଳାଫଳ ଦର୍ଶାଉଛି। ଉତ୍ତରପୂର୍ବ ଅଞ୍ଚଳ ଏବେ ଦିଲ୍ଲୀ କିମ୍ବା ଦିଲ୍‌(ହୃଦୟ) ଠାରୁ ଦୂରରେ ନାହିଁ ବୋଲି ମୋଦି କହିଛନ୍ତି। ଏଥିସହ ୩ ରାଜ୍ୟର ହୋଇଥିବା ବିଜୟର ସମସ୍ତ ଶ୍ରେୟ ସେ ସ୍ଥାନୀୟ ବିଜେପି କର୍ମୀ ଓ ନେତାମାନଙ୍କୁ ଦେଇଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି।

Advertisment

ବିଜେପି ବେଶ ଆରାମରେ ତ୍ରିପୁରାରେ ଜିତିଥିବା ବେଳେ ନାଗାଲାଣ୍ତରେ ଏନଡିପିପି ସହ ମିଶି ସରକାର ଗଠନ କରିବ। ସେହିପରି ମେଘାଳୟରେ କାହାକୁ ବି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ନ ମିଳିବାରୁ କନରାଡ ସାଙ୍ଗମାଙ୍କ ଦଳ ବିଜେପିର ସହଯୋଗ ମାଗିଛି। ବିଜେପି ମଧ୍ୟ ତାଙ୍କ ସହ ସାମିଲ ହୋଇ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି।

୩ଟି ଯାକ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଥିବାରୁ ଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ବିଜୟ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ଦଳୀୟ ନେତା ଉପସ୍ଥିତ ଥିଲେ।

Advertisment

ସେମାନଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, “ଏହି ଫଳାଫଳ ଏହା ଦର୍ଶାଉଛି ଯେ ଲୋକଙ୍କ ଦୃଢ଼ ବିଶ୍ୱାସ ଗଣତନ୍ତ୍ର ଓ ଦେଶର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଉପରେ ରହିଛି। ଯେଉଁଭଳି ଭାବରେ ଉତ୍ତରପୂର୍ବ ରାଜ୍ୟର ଫଳାଫଳ ସାମ୍ନାକୁ ଆସିଲା, ସେଥିରୁ ସ୍ପଷ୍ଟ ହୋଇଛି ଯେ ଏହି ଅଞ୍ଚଳ ଦିଲ୍ଲୀ କିମ୍ବା ଦିଲ ଠାରୁ ଆଉ ଦୂରରେ ନାହିଁ। ଉତ୍ତରପୂର୍ବ ରାଜ୍ୟରେ ଥିବା ଆମ କର୍ମୀମାନେ ଆମେ ଏଠାରେ ଥିବା ସମସ୍ତଙ୍କ ଠାରୁ ଅଧିକ ପରିଶ୍ରମ କରିଛନ୍ତି। ସେମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି।”

ଏହି ସମୟରେ ସେ ଦଳୀୟ କର୍ମୀ ଓ ନେତାମାନଙ୍କୁ ନିଜ ନିଜ ମୋବାଇଲର ଫ୍ଲାଶ ଲାଇଟ ଅନ କରି ଉତ୍ତର ପୂର୍ବ ରାଜ୍ୟର କର୍ମୀଙ୍କୁ କୃତଜ୍ଞତା ଜଣାଇବାକୁ କହିଥିଲେ। ସମସ୍ତେ ମଧ୍ୟ ଫ୍ଲାଶଲାଇଟ ଅନ କରିଥିଲେ।

