୪ ଯବାନ ସହିଦ ଘଟଣା: ରାହୁଲ ଗାନ୍ଧି ଦେଲେ ବଡ଼ ବୟାନ

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆହୁରି ମଧ୍ୟ କହିଛନ୍ତି ଯେ “ଗୋଟିଏ ପରେ ଗୋଟିଏ ଏପରି ଭୟଙ୍କର ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ।”

ରାହୁଲ ଗାନ୍ଧି (ଫାଇଲ ଫଟୋ)

  • Published: Tuesday, 16 July 2024
  • , Updated: 16 July 2024, 06:13 PM IST

ଜମ୍ମୁ-କଶ୍ମୀରର ଡୋଡାରେ ଆତଙ୍କବାଦୀମାନଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ୪ ସୁରକ୍ଷାକର୍ମୀଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ଏବେ ପ୍ରତିଟି ଦେଶଭକ୍ତ କ’ଣ ଚାହୁଁଛନ୍ତି, ସେକଥା ମଧ୍ୟ ସରକାରଙ୍କ ଆଗରେ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି, “ଆଜି ପୁଣିଥରେ ଜମ୍ମୁ-କଶ୍ମୀରରେ ହୋଇଥିବା ଏନକାଉଣ୍ଟରରେ ଆମ ସୈନ୍ୟ ସହିଦ ହୋଇଛନ୍ତି। ମୁଁ ସହିଦମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି।”

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆହୁରି ମଧ୍ୟ କହିଛନ୍ତି ଯେ “ଗୋଟିଏ ପରେ ଗୋଟିଏ ଏପରି ଭୟଙ୍କର ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ।”

ସେ ସରକାରଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ରାହୁଲ କହିଛନ୍ତି, “ଲଗାତର ହେଉଥିବା ଏପରି ଆତଙ୍କବାଦୀ ହମଲା ଜମ୍ମୁ-କଶ୍ମୀରର ବିପର୍ଯ୍ୟସ୍ଥ ସ୍ଥିତିକୁ ଦର୍ଶାଉଛି। ବିଜେପିର ଭୁଲ ନୀତିଗୁଡ଼ିକର ପରିଣାମ ଆମର ଯବାନ ଓ ସେମାନଙ୍କ ପରିବାର ଲୋକଙ୍କୁ ଭୋଗିବାକୁ ପଡ଼ୁଛି।” ଏଠାରେ ରାହୁଲ ଗାନ୍ଧି ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଥିବା ଧାରା ୩୭୦ କଥା ପରୋକ୍ଷରେ କହିଛନ୍ତି।

ସେ ପୁଣି କହିଛନ୍ତି, “ପ୍ରତ୍ୟେକ ଦେଶଭକ୍ତ ଭାରତୀୟଙ୍କ ଦାବି ହେଉଛି ଯେ ସରକାର ବାରମ୍ବାର ହେଉଥିବା ସୁରକ୍ଷାଜନିତ ତ୍ରୁଟିର ସଂପୂର୍ଣ୍ଣ ଉତ୍ତରଦାୟିତ୍ୱ ନିଅନ୍ତୁ। ଏଥିସହ ଦେଶ ଓ ଯବାନମାନଙ୍କ ଅପରାଧିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହି ଦୁଃଖଦ ମୁହୂର୍ତ୍ତରେ ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇ ଛିଡ଼ା ହୋଇଛି।”

ଡୋଡାରେ ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରେ ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ଜଙ୍ଗଲରେ ଲୁଚି ରହିଥିବାରୁ ଏବେ ବି ସେଠାରେ ଅପରେସନ ଜାରି ରହିଛି।

Related story