Advertisment

ନଗଦ ଟଙ୍କା ଠାରୁ ଟର୍ଚ୍ଚ, ମେଡିସିନ ଓ ବ୍ଲାକଆଉଟ: ସୁରକ୍ଷା ମକ ଡ୍ରିଲ ବେଳେ କାହା ଉପରେ କରାଯିବ ଫୋକସ?

୧୯୭୧ ପରେ ପ୍ରଥମଥର ପାଇଁ ଦେଶରେ ସୁରକ୍ଷା ସମ୍ପର୍କିତ ଡ୍ରିଲର ଅଭ୍ୟାସ କରାଯିବ। ୧୯୭୧ ମକ ଡ୍ରିଲର କିଛି ମାସ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Mock Drills

Mock Drills

ପହଲଗାମ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚମରସୀମାରେ ପହଞ୍ଚିଛି। ଭାରତ ଓ ପାକିସ୍ତାନ ବିବାଦ ଏତେ ବଢ଼ି ଯାଇଛି ଯେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଯୁଦ୍ଧ ଆଶଙ୍କା ଭିତରେ ଭାରତ ସରକାର ଦେଶର ୨୫୯ଟି ସ୍ଥାନରେ ସୁରକ୍ଷା ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଓଡ଼ିଶାର ୧୨ଟି ଜିଲ୍ଲା ସମେତ ଦେଶର ୨୫୯ ସ୍ଥାନରେ ସୁରକ୍ଷା ପ୍ରସ୍ତୁତିର ଡ୍ରିଲ ହେବ।

Advertisment

ଡ୍ରିଲ ସମୟରେ ଯୁଦ୍ଧ ସାଇରନ ବାଜିବ। ଏହାର ଅର୍ଥ ଲୋକଙ୍କୁ ବଡ଼ ବିପଦ ସମ୍ପର୍କରେ ଆଗୁଆ ସତର୍କ କରାଇବାର ତାଲିମ ଦିଆଯିବ। ସାଇରନ ବାଜିବା ମାତ୍ରେ ଲୋକମାନେ ନିଜର ଆତ୍ମରକ୍ଷା ପାଇଁ ସୁରକ୍ଷିତ ସ୍ଥାନକୁ ଯିବେ। ଏହି ଯୁଦ୍ଧ ସାଇରନ ଗାଡ଼ି ହର୍ଣ୍ଣ ଠାରୁ ସଂପୂର୍ଣ୍ଣ ଭିନ୍ନ। ଆସନ୍ତକାଲି ଅପରାହ୍ନ ୪ଟାରେ ଯୁଦ୍ଧ ସାଇରନ ବାଜିବ। ଏହି ସମୟରେ କେହି ବି ବିଚଳିତ ନ ହେବାକୁ ପରାମର୍ଶ ଦିଆଯାଇଛି। 

ସେହିପରି ବ୍ଲାକଆଉଟ ବା ଅନ୍ଧାର ପରିସ୍ଥିତିକୁ ଲୋକମାନେ କେମିତି ମୁକାବିଲା କରିବେ, ତା’ର ମଧ୍ୟ ତାଲିମ ଆସନ୍ତାକାଲି ସୁରକ୍ଷା ମକଡ୍ରିଲ ସମୟରେ ସମସ୍ତଙ୍କୁ ଅବଗତ କରାଯିବ। ମକ ଡ୍ରିଲରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲା ଓ ବିଭିନ୍ନ ଅଧିକାରୀ ସାମିଲ ହେବେ।

Advertisment

୧୯୭୧ ପରେ ପ୍ରଥମଥର ପାଇଁ ଦେଶରେ ସୁରକ୍ଷା ସମ୍ପର୍କିତ ଡ୍ରିଲର ଅଭ୍ୟାସ କରାଯିବ। ୧୯୭୧ ମକ ଡ୍ରିଲର କିଛି ମାସ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ପହଲଗାମ ହମଲା ପରେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ତେଣୁ ବଡ଼ କିଛି ବିପଦ ଆଶଙ୍କାରେ ସରକାର ଦେଶ ବ୍ୟାପୀ ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଗୃହ ସଚିବ ଗୋବିନ୍ଦ ମୋହନ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଥିଲେ। ଦେଶବ୍ୟାପୀ ଆସନ୍ତାକାଲି ମକ ଡ୍ରିଲ ହେବାକୁ ଥିବା ବେଳେ ଏହା ପୂର୍ବରୁ ସଚିବ ମୋହନ ବୈଠକ କରିଛନ୍ତି। ସାଧାରଣ ପ୍ରତିରକ୍ଷା ପ୍ରସ୍ତୁତିରେ ସମନ୍ୱୟ ରକ୍ଷା କରିବା ପାଇଁ ଏପରି ବୈଠକ ବସିଥିଲା। ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ଆଜିର ବୈଠକରେ ଯୋଗ ଦେଇଥିଲେ।

