/odisha-reporter/media/media_files/2025/11/25/blo-2025-11-25-16-31-22.jpg)
ପ୍ରାଣ ହରାଇଥିବା କିଛି ବିଏଲଓ
ଆସନ୍ତା ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଛି ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍ଆଇଆର। ଏହା ଭୋଟର ତାଲିକା ସଂଶୋଧର ଗୋଟିଏ ପ୍ରକ୍ରିୟା। ବିଧାନସଭା ପୂର୍ବରୁ ସଂଶୋଧିତ ଭୋଟର ତାଲିକା ଜାରି କରିବା ପାଇଁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଦ୍ରୁତଗତିରେ ସର୍ଭେ ଚାଲୁଛି।
ସର୍ଭେ କାର୍ଯ୍ୟରେ ସାମିଲ ହୋଇଛନ୍ତି ବୁଥ ସ୍ତରୀୟ ଅଧିକାରୀ। କିନ୍ତୁ ସର୍ଭେରେ ସାମିଲ ଥିବା ଅତିକମରେ ୯ ଜଣ ବିଏଲଓଙ୍କ ଜୀବନ ଗଲାଣି। କିଏ କାମ ଚାପ ସହି ନ ପାରି ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଥିବା ବେଳେ ଆଉ କିଛି ବିଏଲଓ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗ, କେରର, ରାଜସ୍ଥାନ, ଗୁଜରାଟ ଓ ତାମିଲନାଡୁ ସମେତ ଏସ୍ଆଇଆର ଚାଲୁଥିବା ପ୍ରାୟ ଅଧିକାଂଶ ରାଜ୍ୟରୁ ବିଏଲଓଙ୍କ ମୃତ୍ୟୁ ଖବର ଆସୁଛି। ଅନେକ ଏହାକୁ ତୀବ୍ର ସମାଲୋଚନା କରୁଥିବା ବେଳେ ସେମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ, ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।
ବିଏଲଓଙ୍କ ମୃତ୍ୟୁ ଯୋଗୁ ବିରୋଧୀ ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ବିରୋଧୀ ନିର୍ବାଚନ କମିଶନ( Chief Election Commissioner)ଙ୍କୁ ଟାର୍ଗେଟ କରୁଥିବା ବେଳେ ଏସ୍ଆଇଆରର ସମୟକୁ ନେଇ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନ ବିହାରରେ ଏସ୍ଆଇଆର ଶେଷ କରିବା ପରେ ସେଠାରେ ବିଧାନସଭା ନିର୍ବାଚନ ହୋଇଥିଲା।
୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଙ୍ଗଲ, ତାମିଲନାଡୁ, ଗୋଆ, ଗୁଜରାଟ ଓ ପୁଡୁଚେରୀରେ ଏବେ ଏସ୍ଆଇଆର ଚାଲିଛି। ଜଣଙ୍କ ପରେ ଜଣେ ବିଏଲଓ ପ୍ରାଣ ହରାଉଥିବାରୁ ନିର୍ବାଚନ କମିଶନ ଚିନ୍ତା ପ୍ରକଟ କରିଛନ୍ତି ଓ ବିଏଲଓମାନଙ୍କୁ ୧୦୦୦ରୁ ଅଧିକ ଭୋଟରଙ୍କ ସର୍ଭେ କରିବାକୁ ବାଧ୍ୟ କରା ନ ଯାଉ ବୋଲି କହିଛନ୍ତି। ସେହିପରି ସେମାନଙ୍କ ଭତ୍ତାକୁ ଦୁଇ ଗୁଣ ବୃଦ୍ଧି କରି ବାର୍ଷିକ ୧୨ ହଜାର ଟଙ୍କା କରାଯାଇଥିବା ଇସି କହିଛନ୍ତି। ବିଜେପି ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବିଏଲଓଙ୍କ ମୃତ୍ୟୁକୁ ନେଇ ରାଜନୀତି କରାଯାଉଥିବା କହିଛି।
ବିଏଲଓମାନେ କ’ଣ କହୁଛନ୍ତି?