ମୋଦି ଆହୁରି କହିଛନ୍ତି, “ପୂର୍ବ ବର୍ଷ ଗୁଡ଼ିକରେ ବିଜେପି ଏପରି ଅନେକ ବିଜୟ ଉତ୍ସବ ପାଳିଛି। ଆଜି ଆମ ପାଇଁ ଆଉ ଏକ ଉତ୍ସବ। ମୁଁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ଲୋକଙ୍କୁ କୃତଜ୍ଞତା ଜଣାଉଛି। ସେଠାକାର ଲୋକମାନେ ବିଜେପି ଓ ତା’ର ସହଯୋଗୀ ଦଳଗୁଡ଼ିକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ପୂର୍ବରୁ ଉତ୍ତରପୂର୍ବ ରାଜ୍ୟରେ ନିର୍ବାଚନ ହେଉଥିଲା ଓ ରେଜଲ୍ଟ ପ୍ରକାଶ ପାଉଥିଲା। କିନ୍ତୁ ଏହାକୁ ନେଇ ବେଶୀ କିଛି ଆଲୋଚନା ହେଉ ନଥିଲା। କେବଳ ନିର୍ବାଚନୀ ହିଂସା ଓ ବିଭ୍ରାଟ କଥା କୁହାଯାଉଥିଲା। ହେଲେ ଆମେ ଉତ୍ତରପୂର୍ବରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇଛୁ। ଉତ୍ତରପୂର୍ବକୁ ନେଇ ନୂଆ ଚିନ୍ତାଧାରା ସୃଷ୍ଟି ହୋଇଛି।

ଅନେକ ରାଜନୀତିକ ବିଶାରଦମାନେ ବିଜେପିର ବିଜୟ ପଛର କାରଣକୁ ସମୀକ୍ଷା କରୁଛନ୍ତି। ଆମର ଶୁଭେଚ୍ଛୁମାନେ ମଧ୍ୟ ବିଜୟ ପଛର କାରଣ ଜାଣିବାକୁ ଇଚ୍ଛୁକ। ଆଜି ବିଜୟ ପଛର କାରଣ ମୁଁ ସମସ୍ତଙ୍କୁ କହିବି। ଏହି ବିଜୟର କାରଣ ହେଲେ ହେଲା ତ୍ରିବେଣୀ। ପ୍ରଥମ ଶକ୍ତି ହେଲା ବିଜେପି ସରକାରର କାମ, ଦ୍ୱିତୀୟ ହେଲା ବିଜେପିର କାମ କରିବାର ଶୈଳୀ ଓ ତୃତୀୟଟି ହେଲେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ। ଏହି ୩ ସଙ୍ଗମ ଯୋଗୁ ବିଜେପି ଜିତିଛି। 

ଉତ୍ତର ପୂର୍ବ ରାଜ୍ୟକୁ ନିୟମିତ ଗସ୍ତ କରି ମୁଁ ସେମାନଙ୍କର ହୃଦୟଜିତିବାକୁ ସକ୍ଷମ ହୋଇଛି। ଏହା ମୋ ପାଇଁ ବଡ଼ ବିଜୟ। ଉତ୍ତରପୂର୍ବ ରାଜ୍ୟର ଲୋକମାନେ ଆଉ ଅଣଦେଖା ହେଉ ନଥିବାରୁ ମୁଁ ସନ୍ତୁଷ୍ଟ।”

ଏଥିସହ ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏବେ ବିଜେପିର ବିଜୟ ପାଇଁ କିଛି ଲୋକ ଇଭିଏମକୁ ସମ୍ଭବତଃ ଦାୟୀ କରିପାରନ୍ତି। କଂଗ୍ରେସ ଉତ୍ତରପୂର୍ବ ରାଜ୍ୟକୁ ଏଟିଏମ ଭାବେ ବ୍ୟବହାର କରୁଥିଲା। ପୂର୍ବ ସରକାରମାନେ ଉତ୍ତର ପୂର୍ବ ରାଜ୍ୟର ଗାଁଗୁଡ଼ିକୁ ବିଜୁଳି ସଂଯୋଗ କରି ନଥିଲେ। ସେମାନେ ଏହାକୁ କଠିନ କାମ ଭାବୁଥିଲେ। ସେମାନେ କେବଳ କାଲି ସକାଳେ କ’ଣ ଖବରକାଗଜ ଓ ଟିଭିର ମୁଖ୍ୟାଂଶ ହେବ ସେ ବିଷୟରେ ଚିନ୍ତା କରୁଥିବା ମୋଦି କହିଛନ୍ତି।

Bjp Delhi Narendra Modi PM Modi Election