୨୦୧୦ରେ ଦେଶର ୨୪୪ଟି ସ୍ଥାନକୁ ସାଧାରଣ ପ୍ରତିରକ୍ଷା ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିଲା। ସେହି ସବୁ ସ୍ଥାନକୁ ସୁରକ୍ଷା ସଂକ୍ରାନ୍ତ ମକ ଡ୍ରିଲ ବେଳେ ଅଧିକ ଫୋକସ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସୀମାନ୍ତ ରାଜସ୍ଥାନ, ପଞ୍ଜାବ, ଜମ୍ମୁ-କଶ୍ମରୀ, ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ରାଜ୍ୟର ଅଧିକାଂଶ ଜିଲ୍ଲା ସାଧାରଣ ପ୍ରତିରକ୍ଷା ଜିଲ୍ଲା ଭାବେ ମାନ୍ୟତା ପାଇଛି।

ଟର୍ଚ୍ଚ, କ୍ୟାଣ୍ଡେଲ ଓ ନଗଦ ଟଙ୍କା ରଖନ୍ତୁ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଦେଶରେ ଥିବା ୨୪୪ ସାଧାରଣ ପ୍ରତିରକ୍ଷା ପ୍ରତିଷ୍ଠାନର ସ୍ଥିତିର ସମୀକ୍ଷା କରାଯାଇଛି। ଉକ୍ତ ପ୍ରତିଷ୍ଠାନଗୁଡ଼ିକରେ ମହଜୁଦ ମେସିନ କାର୍ଯ୍ୟକ୍ଷମ ରହିଛି ନା ଏହାର ମରାମତି କରିବାର ଆବଶ୍ୟକ, ତା’ ଉପରେ ଆଲୋଚନା କରାଯାଇଛି। ଜରୁରୀ ସ୍ଥିତିର ମୁକାବିଲା ପାଇଁ କେମିତି ସାଧାରଣ ଲୋକଙ୍କୁ ପ୍ରସ୍ତୁତ କରାଯିବ, ସେକଥା ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବିଶେଷ କରି ଏୟାର ରେଡ ସାଇରନ, ବ୍ଲାକଆଉଟ ସମୟରେ କ’ଣ କରିବେ ଓ ଜରୁରୀ ଆବଶ୍ୟକ ସାମଗ୍ରୀକୁ କେମିତି ପ୍ରସ୍ତୁତ କରି ରଖିବେ, ତା’ ଉପରେ ଆସନ୍ତାକାଲି ମକ ଡ୍ରିଲ ସମୟରେ ଫୋକସ କରାଯିବ।

ଲୋକମାନେ ମେଡିକାଲ କିଟ, ଔଷଧ, ଟର୍ଚ୍ଚ, ମହମବତୀ ଓ ନଗଦ ଟଙ୍କା ଗଚ୍ଛିତ କରି ରଖିବା ଉପରେ ଅଧିକାରୀମାନେ ଫୋକସ କରିଛନ୍ତି। ବିଜୁଳି କାଟ ଓ ନେଟୱାର୍କ ଫେଲର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ। ୨୪୪ଟି ସାଧାରଣ ପ୍ରତିରକ୍ଷା ଜିଲ୍ଲା ମଧ୍ୟରୁ ୧୦୦ରୁ ଅଧିକ ସ୍ଥାନକୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ବିବେଚନା କରାଯାଇଛି। ସେସବୁ ସ୍ଥାନରେ ରହୁଥିବା ଲୋକଙ୍କୁ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅଧିକ ସତର୍କ ରହିବାକୁ ତାଲିମ ଦିଆଯିବ।

ମକ ଡ୍ରିଲରେ କେଉଁମାନେ ସାମିଲ ହେବେ?

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶର ୨୫୯ଟି ସ୍ଥାନରେ ସୁରକ୍ଷା ସମ୍ପର୍କିତ ଡ୍ରିଲ ହେବ। ଗ୍ରାମୀଣ ସ୍ଥଳରେ ଏହି ଡ୍ରିଲକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନାଗରିକ ସୁରକ୍ଷା ପ୍ରସ୍ତୁତିର ଆକଳନା କରିବା ଓ ଏହାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା। ବିଜ୍ଞପ୍ତି ଅନୁସାରେ ଡ୍ରିଲରେ ଜିଲ୍ଲାପାଳ, ବିଭିନ୍ନ ଜିଲ୍ଲା ଅଧିକାରୀ, ସାଧାରଣ ପ୍ରତିରକ୍ଷା ୱାର୍ଡେନ/ସ୍ୱେଚ୍ଛାସେବୀ, ଗୃହରକ୍ଷୀ, ଏନସିସି, ଏନଏସଏସ, ଏନୱାଇକେଏସ, କଲେଜ ଓ ସ୍କୁଲ ଶିକ୍ଷାର୍ଥୀ ମକ ଡ୍ରିଲରେ ସକ୍ରିୟ ଭାବେ ସାମିଲ ହେବେ। ଭୟଙ୍କର ଆକ୍ରମଣର ମୁକାବିଲା ପାଇଁ ସାଧାରଣ ଲୋକ ମଧ୍ୟ ପ୍ରସ୍ତୁତି କରିବା ଦରକାର ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି।