ଭୋଟର ତାଲିକା ସର୍ଭେ ବେଳେ ବିଏଲଓମାନେ ସାମ୍ନା କରୁଥିବା ଚାପ ଗୋଟିଏ ଚିଠିରୁ ପର୍ଦ୍ଦାଫାସ ହୋଇଛି। ଉତ୍ତର ପ୍ରଦେଶର ନୋଏଡାରେ ବିଏଲଓ ଭାବେ କାମ କରୁଥିବା ପିଙ୍କି ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରରେ ସାମ୍ନା କରୁଥିବା ଚାପକୁ ବଖାଣିଛନ୍ତି। ସରକାରୀ ଶିକ୍ଷୟିତ୍ରୀ ସହ ସ୍କୁଲ ଠାରୁ ୧୦ କିମି ଦୂରରେ ଥିବା ଗୋଟିଏ ଆବାସିକ କଲୋନୀର ୧୧୭୯ ଜଣଙ୍କ ଭୋଟରଙ୍କ ଯାଞ୍ଚ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି, “ମୁଁ ଇସ୍ତଫା ଦେଉଛି। ମୁଁ ଏସବୁ ଆଉ କରିପାରିବି ନାହିଁ। ମୁଁ ପଢ଼ାଇ ପାରିବି ନାହିଁ କିମ୍ବା ବିଏଲଓ କାମ କରିପାରିବି ନାହିଁ।” ଏହାର ୨୪ ଘଣ୍ଟା ପୂର୍ବରୁ ବେଙ୍ଗଲର ଦକ୍ଷିଣ ୨୪ ପ୍ରଗଣାର ଜଣେ ବିଏଲଓ ମାନସିକ ଚାପ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
କମଳ ନସକର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା କାମ ଶେଷ କରିବାକୁ ସେ ଘର ଘର ବୁଲିଥିଲେ। ତାଙ୍କୁ ସମସ୍ତ ଫର୍ମକୁ ୨ ସପ୍ତାହକୁ କମ ଦିନ ମଧ୍ୟରେ ପୂରଣ କରି ଦାଖଲ କରିବାକୁ କୁହାଯାଇଥିଲା। ଏଥିଯୋଗୁ ସେ ପ୍ରବଳ ମାନସିକ ଚାପରେ ରହିଥିଲେ।
କମଳ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ବେଙ୍ଗଲର ନଦିଆ ଜିଲ୍ଲାର ଜଣେ ବିଏଲଓ ରିଙ୍କୁ ତାରଫଦରଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା। ସେ ଏସ୍ଆଇଆର କାମ ଚାପରେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଥିଲେ। ସେହିପରି ରିଙ୍କୁଙ୍କ ଘରୁ ସୁଇସାଇଡ ନୋଟ ମଧ୍ୟ ମିଳିଥିଲା। ଏଥିରେ ସେ ଏସ୍ଆଇଆର ଚାପ ସହି ନ ପାରି ଜୀବନ ହାରୁଥିବା ଉଲ୍ଲେଖ କରିଥିଲେ। ଏହାବାଦ ଆଉ ୨ ଜଣ ବିଏଲଓଙ୍କ ମୃତ୍ୟୁ ମଧ୍ୟ ବେଙ୍ଗଲରେ ହୋଇଛି।
କେରଳରୁ ମଧ୍ୟ ବିଏଲଓଙ୍କ ମୃତ୍ୟୁ ଖବର ଆସିଛି। ଅନୀଶ ଜର୍ଜ କେରଳରେ ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନରେ ହରିଓମ ବୈରୱାଙ୍କ ଉପରେ ବରିଷ୍ଠ ନିର୍ବାଚନ ଅଧିକାରୀ ଚାପ ପକାଇବାରୁ ସେ ଜୀବନ ହାରିଛନ୍ତି। ଗୁଜରାଟରେ ୪ ଜଣ ସ୍କୁଲ ଶିକ୍ଷକ ଏସ୍ଆଇଆର ପ୍ରକ୍ରିୟା ଯୋଗୁ ସାମ୍ନା କରୁଥିବା ଚାପକୁ ସହି ନ ପାରି ପ୍ରାଣ ହରାଇଥିବା ଜଣାପଡ଼ିଛି।
କେରଳ ଓ ବେଙ୍ଗଲରେ ବିଏଲଓଙ୍କ ମୃତ୍ୟୁ ଯୋଗୁ ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା। ବିଭିନ୍ନ କର୍ମଚାରୀ ୟୁନିୟନ ଚାପ ମୁକ୍ତ କାମ ପାଇଁ ଦାବି କରି ରାସ୍ତାକୁ ଓହ୍ଲାଇଥିଲେ। କିଛି ସ୍ଥାନରେ ହିଂସାତ୍ମକ ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି।