ମକ ଡ୍ରିଲର ଉଦ୍ଦେଶ୍ୟ କ’ଣ?

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସୁରକ୍ଷା ଡ୍ରିଲର ୯ଟି ଉଦ୍ଦେଶ୍ୟ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ମକ ଡ୍ରିଲର ପ୍ରଥମ ଉଦ୍ଦେଶ୍ୟ ହେଲା – ଆକାଶ ପଥର ହେବାକୁ ଥିବା ହମଲା ସଂକ୍ରାନ୍ତ ଚେତାବନୀ ଦେଉଥିବା ବ୍ୟବସ୍ଥାକୁ ପ୍ରଭାବଶାଳୀ ଢଙ୍ଗରେ ଆକଳନ କରିବା ଓ ଲୋକଙ୍କୁ ଆକାଶ ପଥ ଆକ୍ରମଣର ମୁକାବିଲା ପାଇଁ ସଜାଗ କରାଇବା।

ଡ୍ରିଲ ସମୟରେ ବାୟୁ ସେନା ସହିତ ହଟଲାଇନ ଓ ରେଡିଓ ସଞ୍ଚାର ଲାଇନ ମଧ୍ୟ ଚାଲୁ ରହିବ। କଣ୍ଟ୍ରୋଲ ରୁମ ଓ ଚ୍ଛାୟା କଣ୍ଟ୍ରୋଲ ରୁମର କାର୍ଯ୍ୟକ୍ଷମତାର ମଧ୍ୟ ଟେଷ୍ଟ କରାଯିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ନାଗରିକ ଓ ଶିକ୍ଷାର୍ଥୀମାନଙ୍କୁ ଶତ୍ରୁତାପୂର୍ଣ୍ଣ ହମଲା ସ୍ଥିତି ବେଳେ ନିଜର ସୁରକ୍ଷା କେମିତି କରିବେ, ତା’ର ତାଲିମ ଦିଆଯିବ।

ଆକାଶ ପଥ ଆକ୍ରମଣକୁ ପ୍ରତିହିତ କରିବା ପାଇଁ ଯୋଜନାବଦ୍ଧ ଭାବେ ବ୍ଲାକଆଉଟ କରାଯିବ। ଏହି ସମୟରେ ସାଧାରଣ ଲୋକ କେମିତି ଏହାର ମୁକାବିଲା କରିବେ, ତା’ର ତାଲିମ ମଧ୍ୟ ଦିଆଯିବ। ଡ୍ରିଲ ସମୟରେ ଅଧିକାରୀମାନେ ଲୋକଙ୍କୁ କିଛି ସମୟ ପାଇଁ ଘର ଓ ରାସ୍ତାର ଆଲୁଅ ବନ୍ଦ କରିବାକୁ ମଧ୍ୟ କହି ପାରନ୍ତି। ହମଲା ବେଳେ କେମିତି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଯଥା-ଏୟାର ଫିଲ୍ଡ, ରିଫାଇନାରୀ ଓ ରେଲ ଧାରଣାକୁ ସୁରକ୍ଷା କରାଯିବ, ତା’ର ତାଲିମ ଦିଆଯିବ।

ଉଦ୍ଧାରକାମରୀ ଟିମ ଓ ଅଗ୍ନିଶମ ବାହିନୀ ଜରୁରୀ ମୁକାବିଲାର ପ୍ରସ୍ତୁତି ପାଇଁ କେତେ ପ୍ରସ୍ତୁତ, ତା’ର ଆକଳନ କରାଯିବ। ସାଧାରଣ ଲୋକଙ୍କୁ ଡ୍ରିଲ ବେଳେ ସୁରକ୍ଷିତ ସ୍ଥାନକୁ ନେବା ଆଣିବା କରାଯିବ। ସାଧାରଣ ଲୋକଙ୍କ ପ୍ରାଥମିକ ଚିକିତ୍ସା, ଫାୟାର ଫାଇଟିଂ ଓ ଶେଲଟର ଟେକନିକ ସମୟରେ ମଧ୍ୟ ତାଲିମ ଦିଆଯିବ।

Jammu Kashmir India Pakistan War