In UP's Basti, SDM Shatrughan Pathak lost cool and could be heard scolding and ordering a registration of FIR against a BLO who apparently didn't contribute in the SIR process being conducted by the election commission. Pertinent to mention that at least 4 BLOs have killed… pic.twitter.com/I3XAqviKV0
— Piyush Rai (@Benarasiyaa) November 20, 2025
ବିଏଲଓ ସାମ୍ନା କରୁଥିବା ଆଉ କିଛି ଚ୍ୟାଲେଞ୍ଜ ଭିନ୍ନ। ଗତ ସପ୍ତାହରେ କେରଳ ଉତ୍ତର ପ୍ରାନ୍ତରେ ଜଣେ ବିଏଲଓ ଭୋଟର ତାଲିକା ସର୍ଭେ କରୁଥିବା ବେଳେ ତାଙ୍କୁ କିଛି ଲୋକ ଅଟକ ରଖି ଉଲଗ୍ନ କରି ହଟାହଟା କରିଥିଲେ। ଏଥିପାଇଁ ନିର୍ବାଚନ କମିଶନ ସ୍ଥାନୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି।
ଅତ୍ୟାଚାର କହିଲେ ବିରୋଧୀ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ବିରୋଧୀ ଦଳର ସଦସ୍ୟମାନେ ଏହି ପ୍ରସଙ୍ଗରେ ସିଧାସଳଖ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ କମିଶନ ଜାଣିଶୁଣି ବିଏଲଓମାନଙ୍କ ଉପରେ ଚାପ ଲଦି ଦେଉଛନ୍ତି ଓ ସେମାନଙ୍କୁ ଅସମ୍ଭବ ଭୋଟର ଯାଞ୍ଚ ଟାର୍ଗେଟକୁ ପୂରଣ କରିବାକୁ କହୁଛନ୍ତି।
ସୋମାବାର ରାହୁଲ ଗାନ୍ଧି କହିଥିଲେ, “ଏସ୍ଆଇଆର ନାଁରେ ପୂରା ଦେଶରେ ବିଶୃଙ୍ଖଳା ସୃଷ୍ଟି କରାଯାଇଛି। ଫଳ? ୩ ସପ୍ତାହ ମଧ୍ୟରେ ୧୬ ବିଏଲଏଙ୍କ ଜୀବନ ଗଲାଣି। ହୃଦଘାତ, ଚାପ, ଆତ୍ମହତ୍ୟା ଯୋଗୁ ଜୀବନ ଯାଉଛି। ଏହି ଏସଆଇଆର ସଂସ୍କାର ନୁହେଁ। ଏହା ଲାଗୁ କରାଯାଇଥିବା ଅତ୍ୟାଚାର।”
ବିଜେପି ଓ ନିର୍ବାଚନ କମିଶନ ମିଳିତ ଭାବେ ଭୋଟ ତାଲିକାରେ ହେରଫେର କରୁଥିବା ନିୟମିତ କହି ଆସୁଥିବା ରାହୁଲ ଗାନ୍ଧି ବିଏଲଓମାନଙ୍କୁ ଦୈନିକ ଭୋଟର ତାଲିକା ଯାଞ୍ଚ କରିବାର ଟାର୍ଗେଟ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ମିଳୁଥିବା ଅଭିଯୋଗ କରିଛନ୍ତି।
ମମତା ବାନାର୍ଜୀ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ ନିର୍ବାଚନ କମିଶନ ତୁରନ୍ତ ଏହି ଅମାନବୀୟ କାମ ବନ୍ଦ କରିବାକୁ ଦାବି କରିଛନ୍ତି। ସେ ଏକ୍ସରେ କହିଛନ୍ତି ଯେ “ଆଉ କେତେ ଜୀବନ ଯିବ? ଏହି ଏସ୍ଆଇଆର ପାଇଁ ଆଉ କେତେ ଲୋକଙ୍କ ମୃତ୍ୟୁ ଆବଶ୍ୟକ? ଏଥିପାଇଁ ଆଉ କେତେ ସଂଖ୍ୟକ ମୃତଦେହ ଦେଖିବାକୁ ପଡ଼ିବ? ଏବେ ଏହା ଚିନ୍ତା ବଢ଼ାଇ ସାରିଲାଣି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
